ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ ଜମି ବିକ୍ରି କେଳେଙ୍କାରୀ ଫର୍ଦ୍ଦ ଲମ୍ବିବାରେ ଲାଗିଛି। ସାତଭାୟା ପଞ୍ଚାୟତ ଅନ୍ତର୍ଗତ ୩ଟି ଗାଁର ୨୦୦ ଏକର ସମୁଦ୍ର ଓ ତଟବର୍ତ୍ତୀ ବାଲିଚର ମଧ୍ୟ ଏହି ପ୍ରକ୍ରିୟାରେ ବିକ୍ରି ହୋଇଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ବଙ୍ଗୋପସାଗର କୂଳରେ ପୁରୁଣା ସାତଭାୟା ପଞ୍ଚାୟତରେ ଥିଲା ଗୋବିନ୍ଦପୁର ଗାଁ । ସମୁଦ୍ର କୂଳ କ୍ଷୟ ହୋଇ ଗାଁ ବିପଦରେ ପଡ଼ିବା ଯୋଗୁଁ ୧୯୬୩ରେ ଏହି ଗ୍ରାମର ବାସିନ୍ଦା ତେନ୍ତୁଳିଆକୋହ୍ଲାରେ ବସତି ସ୍ଥାପନ କରିଥିଲେ। ତେନ୍ତୁଳିଆକୋହ୍ଲା ଗ୍ରାମ ୧୯୭୧ ପ୍ରଳୟଙ୍କରୀ ଲୁଣା ବାତ୍ୟାରେ ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିଲା । ତେବେ ଲୁଣା ବାତ୍ୟା ପୂର୍ବରୁ ଗୋବିନ୍ଦପୁର ଗାଁ ମଧ୍ୟ ସଂପୂର୍ଣ୍ଣ ସମୁଦ୍ରରେ ବିଲୀନ ହୋଇଯାଇଥିଲା । ଗୋବିନ୍ଦପୁର ମୌଜାକୁ ଲାଗିଥିବା ସମୁଦ୍ର ଓ ବାଲିଚରକୁ ୧୯୯୩ରେ ବିକ୍ରି କରି ଦିଆଯାଇଛି । ୧୯୮୭ ମସିହା ଖତିଆନରେ ସମୁଦ୍ର, ବାଲିଚର ଆଦି ଉଲ୍ଲେଖ ରହିଥିଲେ ମଧ୍ୟ ବିଭିନ୍ନ କମ୍ପାନୀ ନାମରେ ୩୭ଟି ପ୍ଲଟ୍ର ୨୩.୫୧ ଏକର ଜମି ବିକ୍ରି ହୋଇଛି । ସେହିଭଳି ସାତଭାୟା ମୌଜାର ୧୦୦ ଏକର ଓ କାହ୍ମୁପୁର ମୌଜାର ୮୧ ଏକର ସମୁଦ୍ରତଟ ବିକ୍ରି ହୋଇଛି । ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ଏହି ଜମି ବ୍ୟକ୍ତିଗତ ମାଲିକାନାରେ ଥିବା ବେଳେ ସେମାନଙ୍କଠାରୁ କମ୍ପାନୀମାନେ ଏହାକୁ କିଣି ନେଇଛନ୍ତି । ବିଭିନ୍ନ ଲୋକଙ୍କୁ ମାର୍ଫତଦାର ରଖି ସୂର୍ଯ୍ୟୋଦ୍ୟୋଗ ଲିମିଟେଡ୍ ଗୋବିନ୍ଦପୁର ମୌଜାରେ ୭ ଏକର ୭୨ ଡେସିମିଲ ଓ ସେକ ଗଉସ ୧୫ ଏକର ୭୯ ଡେସିମିଲ ଜମି କିଣିଛନ୍ତି। ସେହିପରି କାହ୍ନୁପୁର ମୌଜାରେ କାର୍ଣ୍ଣିଭାଇ ଆକ୍ୱା ଫାର୍ମ ପକ୍ଷରୁ ତେଜପାଲ ସିଂ ୯୯ ଡେସିମିଲ, ସୂର୍ଯ୍ୟୋଦ୍ୟୋଗ ଲିମିଟେଡ କମ୍ପାନୀ ଦୁଇ ଜଣଙ୍କ ନାମରେ ୮୦ ଏକର ଜମି କିଣିଛନ୍ତି। ସାତଭାୟା ମୌଜାରେ ସୂର୍ଯ୍ୟୋଦ୍ୟୋଗ ଲିମିଟେଡ କମ୍ପାନୀ ଦୁଇ ଜଣଙ୍କ ନାମରେ ୬୫ ଏକର ୩୮ ଡେସିମିଲ ଜମି କ୍ରୟ କରିଥିବା ବେଳେ କାର୍ଣ୍ଣିଭାଇ ଆକ୍ୱା ଫାର୍ମର ତେଜପାଲ ସିଂ ୩୪ ଏକର ୩୫ ଡେସିମିଲ୍ ଜମି କିଣିଛନ୍ତି। ଖତିଆନରେ ସମୁଦ୍ର ଓ ବାଲିଚର ଉଲ୍ଲେଖ ଥିବା ବେଳେ ଏହାକୁ କିପରି ବିକ୍ରି ପାଇଁ ଅନୁମତି ଦିଆଗଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
