ଭୁବନେଶ୍ୱର, ୧୨/୨୫: ଆସନ୍ତା ୧୮ ତାରିଖରୁ ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ । ଲୋକସେବା ଭବନର କନଭେନସନ ସେଣ୍ଟରରେ ୧୮ ଏବଂ ୧୯ ତାରିଖ ଦୁଇ ଦିନ ହେବ ସମ୍ମିଳନୀ । ଏଥିରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ନେଇ ବିଶଦ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀରେ ଉପସ୍ଥିତ ରହି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ମାର୍ଗଦର୍ଶନ କରିବେ । ରାଜ୍ୟ ସରକାର ସମୃଦ୍ଧ ଓଡ଼ିଶା ଗଠନ ଉପରେ ଜୋର ଦେଉଛନ୍ତି । ଦ୍ରୁତ ବିକାଶ ପାଇଁ ତୃଣମୂଳସ୍ତରକୁ ଅଧିକ ଫୋକସ୍ କରାଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ତ୍ୱରିତ କାର୍ଯ୍ୟକାରୀ କରିବା ସହ ଯୋଗ୍ୟ ହିତାଧିକାରୀମାନେ ଯେଭଳି କୌଣସି ସରକାରୀ ସୁବିଧାରୁ ବଞ୍ଚିତ ନହୁଅନ୍ତି ତାକୁ ସରକାର ଅଗ୍ରାଧିକାର ଦେଉଛନ୍ତି । ଏଥିରେ ଜିଲ୍ଲାପାଳମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଜିଲ୍ଲାପାଳମାନେ ତୃଣମୂଳସ୍ଥରରେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ସମ୍ମିଳନୀରେ ତର୍ଜମା ହେବ । ସରକାର ଶିଳ୍ପାୟନକୁ ଅଗ୍ରାଧିକାର ଦେଉଥିବାରୁ ଜମି ଅଧିଗ୍ରହଣରୁ ଆଇନ ଶୃଙ୍ଖଳା ଯାଏ ଯେଭଳି ସୁରୁଖୁରୁରେ ହେବ ତାକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ ଓ ଏସ୍ପିମାନେ କାମ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଶିଳ୍ପ ଓ ମହିଳା ବିକାଶ ଭଳି ପ୍ରସଙ୍ଗରେ ଚଳିତ ଥର ଅଧିକ ଚର୍ଚ୍ଚା ହେବ ବୋଲି ଅନୁମାନ କରାଯାଉଛି । ମୁଖ୍ୟ ଶାସନ ସଚିବଙ୍କ ସହ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପି, ବିଭାଗୀୟ ସଚିବ ଓ ମନ୍ତ୍ରୀମାନେ ବୈଠକରେ ସାମିଲ ହେବେ । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୋହନ ମାଝୀ ଗତ ବର୍ଷ ସେପ୍ଟେମ୍ବର ୨୭ ଓ ୨୮ରେ ଏ ସମ୍ମିଳନୀ ଡାକିଥିଲେ । ଜିଲ୍ଲାପାଳ ଓ ଏସ୍ପିମାନେ ବିନା ଭୟରେ କାମ କରିବାକୁ ପରାମର୍ଶ ଦେଇଥିଲେ । କୌଣସି ପରିସ୍ଥିତିରେ ଦୁର୍ନୀତିକୁ ବରଦାସ୍ତ କରାଯିବନି ବୋଲି ମଧ୍ୟ ଚେତାବନୀ ଦେଇଥିଲେ ।
