ନୂଆଦିଲ୍ଲୀ, ୧୧/୧୧ :ଦିଲ୍ଲୀ ବିସ୍ଫୋରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଡ଼ା ମନ୍ତବ୍ୟ। ଭୁଟାନ୍ରୁ ଆତଙ୍କବାଦୀଙ୍କୁ ଦେଲେ କଡ଼ା ଚେତାବନୀ। କହିଲେ’ଦିଲ୍ଲୀ ବ୍ଲାଷ୍ଟ ଷଡ଼ଯନ୍ତ୍ର ପାଇଁ ଯେଉଁମାନେ ଦାୟୀ, କାହାକୁ ବି ଛଡ଼ାଯିବନି। ଯାଞ୍ଚ ଏଜେନ୍ସି ଘଟଣାର ମୂଳ ପର୍ଯ୍ୟନ୍ତ ଯିବେ। ସୋମବାର ସନ୍ଧ୍ୟାରେ ଦିଲ୍ଲୀ ବିସ୍ଫୋରଣ ଘଟଣା ଖୁବ୍ ବ୍ୟଥିତ କରିଛି। ଅତ୍ୟନ୍ତ ଦୁଃଖର ସହିତ ଏଠାକୁ ଆସିଛି। ରାତି ସାରା ମୁଁ ସମସ୍ତ ଯାଞ୍ଚ ଏଜେନ୍ସି ଓ ଅଧିକାରୀମାନଙ୍କ ସହ ଯୋଗାଯୋଗରେ ଥିଲି। ତଦନ୍ତ ଚାଲିଛି, ଦୋଷୀକୁ ଛଡ଼ାଯିବନି। ସାରା ଦେଶ ପୀଡ଼ିତଙ୍କ ପରିବାର ସହ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଭୁଟାନ ଗସ୍ତରେ ଅଛନ୍ତି। ଭୁଟାନର ଚତୁର୍ଥ ରାଜା ଜିଗମେ ସିଙ୍ଗ୍ୟେ ୱାଙ୍ଗଚୁକଙ୍କ ୭୦ତମ ଜନ୍ମଦିନରେ ସମାରୋହରେ ସାମିଲ ହୋଇଛନ୍ତି। ଭୁଟାନର ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଭୁଟାନବାସୀ ଓ ଭୁଟାନ ରାଜପରିବାର ପାଇଁ ଆଜି ଖୁବ୍ ଗୁରୁତ୍ଵପୂର୍ଣ୍ଣ ଦିନ। ବିଶ୍ଵ ଶାନ୍ତିରେ ବିଶ୍ଵାସ ରଖୁଥିବା ସବୁ ଲୋକଙ୍କ ପାଇଁ ଏହା ମହତ୍ଵପୂର୍ଣ୍ଣ ଦିନ। ଭାରତ ଓ ଭୁଟାନ ସମ୍ପର୍କ ଶତାବ୍ଦୀ ପୁରୁଣା। ଦୁଇ ଦେଶ ମଧ୍ୟରେ ଆତ୍ମୀୟତା ରହିଛି। ତେବେ ପିଏମ୍ଙ୍କ ଭୁଟନ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ।
