ନୂଆଦିଲ୍ଲୀ : ଫେଲ ହେଲା ସବୁଜ ବାଣ ଫୁଟାଇବା ମିଶନ । ନିୟମ ମାନିଲେ ନାହିଁ । ଖୁସି ପାଇଁ ମନଇଚ୍ଛା ବାଣ ଫୁଟାଇଲେ । ଏବେ ବାୟୁରେ ଭରିଛି ବିଷ । ଅଣନିଶ୍ୱାସୀ ହୋଇଛନ୍ତି ରାଜଧାନୀବାସୀ । ଦୀପାବଳି ପରେ ଦିଲ୍ଲୀରେ ୪ ବର୍ଷର ରେକର୍ଡ ଭାଙ୍ଗିଛି ବାୟୁ ପ୍ରଦୂଷଣ । ହାରାହାରି ପିଏମ୍ ୨.୫ ସ୍ତର ଅର୍ଥାତ ୬୭୫ ମାଇକ୍ରୋମିଟର ପ୍ରତି ଘନମିଟରରେ ପହଞ୍ଚିଛି । ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପରାମର୍ଶିତ ସୀମାର ପ୍ରାୟ ୧୦୦ ଗୁଣା ଅଧିକ । ସୁପ୍ରିମକୋର୍ଟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଗ୍ରୀନ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ । ରାତି ୮ଟାରୁ ୧୦ ଟା ପର୍ଯ୍ୟନ୍ତ ଫୁଟାଇବାକୁ ସମୟ ଧାର୍ଯ୍ୟ ହୋଇଥିଲା । ଲୋକଙ୍କ ଉତ୍ସାହ କିନ୍ତୁ ଏହି ସମୟ-ସୀମା ମାନିନାହିଁ । ଫଳରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ମାନ ଅତ୍ୟନ୍ତ ଗମ୍ଭୀର ସ୍ତରକୁ ଆସିଯାଇଛି । ଅନେକ ଅଞ୍ଚଳରେ କୁହୁଡ଼ି ପରି ପ୍ରଦୂଷଣର ଆସ୍ତର ଦେଖିବାକୁ ମିଳିଛି । ଯାହା ସୂଚାଇଛି ଯେ ନିର୍ଦ୍ଦେଶର ଅଣଦେଖା କରାଯାଇଛି । ୨୦୨୩ରେ ଦୀପାବଳୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ୨୧୮ ଏବଂ ୨୦୨୨ରେ ୩୧୨ ଥିଲା । ଏହା ସୂଚାଇଛି ଯେ ଗ୍ରୀନ ବାଣ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪ ବର୍ଷର ତଥ୍ୟ ସୂଚାଇଛି ଯେ ଦୀପାବଳୀ ୨୦୨୫ ସାମ୍ପ୍ରତିକ ସମୟରେ ସର୍ବାଧିକ ପ୍ରଦୂଷଣକାରୀ ମଧ୍ୟରୁ ଏକ ଥିଲା । ବାୟୁ ପ୍ରଦୂଷଣ ଶିଶୁ, ବୟସ୍କ ଓ ପୂର୍ବରୁ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଗ୍ରାପ ଷ୍ଟେଜ-୨ ଲାଗୁ, ସୁଧାର ଆସିବା ଆଶା- ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ ଅନୁସାରେ, ଗ୍ରାପ-୨ ଲାଗୁ ହୋଇଛି । ୧୪.୬ % ଯାନବାହାନ, ଗୋଟିଏ ପ୍ରତିଶତ ନଡ଼ା ଜାଳିବା ପାଇଁ ପ୍ରଦୂଷଣ ପାଇଁ ହୋଇଛି । ପୂର୍ବତନ ସିପିସିବି ଅଧିକାରୀଙ୍କ ଅନୁସାରେ ପବନର ବେଗ ବଢିଲେ ପ୍ରଦୂଷଣ ହ୍ରାସ ପାଇଁବା ଆଶା କରାଯାଉଛି । ପୂର୍ବ ବର୍ଷ ରେକର୍ଡ ତୁଳନାରେ ୨୦୨୪ରେ ୩୩୦, ୨୦୨୩ରେ ୨୧୮, ୨୦୨୨ରେ ୩୧୨ ଏବଂ ୨୦୨୧ରେ ୩୮୨ ଅପେକ୍ଷା ଚଳିତବର୍ଷ ପ୍ରଦୂଷଣ ସ୍ତର ଅଧିକ ରହିଛି । ଦୀପାବଳି ରାତିରେ ପିଏମ୍ ସ୍ତର ୨.୫ ୬୭୫ ମାଇକ୍ରୋମିଟର ଘନ ମିଟର ଯାଏ ପହଞ୍ଚିଥିଲା ।
