ନୂଆପଡା,୩୦।୧୦: ନୂଆପଡ଼ାରେ ଆଜିଠୁ ହୋମ୍ ଭୋଟିଂ । ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୨ ଯାଏଁ ଚାଲିବ ଏହି ପ୍ରକ୍ରିୟା । ଏଥିପାଇଁ ୧୫ଟି ପୋଲିଂ ଦଳ ନିଯୁକ୍ତ ହୋଇଛନ୍ତି l ପ୍ରତି ଦଳରେ ୨ଜଣ ପୋଲିଂ ଅଫିସର୍, ଜଣେ ମାଇକ୍ରୋ ନିରୀକ୍ଷକ, ଜଣେ ସୁରକ୍ଷା ଅଧିକାରୀ ଏବଂ ଜଣେ ଭିଡିଓଗ୍ରାଫର ରହିଛନ୍ତି l ୮୫ ବର୍ଷରୁ ଉର୍ଦ୍ଧ୍ବ ଏବଂ ୪୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ଦିବ୍ୟାଙ୍ଗ ମତଦାତା ୨୫୧ଜଣ ଏହି ପ୍ରକ୍ରିୟାରେ ନିଜ ଘରେ ଥାଇ ଗୋପନୀୟ ଭାବରେ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ଏହି ଭୋଟ୍ ଦେବେ l ଭୋଟିଂ ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ଭିଡିଓଗ୍ରାଫି କରାଯିବ ବୋଲି ରିଟର୍ଣ୍ଣିଂ ଅଫିସର ସୁର୍ମି ସୋରେନ୍ ପ୍ରକାଶ କରିଛନ୍ତି l ଏହି ସୁବିଧାରୁ କେହି ଜଣେବି ଯୋଗ୍ୟ ମତଦାତା ଯେପରି ବଞ୍ଚିତ ନ ହୁଅନ୍ତି ତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଅନ୍ୟପଟେ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ସମସ୍ତ ୩୫୮ଟି ବୁଥ୍ ପାଇଁ ଭୋଟିଂ ମେସିନ ଓ ଭିଭିପାଟ୍ର କମିସନିଂ ଶେଷ ହୋଇଛି l ସ୍ଥାନୀୟ ନ୍ୟାସନାଲ କଲେଜରେ ଏଥିପାଇଁ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ପ୍ରକ୍ରିୟା ଚାଲିଥିଲା l ଏହା ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁ ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା l
