ନୂଆଦିଲ୍ଲୀ,୦୬/୧୧: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ଯେଉଁଥିରେ ୧୮ଟି ଜିଲ୍ଲାର ୧୨୧ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ତେବେ ପ୍ରଥମ ପର୍ଯ୍ୟାୟରେ ମତଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନିତୀଶ କୁମାର, ବିରୋଧୀ ଦଳ ନେତା ତଥା ଆରଜେଡି ପ୍ରାର୍ଥୀ ତେଜସ୍ବୀ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତ୍ରୀ ରାବଡ଼ି ଦେବୀ, ଜନଶକ୍ତି ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଏବଂ ଆରଜେଡି ସାଂସଦ ମିଶା ଭାରତୀଙ୍କ ସମେତ ବହୁ ହାଇପ୍ରୋଫାଇଲ ରାଜନେତା ଏବଂ ପ୍ରାର୍ଥୀ। ଗୁରୁବାର ତଥା ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଚାଲିଥିବା ବେଳେ, ବୁଥ ଆଗରେ ଦେଖିବାକୁ ମିଳିଛି ମତଦାତାଙ୍କ ଲମ୍ବା ଧାଡ଼ି । ବିଜେପି, ଜେଡି(ୟୁ), ଆରଜେଡି ଏବଂ କଂଗ୍ରେସର ଅନେକ ହାଇପ୍ରୋଫାଇଲ୍ ଏବଂ ଚର୍ଚ୍ଚିତ ନେତାଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ ହେଉଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ । ଯାହାପରେ ନଭେମ୍ବର ୧୪ରେ ଭୋଟ ଗଣତି ସହିତ ପ୍ରକାଶ ପାଇବ ଫଳାଫଳ। ପ୍ରଥମ ପର୍ଯ୍ୟାୟରେ ମୋଟ ୧,୩୧୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଯେଉଁଥିରେ ୧,୧୯୧ ପୁରୁଷ, ୧୨୨ ମହିଳା ଏବଂ ୧ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ ଅଛନ୍ତି । ଅଧିକାଂଶ ପ୍ରାର୍ଥୀ ୪୧-୬୦ ବର୍ଷ ବୟସ ସୀମା ମଧ୍ୟରେ ରହିଥିବା ବେଳେ ୨୫-୩୦ ବର୍ଷ ବୟସ ମଧ୍ୟରେ ଅନେକ ଯୁବ ପ୍ରତିଯୋଗୀ ମଧ୍ୟ ଅଛନ୍ତି ।
