ରାସଗୋବିନ୍ଦପୁର: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଗୋ-ମାଫିଆଙ୍କ ପ୍ରାଦୁର୍ଭାବ। କେତେବେଳେ ଗୋରୁ ଚାଲାଣ ହେଉଛି ତ ଆଉ କେତେବେଳେ ଗୋ ମାଂସ ଚାଲାଣ ହେଉଛି। ସୋମବାର ରାସଗୋବିନ୍ଦପୁର ଥାନା ଆଇଆଇସି ୧୬ ଗୋରୁଙ୍କୁ ଉଦ୍ଧାର କରିବାର ଦିନକ ପରେ ଗୋମାଂସ ଜବତ ହୋଇଛି। ରାସଗୋବିନ୍ଦପୁର ବଜାର ରାସ୍ତାରେ ଜଣେ ବୃଦ୍ଧ ଗୋ-ମାଂସ ବିକ୍ରି ପାଇଁ ନେଉଥିବା ବେଳେ ଗୋ-ରକ୍ଷକଙ୍କ ହାବୁଡ଼ରେ ପଡ଼ିଛନ୍ତି । ସୂଚନାନୁଯାୟୀ, ମଙ୍ଗଳବାର ଦିନ ପ୍ରାୟ ୧୧ଟା ବେଳେ ମୋରଡା ଥାନା ଅନ୍ତର୍ଗତ କୁକୁଡାପଦା ଗ୍ରାମର ସୁଦାମ ସୋରେନ (୭୦ ବର୍ଷ) ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ମହଲା ସାହିର ମୁନିର ନାମ ବ୍ୟକ୍ତିଙ୍କ ଠାରୁ ୧୦ କିଲୋ ଗୋ-ମାଂସ ନେଇ ମୋରଡା ଅଞ୍ଚଳକୁ ବିକ୍ରି ପାଇଁ ଆସୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଗୋ-ରକ୍ଷକମାନେ ରାସଗୋବିନ୍ଦପୁର ଛକରେ ତାଙ୍କୁ ଅଟକାଇ ଥିଲେ। ବୃଦ୍ଧଙ୍କୁ ଉତ୍ତମ ମଧ୍ୟମ ଦେବା ପରେ ସେ ସବୁ ସତ ଓଗାଳିଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଦାମଙ୍କୁ ଥାନାକୁ ଆଣି ପଚରାଉଚରା କରିଛି। ପ୍ରତି ମଙ୍ଗଳବାର ବସ୍ତା ଅଞ୍ଚଳର ମହଲା ସାହିର ମୁନିର ଘରୁ ୧୦ କିଲୋ ଗୋମାଂସ ନେଇ ମୋରଡ଼ା ଅଞ୍ଚଳରେ ଥିବା କୁକୁଡାପଦା, ଜିଆପାଳ, ସନ୍ନ୍ୟାସୀ ଆଦି ଗାଁରେ ଏହି ଗୋ ମାଂସ ବିକ୍ରି କରିଥାନ୍ତେ ବୋଲି ସୁଦାମ କହିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ବୃଦ୍ଧଙ୍କୁ ଅଟକ ରଖିଛି। ଏହି ଲିଙ୍କ୍ରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ପଚରାଉଚରା ଚାଲିଛି।
