ନୂଆଦିଲ୍ଲ: ବଲିଉଡ ଅଭିନେତା ସଲମାନ ଖାନ ନିକଟରେ ସାଉଦି ଆରବରେ ଏକ ଶୋ’ ସମୟରେ ବେଲୁଚିସ୍ତାନକୁ ପାକିସ୍ତାନରୁ ଏକ ପୃଥକ ଦେଶ ଭାବରେ ବର୍ଣ୍ଣନା କରିଥିଲେ। ଯାହା ପଡ଼ୋଶୀ ଦେଶକୁ କ୍ରୋଧିତ କରିଛି। ଶାହବାଜ ସରକାର ସଲମାନ ଖାନଙ୍କୁ ଆତଙ୍କବାଦୀ ଘୋଷଣା କରିଥିବା ନେଇ ପାକିସ୍ତାନ ଗୃହ ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି।
ପାକିସ୍ତାନର ଗୃହ ମନ୍ତ୍ରଣାଳୟ ସଲମାନ ଖାନଙ୍କୁ ଚତୁର୍ଥ ସୂଚୀରେ ରଖିଛି, ଅର୍ଥାତ୍ ତାଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି। ଏହି ତାଲିକା ଆତଙ୍କବାଦ ବିରୋଧୀ ଆଇନ ଅଧୀନରେ ଆସେ ଏବଂ ଏଥିରେ ଥିବା ବ୍ୟକ୍ତିଙ୍କ ଉପରେ ପାକିସ୍ତାନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏ ସମ୍ପର୍କରେ ଏକ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି। ତଥାପି, ସଲମାନ ଖାନ କିମ୍ବା ତାଙ୍କ ପ୍ରତିନିଧିମାନଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ସାଉଦି ଆରବରେ ଜୟ ଫୋରମ୍ ୨୦୨୫ରେ ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଭାଷଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ସେ କହିଛନ୍ତି, “ଏମାନେ ବେଲୁଚିସ୍ତାନର ଲୋକ, ଆଫଗାନିସ୍ତାନର ଲୋକ, ପାକିସ୍ତାନର ଲୋକ, ସମସ୍ତେ ସାଉଦି ଆରବରେ କଠିନ ପରିଶ୍ରମ କରୁଛନ୍ତି।” ଏହି ବିବୃତ୍ତିରେ ସେ ପାକିସ୍ତାନଠାରୁ ପୃଥକ ଭାବରେ ବେଲୁଚିସ୍ତାନର ଉଲ୍ଲେଖ କରିଛନ୍ତି।ସଲମାନଙ୍କ ଏହି ବୟାନ ପାକିସ୍ତାନରେ ଅସନ୍ତୋଷ ସୃଷ୍ଟି କରିଛି, ଯେତେବେଳେ ବେଲୁଚିସ୍ତାନ ବିଚ୍ଛିନ୍ନତାବାଦୀ ନେତାମାନେ ଖୁସି ହୋଇ ତାଙ୍କୁ ଧନ୍ୟବାଦ ଦେଉଛନ୍ତି। ସଲମାନ ଜାଣିଶୁଣି ବାଲୁଚିସ୍ତାନକୁ ପାକିସ୍ତାନଠାରୁ ପୃଥକ କରିଥିଲେ କି ଅଜାଣତରେ ତାହା ସ୍ପଷ୍ଟ ହୋଇନାହିଁ। ବେଲୁଚିସ୍ତାନର ସ୍ୱାଧୀନତା ଦାବି କରୁଥିବା ନେତା ମୀର ୟାର ବାଲୁଚ୍ କହିଛନ୍ତି, “ଭାରତୀୟ ଫିଲ୍ମ ଷ୍ଟାର ସଲମାନ ଖାନଙ୍କ ସାଉଦି ଆରବରେ ବେଲୁଚିସ୍ତାନର ଉଲ୍ଲେଖ ୬୦ ନିୟୁତ ବେଲୁଚ୍ ନାଗରିକଙ୍କ ମନରେ ଆନନ୍ଦ ଆଣି ଦେଇଛି। ତେବେ ବେଲୁଚିସ୍ତାନରେ ବିଦ୍ରୋହର ମୁଖ୍ୟ କାରଣ ହେଉଛି ପାକିସ୍ତାନ ସରକାରଙ୍କ ଦ୍ୱାରା ଏହାର ଜନସଂଖ୍ୟା ପ୍ରତି ଭେଦଭାବ। ଏହି ପ୍ରଦେଶ ଖଣିଜ ସମ୍ପଦରେ ସମୃଦ୍ଧ, କିନ୍ତୁ ଆର୍ଥିକ ଦୃଷ୍ଟିରୁ ଏହା ପାକିସ୍ତାନର ସବୁଠାରୁ ପଛୁଆ ରାଜ୍ୟ।ପାକିସ୍ତାନ ବେଲୁଚିସ୍ତାନର ଗ୍ୱାଦର ବନ୍ଦରକୁ ଚୀନକୁ ହସ୍ତାନ୍ତର କରିଥିଲା, କିନ୍ତୁ ଏହି ପ୍ରକଳ୍ପ ବେଲୁଚିସ୍ତାନର ଲୋକମାନଙ୍କୁ କୌଣସି ଲାଭ ଦେଇନାହିଁ। ଏହି କାରଣରୁ ଏଠାରେ ଚୀନ୍ ପ୍ରକଳ୍ପ ବିରୋଧରେ ବାରମ୍ବାର ବିରୋଧ ପ୍ରଦର୍ଶନ ହେଉଛି। ଏଠାରେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର ନିର୍ମାଣ କାର୍ଯ୍ୟ ଚାଲିଛି, ଯେଉଁଠାରେ ପ୍ରାୟତଃ ଆକ୍ରମଣ ଘଟୁଛି।ଏହା ବ୍ୟତୀତ, ପାକିସ୍ତାନରେ ବାଲୁଚ୍ ବଂଶୋଦ୍ଭବ ଲୋକମାନେ ଭେଦଭାବର ସମ୍ମୁଖୀନ ହୁଅନ୍ତି, ମୁଖ୍ୟତଃ ପଞ୍ଜାବ ଅଞ୍ଚଳର ମୁସଲମାନମାନଙ୍କଠାରୁ। ପାକିସ୍ତାନୀ ସେନାରେ ମଧ୍ୟ ବାଲୁଚମାନଙ୍କୁ ଉଚ୍ଚ ପଦବୀରେ ନିଯୁକ୍ତ କରାଯାଏ ନାହିଁ, ଯାହା ଅସନ୍ତୋଷକୁ ଆହୁରି ବଢ଼ାଇଥାଏ।
