ଭୁବନେଶ୍ୱର, ୨୯/୧୦: ଆଜି ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ବୀର ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ । ତାଙ୍କର ଅତୁଳନୀୟ ବଳିଦାନ ସର୍ବଦା ଓଡ଼ିଶା ତଥା ସମଗ୍ର ଦେଶ ପାଇଁ ଗୌରବ ଓ ପ୍ରେରଣାର ଉତ୍ସ ହୋଇ ରହିବ । ଜୟୀ ରାଜଗୁରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ଶ୍ରେଷ୍ଠ ଓଡ଼ିଶା ଗଠନ ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା । ଜୟୀ ରାଜଗୁରୁ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଖୋର୍ଦ୍ଧାର ରାଜା ଗଜପତି ମୁକୁନ୍ଦ ଦେବ ଦ୍ୱିତୀୟଙ୍କ ରାଜଦରବାରରେ ରାଜକୀୟ ରାଜଗୁରୁ ହେବା ସହ ରାଜାଙ୍କ ସେନାବାହିନୀର ମୁଖ୍ୟ ସେନାପତି ଓ ରାଜାଙ୍କ ପ୍ରଶାସନିକ ପ୍ରତିନିଧି ମଧ୍ୟ ଥିଲେ । ଇଂରେଜମାନଙ୍କ ବିରୁଦ୍ଧରେ ସେ ଭାରତର ପ୍ରଥମ ଶହୀଦ ଭାବେ ପରିଚିତ । ସେ ୧୭୩୯ ମସିହା ଅକ୍ଟୋବର ମାସ ୨୯ ତାରିଖ (କାର୍ତ୍ତିକ ଶୁକ୍ଳ ଅଁଳା ନବମୀ) ଦିନ ପୁରୀ ଜିଲ୍ଲାର ହରେକୃଷ୍ଣପୁର ଗାଁର ଚାନ୍ଦ ରାଜଗୁରୁ ଓ ହୀରାମଣି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ଶୈଶବ ପରେ ସେ ପୁରୀର ସଂସ୍କୃତ ପଣ୍ଡିତମାନଙ୍କଠାରୁ ସଂସ୍କୃତ ଶିକ୍ଷା କରିଥିଲେ । ଛାତ୍ରାବସ୍ଥାରେ ଉତ୍କଳର ତତ୍କାଳୀନ ରାଜାମାନେ ତାଙ୍କୁ ନିଜର ମନ୍ତ୍ରୀ ଓ ଉପଦେଷ୍ଟା କରିବାପାଇଁ ଚେଷ୍ଟା କରୁଥିଲେ । ପିତା ଚାନ୍ଦ ରାଜଗୁରୁଙ୍କ ଅନ୍ତେ ୧୭୮୦ ମସିହାରେ ୪୧ ବର୍ଷ ବୟସରେ ଜୟୀ ରାଜଗୁରୁଙ୍କୁ ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବ ଦ୍ୱିତୀୟ ନିଜ ରାଜସଭାରେ ରାଜଗୁରୁ ତଥା ମନ୍ତ୍ରୀ ପଦରେ ନିଯୁକ୍ତ କରିଥିଲେ । ଏହା ପରଠାରୁ ସେ ଜୟୀ ରାଜଗୁରୁ ରୂପେ ପରିଚିତ ହେଲେ । ଦିବ୍ୟସିଂହ ଦେବଙ୍କ ଅନ୍ତେ ତାଙ୍କ ନାବାଳକ ପୁତ୍ର ମୁକୁନ୍ଦଦେବ ଦ୍ୱିତୀୟଙ୍କୁ ସିଂହାସନରେ ବସାଇ ସେ ୧୭୯୮ରେ ପ୍ରକୃତ ରାଜକାର୍ଯ୍ୟ ନିଜ ହାତକୁ ନେଇଥିଲେ ।
