ଭୁବନେଶ୍ୱର,୦୯/୧୧: ସହିଦନଗର ଆଲୋକଭାରତୀ ଟାୱାରରୁ ପଲସ୍ତରା ଖସିଲାଣି । କୋଠା ସାରା ଗଛ ଉଠିଲାଣି । ଜୟଦେବ ବିହାର ଛକରେ ଏକ କୋଠା ବର୍ଷ ବର୍ଷ ହେଲା ବିପଦସଂକୁଳ ଅବସ୍ଥାରେ ରହିଛି । ଭୂକମ୍ପ ହେଲେ ଭୁଶୁଡ଼ିବା ଆଶଙ୍କା ରହିଛି । ରାଜଧାନୀରେ ଏମିତି ମାଳ ମାଳ କୋଠା ଏଭଳି ଅବସ୍ଥାରେ ରହିଛି । ବିଡିଏ କିମ୍ବା ବିଏମ୍ସି ପକ୍ଷରୁ ସର୍ଭେ କରାଯାଉନାହିଁ । ବଡ଼ ଧରଣର ଅଘଟଣ ଘଟିଲେ ଚେତା ପଶିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି । ବିଡିଏ ପକ୍ଷରୁ ସହିଦନଗରରେ ୧୯୮୭ ମସିହାର ଆଲୋକଭାରତୀ ଟାୱାର(ମାର୍କେଟ କମ୍ପେ୍ଲକ୍ସ) ନିର୍ମାଣ କରାଯାଇଥିଲା । ଏହା ଭିତରେ ୩୯ ବର୍ଷ ବିତିଲାଣି । କୋଠା ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଗଲାଣି । ହେଲେ ଏହି ମାର୍କେଟ କମ୍ପେ୍ଲକ୍ସରେ ଏବେ ବି କିଛି ସରକାରୀ ଅଫିସ ଓ ବ୍ୟାଙ୍କ ଚାଲୁଛି । କୋଠାକୁ ଦେଖିଲେ ଅସୁରକ୍ଷିତ ମନେ ହେଉଛି। ହେଲେ ଏହା କେତେ ସୁରକ୍ଷିତ ସେ ନେଇ କୌଣସି ସର୍ଭେ କରାଯାଉନାହିଁ ବୋଲି ଅନେକ ଅଫିସ ଓ ବ୍ୟବସାୟୀ ପ୍ରଶ୍ନ ଉଠାଉଛନ୍ତି । ସିଆର୍ପି ଛକରେ ଥିବା ପ୍ରିୟଦର୍ଶିନୀ ମାର୍କେଟ ଅବସ୍ଥା ବି ସମାନ । ଉକ୍ତ କୋଠାରେ କେଉଁଠାରେ ପାହାଚ ଭାଙ୍ଗି ଗଲାଣି ତ କେଉଁଠି ଛାତର କିଛି ଅଂଶ ଝଡ଼ି ପଡ଼ିଲାଣି ବୋଲି ମାର୍କେଟ ସଂଘର ସଭାପତି ଶରତ ରାଉତ କହିଛନ୍ତି । ଏହାକୁ ଭାଙ୍ଗି ସେଠାରେ ନୂତନ ମାର୍କେଟ କମ୍ପେ୍ଲକ୍ସ ତିଆରି ଲାଗି ପ୍ରସ୍ତବ ଦିଆଯାଇଥିଲା । ଡିପିଆର୍ ହେଲାଣି, କିନ୍ତୁ କଥା ଆଗଉନି ବୋଲି ସେ କହିଛନ୍ତି । ଜୟଦେବ ବିହାର ଛକରେ ଏକ ବିରାଟ କୋଠା ନିର୍ମାଣ ହୋଇଛି । ବିଲ୍ଡିଂ ପ୍ଲାନ ଆପ୍ରୁଭାଲର ତ୍ରୁଟି ଯୋଗୁଁ ଘର ନିର୍ମାଣ ହୋଇ ପଡ଼ିଛି । ସେଠାରେ କିଛି ଲୋକ ଘର ଭଡ଼ା ନେଇ ରହୁଛନ୍ତି । ଏବେ ଉକ୍ତ ଘରଗୁଡ଼ିକ ଭାଙ୍ଗିରୁଜି ଗଲାଣି । ଏହାର ଦୁଃସ୍ଥିତି ଆଖିକୁ ଜଳଜଳ ଦିଶୁଛି । ବିଏମ୍ସି ପକ୍ଷରୁ ତିଆରି ହୋଇଥିବା ଯାତ୍ରୀ ନିବାସକୁ ଅଘୋଷିତ ଘୋଷଣା ସତ୍ତେ୍ୱ ଏହା କାର୍ଯ୍ୟକାରୀ କରାଯାଉଛି । ପୁରୁଣା ଭୁବନେଶ୍ୱରରେ ଏପରି ଏକାଧିକ କୋଠା ରହିଛି । ଯାହା ପ୍ରାୟ ୬୦ରୁ ୭୦ ଦଶକରେ ନିର୍ମାଣ ହୋଇଥିଲା । କୋଠାଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଏହାକୁ ବିଏମ୍ସି ପକ୍ଷରୁ ସର୍ଭେ କରାଯାଉନାହିଁ । ସେହିପରି ଶୈଳଶ୍ରୀ ବିହାରରେ ମଧ୍ୟ ବିଡିଏ ପକ୍ଷରୁ ଆବଣ୍ଟନ ହୋଇଥିବା ଘର ଉପରେ ଅନେକ ବେଆଇନ୍ ନିର୍ମାଣ କରିଛନ୍ତି । ମୂଳ ଘରର ଭିତ୍ତିଭୂମି ଉପରେ ସନ୍ଦେହ ରହିଥିବା ବେଳେ ଏହା ଉପରେ ନବୀକରଣ କେତେ ସୁରକ୍ଷିତ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡିଏ(ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ) ରୁଲ-୨୦୨୦ ଅନୁସାରେ ସହରରେ ଏଭଳି ପୁରାତନ ବହୁତଳ ବିଶିଷ୍ଟ କୋଠାକୁ ଚିହ୍ନଟ କରାଯାଇ ବିଏମ୍ସି ଓ ବିଡିଏ ମିଳିତ ଭାବେ ସର୍ଭେ କରାଯିବା ଲାଗି ଅର୍ବାନ ପ୍ଲାନର ପିୟୁଷ ରାଉତ ମତ ଦେଇଛନ୍ତି । ହେଲେ ଦୁର୍ଭାଗ୍ୟର କଥା ଉଭୟ ବିଡିଏ ଏବଂ ବିଏମ୍ସି ପାଖରେ ଏହାର ହିସାବ ନାହିଁ । ବିଭାଗ ପକ୍ଷରୁ ଅଣଦେଖା କରାଯାଇଛି । ହାଇକୋର୍ଟର ନିର୍ଦ୍ଦେଶକ୍ରମେ କଟକରେ କୋଠା ଚିହ୍ନଟ ହୋଇଥିଲେ ମଧ୍ୟ ଭୁବନେଶ୍ୱରେ ଏହାକୁ ଚିହ୍ନଟ କରାଗଲା ନାହିଁ । ପୁରୁଣା କୋଠାଗୁଡ଼ିକ ବିଡିଏ ଚିହ୍ନଟ କରିବାର ଆବଶ୍ୟକ ରହିଛି । ଅନେକ ଘର ପ୍ଲାନିଂରେ ନିର୍ମାଣ କରାଯାଉନି । ଫଳରେ ଦୀର୍ଘସ୍ଥାୟୀ ହେଉନି । ଏସମ୍ପର୍କରେ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଖୁବ୍ଶୀଘ୍ର ଏହି ସବୁ କୋଠାକୁ ଚିହ୍ନଟ କରାଯାଇ ଭଙ୍ଗାଯିବ ।
