ନୂଆଦିଲ୍ଲୀ : ବାଂଲାଦେଶର ଅନ୍ତରୀଣ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା। ମହମ୍ମଦ ୟୁନୁସଙ୍କୁ କଲେ କଡ଼ା ସମାଲୋଚନା। କହିଲେ ଭାରତ ପ୍ରତି ୟୁନୁସଙ୍କ ଶତ୍ରୁତା ବୋକାମୀ ଏବଂ କୁଟନୈତିକ ଆତ୍ମଘାତୀ। ଅନ୍ତରୀଣ ସରକାର ଦେଶବାସୀ ଓ ବିଶେଷକରି ମହିଳାଙ୍କ ପ୍ରତିନିଧିତ୍ବ କରୁ ନାହାନ୍ତି। ମନ୍ତ୍ରୀମଣ୍ଡଳରେ କଠୋରପନ୍ଥୀଙ୍କୁ ସାମିଲ କରି,ସଂଖ୍ୟାଲଘୁଙ୍କ ସହ ଭେଦଭାବ କରୁଛନ୍ତି। ବର୍ତ୍ତମାନ ଦେଶରେ ଅରାଜକତା ଚାଲିଛି, ଯାହାକି କଠୋରପନ୍ଥୀଙ୍କ ସମର୍ଥନରେ ଚାଲିଛି। ମୁଁ ଆଶା କରୁଛି, ସେ ପଦବୀରୁ ଯିବା ପୂର୍ବରୁ ଅଧିକ କୁଟନୈତିକ ସ୍ତରରେ ଭୁଲ ନକରନ୍ତୁ।
ବାଂଲାଦେଶର ଗାଦିଚ୍ୟୁତ ପୂର୍ବତନ ପ୍ରଧାନମନ୍ତ୍ରୀ ହସିନା କହିଛନ୍ତି, ଭାରତ ସବୁବେଳେ ଆମ ଦେଶର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବନ୍ଧୁ ରହିଛି ଓ ରହିବ। କିନ୍ତୁ ଅନ୍ତରୀଣ ସରକାର ଏହାକୁ ଖରାପ କରିବାରେ ଲାଗିଛନ୍ତି। ଏହା କେବଳ ତାଙ୍କର ବୋକାମୀ। ଭାରତ ଶରଣ ଦେଇଥିବାରୁ ହସିନା ଭାରତ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଭାରତ ସରକାର ଓ ଭାରତୀୟଙ୍କ ଆତିଥ୍ୟ ନିକଟରେ ମୁଁ ଋଣୀ। ଏହା ସହ ହସିନା ବାଂଲାଦେଶ ଫେରିବାର ମଧ୍ୟ ସର୍ତ୍ତ କହିଛନ୍ତି। ସେ କହିଛନ୍ତି, ମୁଁ ବାଂଲାଦେଶ ଫେରିବାର ସବୁଠାରୁ ଜରୁରୀ ସର୍ତ୍ତ ହେଉଛି ତାହା, ଯାହା ବାଂଲାଦେଶର ଲୋକ ଚାହାଁନ୍ତି। ବାଂଲାଦେଶକୁ ସହଭାଗୀ ଲୋକତନ୍ତ୍ର ଫେରିବା ସରକାର। ଅନ୍ତରୀଣ ସରକାରଙ୍କୁ ଆବାମୀ ଲିଗ୍ ପାର୍ଟି ଉପରେ ଲାଗିଥିବା କଟକଣାକୁ ହଟାଇବା ସରକାର। ଏହା ସୁନିଶ୍ଚିତ କରିବାକୁ ହେବ ଯେ, ନିର୍ବାଚନ ନିରପେକ୍ଷ ଓ ମୁକ୍ତ ଭାବରେ ହେଉ। ନ୍ୟୁଜ ଏଜେନ୍ସି ପିଟିଆଇକୁ ଦେଇଥିବା ସାକ୍ଷାତକାର ସମୟରେ ହସିନା ଏସବୁ କହିଛନ୍ତି। ତାଙ୍କୁ ଯେତେବେଳେ ପଚରାଗଲା ସେ ହିଂସାତ୍ମକ ଛାତ୍ର ପ୍ରତିବାଦକୁ ପରିଚାଳନା କରିବାରେ ବିଫଳ ହୋଇଛନ୍ତି କି, ପୂର୍ବତନ ପ୍ରଧାନମନ୍ତ୍ରୀ କହିଥିଲେ, ‘ନିଶ୍ଚିତ ଭାବରେ, ଆମେ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଲୁ ନାହିଁ, ଏବଂ ଆମେ ଏଥିପାଇଁ ଦୁଃଖିତ। ଏହି ଘଟଣାରୁ ଅନେକ ଶିକ୍ଷା ପାଇବାକୁ ଅଛି। କିନ୍ତୁ କିଛି ତଥାକଥିତ ଛାତ୍ର ନେତା (ବାସ୍ତବରେ, ସେମାନେ ମୌଳବାଦୀ ରାଜନେତା) ମଧ୍ୟ ଦାୟୀ ଯେଉଁମାନେ ଭିଡ଼କୁ ଉସୁକାଇଥିଲେ।’ ସେ କହିଛନ୍ତି,ମହମ୍ମଦ ୟୁନୁସଙ୍କୁ କିଛି ପାଶ୍ଚାତ୍ୟ ଉଦାରବାଦୀଙ୍କ ନୀରବ ସମର୍ଥନ ଥିଲା। ସେମାନେ ଭୁଲବଶତଃ ଭାବିଥିଲେ ଯେ, ସେମାନଙ୍କ ମଧ୍ୟରୁ ସେ ଜଣେ। କିନ୍ତୁ ବର୍ତ୍ତମାନ ୟୁନୁସ ତାଙ୍କ କ୍ୟାବିନେଟରେ ମୌଳବାଦୀଙ୍କୁ ସାମିଲ କରିବା, ସଂଖ୍ୟାଲଘୁଙ୍କ ପ୍ରତି ପକ୍ଷପାତ କରିବା ଏବଂ ସମ୍ବିଧାନକୁ ନଷ୍ଟ କରିବାର ସେମାନେ ଦେଖୁଚନ୍ତି। ଆଶା କରୁଛନ୍ତି ସେହି ପାଶ୍ଚତ୍ୟ ନେତାମାନେ ତାଙ୍କର ସମର୍ଥନ ପ୍ରତ୍ୟାହାର କରିବେ।’
