ନୂଆଦିଲ୍ଲୀ: ବିହାରର ବାଙ୍କାରେ ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି । ଏକ ନିର୍ବାଚନୀ ରାଲିରେ ରାଜନାଥ କହିଛନ୍ତି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଶସ୍ତ୍ର ବାହିନୀରେ ସଂରକ୍ଷଣ ଦାବି କରି ଦେଶରେ ଅରାଜକତା ଆଣିବାକୁ ଚେଷ୍ଟା କରୁଛନ୍ତି । ବିହାରର ଜାମୁଇ ଜିଲ୍ଲାରେ ଏକ ସାଧାରଣ ରାଲିକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି, ‘ରାହୁଲ ଗାନ୍ଧୀଙ୍କୁ କ’ଣ ହୋଇଛି ? ସେ ପ୍ରତିରକ୍ଷା ବାହିନୀରେ ସଂରକ୍ଷଣ ପ୍ରସଙ୍ଗ ଉଠାଉଛନ୍ତି। ସେ ଦେଶରେ ଅରାଜକତା ପ୍ରସାର କରିବାକୁ ଚେଷ୍ଟା କରୁଛନ୍ତି। ଆମର ସଶସ୍ତ୍ର ବାହିନୀ ଏସବୁଠାରୁ ଊର୍ଦ୍ଧ୍ୱରେ।’
ବିହାରରେ ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀଙ୍କ ମାଛ ଧରିବା ପ୍ରସଙ୍ଗ ଉପରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ ନେତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ, ତେଣୁ ତାଙ୍କୁ ପୋଖରୀକୁ ଡେଇଁ ପଡ଼ିବାକୁ ପଡିଲା। ରାହୁଲ ଗାନ୍ଧୀ ବୁଝିବା ଉଚିତ ଯେ, ଦେଶ ଚଳାଇବା ପିଲାଙ୍କ ଖେଳ ନୁହେଁ । ସେହିଭଳି ରାଜନାଥ ସିଂହ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ କରାଯାଇଥିବା ପ୍ରତିଆକ୍ରମଣ ଅପରେସନ ସିନ୍ଦୁରର ସଫଳତା ପାଇଁ ସେ ସଶସ୍ତ୍ର ବାହିନୀର ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଅପରେସନ ସିନ୍ଦୁର ରୋକାଯାଇଛି, ବନ୍ଦ ହୋଇନାହିଁ । ଯଦି ଆତଙ୍କବାଦୀମାନେ ପୁଣି ଥରେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରନ୍ତି, ତେବେ ଆମେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଭାରତ କାହାକୁ ଉସୁକାଏ ନାହିଁ, କିନ୍ତୁ ଯଦି କେହି ଆମକୁ ଉସୁକାଏ, ତେବେ ଆମେ ସେମାନଙ୍କୁ ଛାଡ଼ିବୁ ନାହିଁ।’
ପ୍ରତିରକ୍ଷା ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ଶାସନ ସମୟରେ ଲୋକଙ୍କୁ ଭୟଭୀତ କରାଯାଇଥିଲା। କଂଗ୍ରେସ କେବେ ଚାହିଁନଥିଲା ଯେ, ସୀମାନ୍ତ ଅଞ୍ଚଳରେ ଭଲ ରାସ୍ତା ନିର୍ମାଣ ହେଉ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ଗୋଟିଏ ବି ଦୁର୍ନୀତି ମାମଲା ନାହିଁ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ଏନଡିଏ ସପକ୍ଷରେ ସ୍ପଷ୍ଟ ଲହର ରହିଛି। ଆମେ ଦୁଇ-ତୃତୀୟାଂଶ ବହୁମତ ସହିତ ପରବର୍ତ୍ତୀ ସରକାର ଗଠନ କରିବୁ। ଏନଡିଏ କେବେ ଜାତି, ଧର୍ମ କିମ୍ବା ସମ୍ପ୍ରଦାୟ ଆଧାରରେ ଭେଦଭାବ କରେ ନାହିଁ ଏବଂ ମେଣ୍ଟର ଏକମାତ୍ର ଲକ୍ଷ୍ୟ ହେଉଛି ବିହାରକୁ ବିକଶିତ କରିବା। ରାଷ୍ଟ୍ରୀୟ ଜନତା ଦଳର ନେତାମାନେ ଲୋକଙ୍କୁ ଭୟଭୀତ କରିଥିଲେ ଏବଂ ବିହାରର ବିକାଶ ପାଇଁ କେବେ କାମ କରିନଥିଲେ ବୋଲି ରାଜନାଥ ସିଂହ ଅଭିଯୋଗ କରିଛନ୍ତି ।
