ନୂଆଦିଲ୍ଲୀ,୧୧।୧୧: ଅକୋଲା ଦଙ୍ଗା ମାମଲାରେ ହିନ୍ଦୁ ଓ ମୁସଲମାନ ଅଧିକାରୀଙ୍କ ଏସଆଇଟି ଯାଞ୍ଚ କରିବା ନେଇ ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି। ୧୧ ସେପ୍ଟେମ୍ବରରେ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ କହିଥିଲେ, ମାମଲାର ଯାଞ୍ଚ ପାଇଁ ହିନ୍ଦୁ ଓ ମୁସଲମାନ ପୋଲିସ ଅଧିକାରୀଙ୍କ ସ୍ବତନ୍ତ୍ର ଟିମ୍ ତିଆରି କରାଯାଉ। ଦୁଇ ବିଚାରପତିଙ୍କ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି। ଏହା ପରେ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ପୁନଃବିଚାର ଆବେଦନ ଦାଖଲ କରିଛନ୍ତି। ଶୁଣାଣି ବେଳେ ଉଭୟ ବିଚାରପତି ଭିନ୍ନ ଭିନ୍ନ ରାୟ ଦେଇଥିଲେ। ଜଣେ ସମୀକ୍ଷାର ଅନୁମତି ଦେଇଥିଲେ, ଅନ୍ୟପକ୍ଷେ ଦ୍ବିତୀୟ ବିଚାରପତି ଏହାକୁ ଖାରଜ କରିଦେଇଥିଲେ। ଏବେ ସିଜେଆଇ ବିଆର ଗଭଇଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ରାୟ ଉପରେ ରୋକ ଲଗାଇ ଦେଇଛନ୍ତି। ୧୩ ମଇ ୨୦୨୩ ରେ ମହାରାଷ୍ଟ୍ରର ଅକୋଲାରେ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା। ଏହି ଦଙ୍ଗାରେ ମହାଦେବ ଗାୟକଓ୍ବାଡଙ୍କ ମୃତ୍ୟୁ ହୋଇଥିଲା। ଏହାଛଡା ଅତି କମ୍ରେ ୮ ଜଣ ଆହତ ହୋଇଥିଲେ, ଯାହାଙ୍କ ଭିତରେ ଦୁଇ ଜଣ ପୋଲିସ କର୍ମଚାରୀ ରହିଥିଲେ। ଦଙ୍ଗାବେଳେ ପୁଲିସ ଉପରେ ପଥର ମାଡ଼ ହୋଇଥିଲା। ବହୁ ବାହାନରେ ନିଆଁ ଲଗାଇ ଦିଆଯାଇଥିଲା। ସୁପ୍ରିମକୋର୍ଟ କହିଛନ୍ତି, ରାଜ୍ୟ ସରକାର ଦଙ୍ଗାର ଯାଞ୍ଚ ପାଇଁ ଏସଆଇଟି ଗଠନ କରିଛନ୍ତି, ଯେଉଁଥିରେ ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟର ପୁଲିସ ଅଧିକାରୀ ସାମିଲ ରହିବେ। ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦେଶ ଉପରେ ଆପତ୍ତି ପ୍ରକାଶ କରି ଏହି ନୂଆ ଆବେଦନ ଦାଖଲ କରିଥିଲେ। ରାଜ୍ୟର କହିବା ଅନୁସାରେ, ସଂସ୍ଥାଗତ ଧର୍ମ ନିରପେକ୍ଷତାର ସିଦ୍ଧାନ୍ତକୁ ଆଘାତ ଲାଗିପାରେ। ଜଷ୍ଟିସ ଶର୍ମା କହିଛନ୍ତି, ଏହି ନିଷ୍ପତ୍ତି ଉପରେ ବିଚାର କରିବା ଦରକାର। ସେଭଳି ଜଷ୍ଟିସ୍ ସଞ୍ଜୟ କୁମାର ପୁନଃବିଚାର ଆବେଦନ ଦାଖଲ କରିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଛନ୍ତି, ରାଜ୍ୟ ସରକାର ଖଣ୍ଡପୀଠଙ୍କ ଦୁଇ ବିଚାରଙ୍କ ଆଗରେ ଅଲଗା ଅଲଗା ସୂଚନା ଦେଇଛନ୍ତି। ଏଥିପାଇଁ ଜଷ୍ଟିସ୍ ସଞ୍ଜୟ କୁମାର ଆବେଦନ ଖାରଜ କରିଛନ୍ତି। ଏହା ସହ କହିଛନ୍ତି, ଦଙ୍ଗା ସମୟରେ ଏଫଆଇଆର ରୁଜୁ କରିବାରେ ପୋଲିସ ଅବହେଳା କରିଥିଲା। ସେଥିପାଇଁ ଏସଆଇଟିରେ ଉଭୟ ସମ୍ପ୍ରଦାୟର ଅଧିକାରୀଙ୍କୁ ସାମିଲ କରିବାର ନିର୍ଦେଶ ଦିଆଯାଇଥିଲା।
