ଧରାକୋଟ,୯/୧୧: ବିବାହ ବନ୍ଧନରେ ଆବଦ୍ଧ ହେଲେ ଧରାକୋଟ ‘ରାଜା ସାହେବ’ ସୁଲକ୍ଷଣା ଗୀତାଞ୍ଜଳି ଦେବୀ । ଭୁବନେଶ୍ୱର ଏକାମ୍ର କ୍ଷେତ୍ର ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀମୟ ମିଶ୍ରଙ୍କୁ ସେ ବିବାହ କରିଛନ୍ତି । ଭୁବନେଶ୍ୱରର ଏକ ରିସୋର୍ଟରେ ଗତକାଲି ବିବାହ ସମ୍ପନ୍ନ ହୋଇଛି । ରାଜାସାହେବ ସୁଲକ୍ଷଣା ଗୀତାଞ୍ଜଳି ଏବେ ଧରାକୋଟ ବ୍ଲକ୍ ଅଧ୍ୟକ୍ଷା ଅଛନ୍ତି । ତାଙ୍କ ଜେଜେବାପା ରାଜା ସାହେବ ଅନନ୍ତ ନାରାୟଣ ସିଂହଦେଓ ଆସିକା ସାଂସଦ, ସୋରଡ଼ା ବିଧାୟକ ଓ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଥିଲେ । ଜେଜେମା’ ଶାନ୍ତି ଦେବୀ ସୋରଡ଼ା ବିଧାୟିକା ଥିଲେ । ବାପା କିଶୋର ଚନ୍ଦ୍ର ସିଂହଦେଓ ଓ ମାଆ ନନ୍ଦିନୀ ଦେବୀ ମଧ୍ୟ ସୋରଡ଼ା ବିଧାୟକ ଥିଲେ । ୨୦୧୦ ମେ’ରେ ରାଜା କିଶୋର ଚନ୍ଦ୍ର ସିଂହଦେଓଙ୍କ ପରଲୋକ ପରେ ରାଜ ସିଂହାସନ ଆରୋହଣ କରି ‘ରାଜା ସାହେବ’ ଭାବେ ପରିଚିତ ହୋଇଥିଲେ ସୁଲକ୍ଷଣା ଗୀତାଞ୍ଜଳି ଦେବୀ । ସେତେବେଳେ ସେ ରାୟପୁରରେ ଦଶମରେ ପଢ଼ୁଥିଲେ । ରାୟପୁର ରାଜପୁତ କଲେଜରୁ ଯୁକ୍ତ ଦୁଇ ପାସ୍ ପରେ ଭୁବନେଶ୍ୱରରେ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ସେ ବ୍ଲକ୍ ଅଧ୍ୟକ୍ଷା ହୋଇଥିବା ବେଳେ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିଲେ । ରାଜନୀତି କ୍ଷେତ୍ରରେ ସୁଲକ୍ଷଣାଙ୍କ ଦବ୍ଦବା ଦେଖିବାକୁ ମିଳୁଛି । ସ୍ଥାନୀୟ ଅଞ୍ଚଳରେ ତାଙ୍କର ଲୋକପ୍ରିୟତା ରହିଛି । ରାଜମାତା ନନ୍ଦିନୀ ଦେବୀଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ପିଉସା ଛତିଶଗଡ଼ ବିଳାସପୁର ଅଞ୍ଚଳର ରାଜାସାହେବ ପୁଷ୍ପେନ୍ଦ୍ର ପ୍ରତାପ ଚୌହାନ ଓ ପିଉସୀ ସାଇଦର୍ଶନା ଦେବୀ ତାଙ୍କର ବିବାହ କରାଇଥିଲେ । ରାଜସ୍ଥାନ, ମେୱାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ରାଜ ପରିବାର ସଦସ୍ୟ ବିବାହରେ ଯୋଗ ଦେଇଛନ୍ତି ।
