ଭୁବନେଶ୍ୱର/ଫୁଲବାଣୀ/ଜି.ଉଦୟଗିରି: ଆସନ୍ତା ଦୁଇ ଦିନ ରାଜ୍ୟରେ ଶୀତ ଲହରୀ ବହିବ । ୫ ସହରରେ ଏହାର ପ୍ରଭାବ ରହିବ । କଟକ, ଅନୁଗୁଳ, ଝାରସୁଗୁଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର କିଛି ସ୍ଥାନରେ ଶୀତ ଲହରୀ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଚଳିତ ବର୍ଷ ପ୍ରଥମଥର ପାଇଁ ପାରଦ ୧୦ ଡିଗ୍ରୀ ତଳକୁ ଛୁଇଁଛି । ଜି ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ବା ୮.୪ ଡିଗ୍ରୀ ରହିଥିଲା । ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ ରେକର୍ଡ ହୋଇଛି । ଶନିବାର ରାତିରେ ଏଠାରେ ପାରଦ ୧୧ ଡିଗ୍ରୀ ଥିଲା । ଦିନକରେ ୧ ଡିଗ୍ରୀ ଖସିଛି । ଫୁଲବାଣୀରେ ପୂର୍ବରୁ ୧୨ ଡିଗ୍ରୀ ଥିବାବେଳେ ଏହା ୧୧ ଡିଗ୍ରୀକୁ ଖସିଛି । ରାଉରକେଲାରେ ୧୩.୨ ଡିଗ୍ରୀ ଥିବାବେଳେ ଏହା ୧୨.୫ ଡିଗ୍ରୀକୁ ଖସିଯାଇଛି । କେନ୍ଦୁଝରରେ ୧୪.୬ ଡିଗ୍ରୀରୁ ୧୩.୮ ଡିଗ୍ରୀକୁ ଖସିଛି । କନ୍ଧମାଳରେ ଶୀତ ଲହରୀ ଜାରି ରହିଛି । ପୂରା ଜିଲ୍ଲା ଶୀତରେ ଥରୁଛି । ୨୪ ଘଣ୍ଟା ମଧ୍ୟରେ ଜି.ଉଦୟଗିରିରେ ପାରଦ ୩ ଡିଗ୍ରୀ ତଳକୁ ଖସି ୮.୪ ଡିଗ୍ରୀରେ ପହଞ୍ଚିଛି । ରବିବାର ରାତିରେ ୧୬ ସହରର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଥିଲା । ଝାରସୁଗୁଡ଼ାରେ ୧୧.୬, କିରେଇରେ ୧୨.୨, ସେମିଳିଗୁଡ଼ା, ରାଉରକେଲା ଓ ଅନୁଗୁଳରେ ୧୨.୬, ଢେଙ୍କାନାଳରେ ୧୩.୫, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୧୪ ଡିଗ୍ରୀ, କୋରାପୁଟରେ ୧୪.୨, ବଲାଙ୍ଗୀରରେ ୧୪.୫, ଭୁବନେଶ୍ୱରରେ ୧୪.୮ ଓ ସୋନପୁରରେ ରାତି ତାପମାତ୍ରା ୧୪.୯ ଡିଗ୍ରୀକୁ ଖସିଥିଲା । ଭୁବନେଶ୍ୱରରେ ଦିନକରେ ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀ ଖସିଛି । ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୫.୮ ଡିଗ୍ରୀ କମ୍ ତାପମାତ୍ରା ଅନୁଭୂତ ହୋଇଛି । ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୬.୩ ଡିଗ୍ରୀ କମିଛି । କଟକରେ ୩.୬ ଡିଗ୍ରୀ, ଫୁଲବାଣୀ ଓ ଟିଟିଲାଗଡ଼ରେ ସ୍ୱାଭାବିକଠାରୁ ୩.୧ ଡିଗ୍ରୀ କମ୍ ରହିଛି । ଆଗକୁ ମଧ୍ୟ ପାରଦ ତଳମୁହାଁ ହେବା ସହ ଥଣ୍ଡା ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨ରୁ ୩ ଦିନରେ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ତଳକୁ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମଙ୍ଗଳବାର ଫୁଲବାଣୀ ଓ ଝାରସୁଗୁଡ଼ାରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ଆସନ୍ତା ୧୭ ୧୮ ତାରିଖରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଏହାପରେ ଥଣ୍ଡା ଆହୁରି ବଢ଼ିବ ।
