ଭୁବନେଶ୍ୱର : ମହାରାଷ୍ଟ୍ରର ମୁମ୍ବାଇଠାରେ ଆୟୋଜିତ ମାରିଟାଇମ୍ ସପ୍ତାହ ୨୦୨୫ରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମାରିଟାଇମ୍ ସପ୍ତାହ ମଞ୍ଚରୁ ଓଡ଼ିଶା ଓ ବାଲିଯାତ୍ରାକୁ ଆସିବାକୁ ଦେଲେ ଆହ୍ୱାନ। ‘ଭାରତର ସାମୁଦ୍ରିକ ଐତିହ୍ୟ’ ବାବଦରେ ମତ ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ଓଡ଼ିଶା ବା ପ୍ରାଚୀନ କଳିଙ୍ଗର ସାଧବ ପୁଅମାନେ ବର୍ତ୍ତମାନର ଶ୍ରୀଲଙ୍କା, ଜାଭା, ସୁମତ୍ରା, ବାଲି, ଥାଇଲାଣ୍ଡ ଏବଂ ମିଆଁମାର ଆଦି ଦକ୍ଷିଣ ଏସିଆର ବିଭିନ୍ନ ସ୍ଥାନକୁ ବୋଇତ ଜରିଆରେ କେବଳ ସାମଗ୍ରୀ ନେଇ ଯାଉନଥିଲେ, ସେମାନେ ଭାରତ ତଥା ଓଡ଼ିଶା ମାଟିର ସଭ୍ୟତା ଓ ସଂସ୍କୃତିକୁ ସାଥିରେ ନେଇଯାଉଥିଲେ। ସେମାନେ ଓଡ଼ିଶା ମାଟିରୁ ବୁଦ୍ଧଙ୍କ ବିଚାର ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ସାଥିରେ ନେଇ ଏହିସବୁ ସ୍ଥାନରେ ପହଞ୍ଚାଇ ପାରିଥିଲେ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଧୁନିକ ଜାହଜ ନିର୍ମାଣର ବହୁ ବର୍ଷ ପୂର୍ବରୁ ଆମ ପୂର୍ବ ପିଢ଼ିମାନଙ୍କ ନୌଯାତ୍ରାର ସ୍ୱର୍ଣ୍ଣିମ ଇତିହାସ ଆମ ଗର୍ବ ଓ ଗୌରବ। ଏହି ପରମ୍ପରାର ସ୍ମୃତିଚାରଣ କରି ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ରୌପ୍ୟ ନଗରୀ କଟକଠାରେ ଆୟୋଜିତ ‘ବାଲିଯାତ୍ରା’ ଅବସରରେ ଓଡ଼ିଶା ଆସିବା ପାଇଁ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କଲି। ଏଥି ସହ ଶିମିଳିପାଳ, ଭିତରକନିକା, ଇକୋ ରିଟ୍ରିଟ୍, କୋଣାର୍କ ନୃତ୍ୟ ଉତ୍ସବ ଆଦି ବୁଲି ଆସି ତାର ସ୍ୱର୍ଣ୍ଣିମ ଇତିହାସକୁ ଜାଣିବା ସହ ତାର ଏକ ଅଂଶ ହେବା ଲାଗି ସମସ୍ତଙ୍କୁ ନିମନ୍ତ୍ରଣ ପୂର୍ବକ ଓଡ଼ିଶା ଆସିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଭାତୀ ପରିଡ଼ା ପୁଣି କହିଛନ୍ତି ଯେ, ମାରିଟାଇମ୍ ସପ୍ତାହ ୨୦୨୫ରେ ଓଡ଼ିଶାର ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ୫୦,୦୦୦ କୋଟି ଟଙ୍କାର ବିଭିନ୍ନ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପାରାଦ୍ୱୀପ ପୋର୍ଟ ଅଥରିଟି ଏବଂ ଓଡ଼ିଶା ମାରିଟାଇମ୍ ବୋର୍ଡ ଓଡ଼ିଶାରେ ଜାହାଜ ନିର୍ମାଣ କ୍ଲଷ୍ଟର୍, ଗଞ୍ଜାମ ଜିଲ୍ଲା ଚିକିଟିଠାରେ ବହୁଦା ସାଟେଲାଇଟ୍ ବନ୍ଦର ନିର୍ମାଣ, ପୁରୀରେ କ୍ରୁଜ୍ ଟର୍ମିନାଲ୍ ବିକାଶ, ମାରିଟାଇମ୍ ମ୍ୟୁଜିୟମ୍ ଓ ଲଜିଷ୍ଟିକ୍ ପାର୍କ ବିକାଶ ଆଦି ପ୍ରକଳ୍ପ ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଉପକୂଳ ପର୍ଯ୍ୟଟନ, ପରିବହନ ଏବଂ ସବୁଜ ଶକ୍ତି ଅଭିଯାନ ଆଦି କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ। ମାରିଟାଇମର ବିକାଶରେ ଓଡ଼ିଶା ପର୍ଯ୍ୟଟନର ଅଧିକ ବିକାଶ ହେବ।
