ପୁରୀ: ପ୍ରାକୃତିକ ବିପର୍ଯ୍ୟୟ ଭୟ ସର୍ବଦା ପୁରୀକୁ ରହିଛି । ଅଦିନିଆ ବର୍ଷା, ବାତ୍ୟା, ବନ୍ୟା ଯୋଗୁଁ କିଛି ବର୍ଷ ହେବ ପୁରୀ ପ୍ରଭାବିତ ହେଉଛି । ଭୂ-କମ୍ପ ଜୋନ୍ ୩ରେ ଥିବାରୁ ପାଦେ ପାଦେ ବିପଦ ରହିଛି । ଏହା ସାଙ୍ଗକୁ ସମୁଦ୍ରକୂଳେ ରହିଥିବାରୁ ସମୁଦ୍ର ଭିତରେ ଭୂକମ୍ପ ହେଲେ କୂଳରେ ଥିବା ଜନବସତି ଓ ଲୋକଙ୍କ ଧନଜୀବନ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ରହିଛି । କାରଣ ପୁରୀ ଜିଲ୍ଲାର ୧୫୦ କିଲୋମିଟର ଉପକୂଳ ଦେଇ ରହିଥିବା ବଙ୍ଗୋପସାଗରରେ ଭିତରେ ରହିଛି ଟେକ୍ଟୋନିକ୍ ପ୍ଲେଟ୍ । ପ୍ଲେଟ ହଲିଲେ ଭୂକମ୍ପ ହେବ । ୨ରୁ ୩ ଘଣ୍ଟା ଭିତରେ ସୁନାମି ମାଡ଼ି ଆସିବ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାର ସମୁଦ୍ରକୂଳିଆ ୬ ବ୍ଲକ ସମେତ କୋଣାର୍କ ଏନ୍ଏସି, ପୁରୀ ପୌରାଞ୍ଚଳରେ ସୁନାମି ପ୍ରବଣ ଅଞ୍ଚଳ ଚିହ୍ନଟ କରାଯାଇଛି । ସୁନାମି ଆସିଲେ ୬ ବ୍ଲକର ୮୬ଟି ଜନବସତି କ୍ଷୟକ୍ଷତି ହେବା ଆଶଙ୍କା ପ୍ରକାଶ କରାଯାଇଛି । ଏହି ଜନବସତିରେ ଆବଶ୍ୟକ ସ୍ଥଳେ ଧନଜୀବନ ସୁରକ୍ଷା ନିମନ୍ତେ ପଦକ୍ଷେପ ମଧ୍ୟ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମଗିରି, ଅସ୍ତରଙ୍ଗ, ଗୋପ ଓ କାକଟପୁରରେ ପ୍ରତି ବ୍ଲକର ଗୋଟିଏ ଲେଖାଏଁ ଗ୍ରାମକୁ ସୁନାମି ପ୍ରବଣ ଗାଁ ଭାବେ ଘୋଷଣା କରାଯାଇଛି । ସେଗୁଡ଼ିକ ହେଲା ଅସ୍ତରଙ୍ଗ କେଉଟଜଙ୍ଗା,କାକଟପୁର ଛୋଟିପଡ଼ା, ଗୋପର ଖାଲକଟାପାଟଣା, ବ୍ରହ୍ମଗିରିର ନରସିଂହପାଟଣା । ୟୁନେସ୍କୋ ଏହାକୁ ସୁନାମି ପ୍ରବଣ ଗାଁ ଭାବେ ମାନ୍ୟତା ଦେଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦ଟି ଗ୍ରାମକୁ ସୁନାମି ରେଡି ଭିଲେଜ ଭାବେ ଘୋଷଣା କରିବାକୁ ପଦକ୍ଷେପ ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜରୁରୀକାଳୀନ କାର୍ଯ୍ୟାଳୟର ଅଧିକାରୀ ତଥା ଡେପୁଟି କଲେକ୍ଟର ଅଣୁଶ୍ରଭ ଗନ୍ତାୟତ । ସେ କହିଛନ୍ତି, ୧୦ଟି ଗ୍ରାମ ତାଲିକା ମଧ୍ୟରେ ଗୋପରେ ଗୋଟିଏ, ବ୍ରହ୍ମଗିରିରେ ୨ଟି, ଅସ୍ତରଙ୍ଗରେ ୩ଟା ଓ କାକଟପୁରରେ ୪ଟା ଗ୍ରାମ ରହିଛି । ୮ ପଞ୍ଚାୟତରେ ଏହି ୧୦ ଗ୍ରାମ ରହିଛି । ଏହି ପଞ୍ଚାୟତ ଓ ଗ୍ରାମ ସ୍ତରରେ ସୁନାମୀ ବିପର୍ଯ୍ୟୟ ମୁତାବିଲା ନିମନ୍ତେ ସମ୍ପୂର୍ଣ୍ଣ ସଚେତନତା କରାଯାଇଛି । ୧୨ ପରିମାପକୁ ପୂରଣ କରୁଥିବା ଅଞ୍ଚଳକୁ ସୁନାମି ରେଡି ଭିଲେଜ କରିବାକୁ ୟୁନେସ୍କୋ ଗାଇଡ୍ଲାଇନ୍ ଦେଇଛନ୍ତି । ୱାଲ ପେଣ୍ଟିଂ, ସାଇନ୍ଏଜ୍, ଛାତ୍ରଛାତ୍ରୀ ସଚେତନତା, ପଥପ୍ରାନ୍ତ ନାଟକ ପ୍ରଭୃତି ହୋଇଥିବା ଅଞ୍ଚଳକୁ ଏହି ତାଲିକାରେ ଯୋଡ଼ାଯାଇଛି । ୟୁନେସ୍କୋର ଜାତୀୟ ସୁନାମି ବୋର୍ଡ ଆସି ସାର୍ଟିଫିକେଟ ଦେବା ପରେ ସୁନାମି ରେଡି ଭିଲେଜ୍ ଘୋଷଣା ହେଉଛି । ପର୍ଯ୍ୟାୟ କ୍ରମେ ୬ ବ୍ଲକର ୮୬ଟି ସୁନାମିପ୍ରବଣ ଗ୍ରାମ ସମେତ କୋଣାର୍କର ଚନ୍ଦ୍ରଭାଗା, ପୁରୀ ପୌରାଞ୍ଚଳର ୧୪ ୱାର୍ଡ଼ ସମ୍ପୂର୍ଣ୍ଣ ଓ ୮ ୱାର୍ଡ ଆଶିଂକ ପରବର୍ତ୍ତୀ ସମୟରେ ସୁନାମି ରେଡି ଭିଲେଜ କରାଯିବ । ବିପର୍ଯ୍ୟୟ ହଠାତ୍ ମାଡ଼ିଆସେ । ତେଣୁ ସର୍ବଦା ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ । ଲୋକଙ୍କୁ ଏଥିପାଇଁ ସଚେତନ କରିବାକୁ ପଡ଼ିବ । ଯଦି ଭୂମିକମ୍ପ ସମୁଦ୍ର ମଝିରେ ହେବ ସମୁଦ୍ର ଲହଡ଼ି ସ୍ଥଳଭାଗକୁ ମାଡ଼ି ଆସିବାର ଆଶଙ୍କା ରହିଛି । ଯାହାକୁ ସୁନାମି କୁହାଯାଏ । ୨୦୦୪ ଡିସେମ୍ବରରେ ଆଣ୍ଡାମାନ ନିକୋବରରେ ସୁନାମି ଅନୁଭୂତ ହୋଇଥିଲା । ଏହି ସମୟରେ ହୋଇଥିବା ସୁନାମିରେ ୧୨ ଦେଶର ୨.୫ ଲକ୍ଷ ଲୋକ ମରିଥିଲେ । ପରେ ସମୁଦ୍ରକୂଳିଆ ସମସ୍ତ ବ୍ଲକର ସୁନାମିପ୍ରବଣ ଅଞ୍ଚଳ ଚିହ୍ନଟ କରାଯାଇ ଲୋକଙ୍କୁ ପ୍ରସ୍ତୁତ ରହିବାକୁ ପଦକ୍ଷେପ ନିଆଯାଉଛି । ଭୌଗୋଳିକ ସ୍ଥିତିକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ । କିନ୍ତୁ ଜନସଂଖ୍ୟା ଓ ଜନବସତି ବଢ଼ି ଚାଲିଥିବାରୁ ଏହାର ସୁରକ୍ଷା ପ୍ରଶାସନ ନିମନ୍ତେ ଚାଲେଞ୍ଜ ହୋଇଛି । ସମୁଦ୍ରକୂଳ ଜନବସତି ପାଖକୁ ଚାଲିଆସୁଥିବାରୁ ଏହାର ସୁରକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ହାଇଦ୍ରାବାଦ୍ରେ ଥିବା ଆଇଏନ୍ସିଓଆଇସି ସୁନାମିର ମାତ୍ର ୨ରୁ ୩ଘଣ୍ଟା ଭିତରେ ପୂର୍ବ ସୂଚନା ଜାରି କରିବ । ବାତ୍ୟା କିମ୍ବା ବର୍ଷା ଭଳି ବହୁ ପୂର୍ବରୁ ଏ ସୂଚନା ମିଳିବନି । ତେଣୁ ପୁରୀ ଜିଲ୍ଲା ୬ ବ୍ଲକର ୨୬ଟି ସ୍ଥାନରେ ସୁନାମି ସୂଚନା ସାଇରନ୍ ଲଗାଯାଇଛି । ପୁରୀ ପୌରାଞ୍ଚଳର ସମୁଦ୍ରକୂଳ ଥାନା, ବଳିଆପଣ୍ଡା ଥାନା, ପେଣ୍ଠକଟା ବାତ୍ୟା ଆଶ୍ରୟସ୍ଥଳୀରେ ଏହି ସାଇରନ୍ ଲଗାଯାଇଛ
