ଭୁବନେଶ୍ୱର: ନୂଆପଡ଼ାରେ କମ୍ପୁଛି ପ୍ରଚାର। ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ନଭେମ୍ବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ନବୀନ ନୂଆପଡ଼ା ଯାଇ ବିଜେଡିର ପ୍ରଚାର ମଙ୍ଗ ଧରିବେ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ସେ ୩ରେ ଭୋଟ୍ ଭିକ୍ଷା କରିବେ। ବିଜେଡି ପାଇଁ ନୂଆପଡ଼ା ଉପନିର୍ବାଚନ ଅଗ୍ନି ପରୀକ୍ଷା ଛିଡ଼ା କରାଇଛି। ତେଣୁ ଦଳର ୧ ନମ୍ବର ଷ୍ଟାର ପ୍ରଚାରକ ନବୀନ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପୂରା ଦମ୍ ଲଗାଇ ଦେଇଛି । ଦଳର ବରିଷ୍ଠ ଓ ଯୁବ ନେତାମାନେ ନୂଆପଡ଼ାରେ ଡେରା ପକାଇଛନ୍ତି । ନବୀନ ମଇଦାନକୁ ଓହ୍ଲାଇବା ପରେ କର୍ମୀଙ୍କ ଭିତରେ ଉତ୍ସାହ ଆହୁରି ବଢ଼ିବ ବୋଲି ଦଳୀୟ ନେତାମାନେ ଆଶା ବାନ୍ଧିଛନ୍ତି। ଦଳୀୟ ସୂତ୍ର ଅନୁସାରେ, ନବୀନ ବିଜେଡି ପ୍ରାର୍ଥୀଙ୍କ ପାଇଁ ଦୁଇ ଥର ପ୍ରଚାର କରିବାକୁ ଯିବେ। ୩ ପରେ ୬ କିମ୍ବା ୭ରେ ନୂଆପଡ଼ା ଗସ୍ତରେ ଯାଇ ଭୋଟ୍ ପ୍ରଚାର କରିବାର କାର୍ଯ୍ୟସୂଚୀ ରହିଛି।
