ଭୁବନେଶ୍ବର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଖୁଲାସା । ବ୍ରହ୍ମପୁର ଏସପି ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛନ୍ତି । ହତ୍ୟାର ୧୬ଦିନ ପରେ ମର୍ଡର ମିଷ୍ଟ୍ରିର ପର୍ଦ୍ଦାଫସ୍ କରଛି ପୁଲିସ । ପୀତବାସ ପଣ୍ଡାଙ୍କୁ ମାରିବାକୁ ୫୦ ଲକ୍ଷ ଟଙ୍କାରେ ଡିଲ୍ ହୋଇଥିଲା । ଏଥିପାଇଁ ବିହାରରୁ ସାର୍ପସୁଟର ଆସିଥିଲେ । ଅଗ୍ରୀମ ବାବଦକୁ ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ନେଇଥିଲା । ତାଙ୍କୁ ଦୁଇଟି ବନ୍ଧୁକ ଏବଂ ନୂଆ ସାର୍ଟପ୍ୟାଣ୍ଟ ଦିଆଯାଇଥିଲା । ଗୋଟିଏ ଦେଶୀ ବନ୍ଧୁକରୁ ଫାୟାରିଂ ହୋଇଥିଲା । ସାର୍ପ ସୁଟର ଆଉ ଗୋଟିଏ ବିଦେଶୀ ବନ୍ଧୁକ ନିଜ ପାଖରେ ରଖିଥିଲେ । ଗୁଳିମାଡ଼ ପାଇଁ ସେପ୍ଟେମ୍ବର ୧୦ରୁ ୧୪ ପର୍ଯ୍ୟନ୍ତ ରେକି କରିଥିଲେ ସାର୍ପ ସୁଟର । ଏହା ପରେ କୁମାର ପୂର୍ଣ୍ଣିମା ରାତିରେ ମର୍ଡର ପ୍ଲଟ୍ ପ୍ରସ୍ତୁତ ହୋଇଥିଲା । ପ୍ରଥମ ଥର ଫେଲ୍ ମାରିବା ପରେ ପରବର୍ତ୍ତୀ ପ୍ରାୟସରେ ସଫଳ ହୋଇଥିଲେ ସାର୍ପ ସୁଟର । ୨୦୨୫ ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡା ଏସ୍ଏନ୍ଟି ରୋଡ଼ରେ ଥିବା ତାଙ୍କ ବ୍ୟକ୍ତିଗତ ଚାମ୍ବରରୁ ଫେରି ନୂଆ ବସ୍ଷ୍ଟାଣ୍ଡ୍ରେ ଥିବା ଭୂପତି ହୋଟେଲକୁ ଯାଇଥିଲେ । ସେଠାରୁ ଖାଦ୍ୟ ପାର୍ସଲ ନେଇ ଘରକୁ ଯାଉଥିବା ବେଳେ ରାତି ୯ଟା ୫୮ରେ ବୈକୁଣ୍ଠନଗର ବୁଲାଣିରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପଏଣ୍ଟ ବ୍ଲାଙ୍କରୁ ଫାୟରିଂ ହୋଇଥିଲା । ସାର୍ପ ସୁଟର ଚିଣ୍ଟୁ ପ୍ରଧାନ ଗାଡ଼ି ଚଳାଇଥିଲେ, କୁରୁପତି ଭୂୟାଁ ଗୁଳି ଚଳାଇଥିଲେ । ପୀତବାସ ପଣ୍ଡାଙ୍କୁ ହତ୍ୟା ପାଇଁ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ଷଡ଼ଯନ୍ତ୍ର ରଚିଥିଲେ । ଏହାକୁ ସଫଳ କରାଇଥିଲେ ଅଭିଯୁକ୍ତ ମଳୟ ବିଷୋୟୀ ଏବଂ ମଦନ ଦଳାଇ । ଏହି ହାଇ-ପ୍ରୋଫାଇଲ୍ ହତ୍ୟା ମାମଲାରେ ପୁଲିସ ବର୍ତ୍ତମାନା ସୁଦ୍ଧା ୧୨ଜଣଙ୍କୁ ଗରିଫ କରିଛି । ଏଥିରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳେଇ, ପୂର୍ବତନ ମେୟର ଶିବଶଙ୍କର ଦାଶ (ପିଣ୍ଟୁ), କାଳିଆ ଭୂୟାଁ, ଯୋଗୀ ରାଉତ, ରାଜେନ୍ଦ୍ର ସାହୁ, ଚିଣ୍ଟୁ ପ୍ରଧାନ ରହିଛନ୍ତି । ତେବେ ଏହି ଘଟଣା ଅଭିଯୁକ୍ତ କୁରୁପତି ଭୂୟାଁ ଏବଂ ଉମା ବିଷୋୟୀ ଏବଂ ଅନ୍ୟ ଜଣେ ଫେରାର୍ ରହିଛନ୍ତି । ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସପି ଶ୍ରବଣା ବିବେକ୍ ଏମ୍ ପ୍ରେସ୍ ମିଟ୍ କରି ସୂଚନା ଦେଇଛନ୍ତି । ବ୍ରହ୍ମପୁର ଏସପିଙ୍କ କହିବା ଅନୁଯାୟୀ, ସେପ୍ଟେମ୍ବର ୧୦ରୁ ୧୪ ଭିତରେ ପ୍ରଥମେ ହତ୍ୟା ଯୋଜନା ହୋଇଥିଲା । ଏଥିପାଇଁ ଆଣ୍ଟି ସୋସିଆଲ ଉମା ବିଷୋୟୀ ବିହାରରୁ ୪ଜଣ ସୁଟରଙ୍କୁ ଡକାଇଥିଲେ । ସେମାନଙ୍କୁ ଶୂନ୍ୟ ଚନ୍ଦ୍ର ଦାସଙ୍କ ଘରେ ଭଡ଼ାରେ ରଖାଯାଇଥିଲା । ସେମାନେ ମେଡିକାଲ କାମ ଆସିଛନ୍ତି ବୋଲି ମଳୟ ବିଷୋୟୀ କହିଥିଲେ । ମାତ୍ର ଶୂନ୍ୟ ଚନ୍ଦ୍ର ଦାସ ବିହାରରୁ ଆସିଥିବା ଲୋକଙ୍କୁ ସନ୍ଦେହ କରିଥିଲେ । ହେଲେ ମଳୟ କହିଥିବାରୁ ସେ କିଛି କହିପାରି ନ ଥିଲେ । ଅନ୍ୟପଟେ ବିହାରରୁ ଆସିଥିବା ସାର୍ପ ସୁଟର ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ମାରିବାରେ ସଫଳ ହୋଇ ପାରିନଥିଲେ । ମାତ୍ର ୨ ଶହ ମିଟର ଦୂରରେ ରହି ଫେରିଯାଇଥିଲେ । ଏହା ପରେ ସ୍ଥାନୀୟ ସାର୍ପ ସୁଟର ଦ୍ବାରା କୁମାର ପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରିଥିଲେ । ସବୁ ରେକି ପରେ ଅକ୍ଟୋବର ୬ତାରିଖରେ ମର୍ଡର ପ୍ଲାନ୍ କାର୍ଯ୍ୟକାରୀ ହୋଇଥିଲା । ଏଥିପାଇଁ ଚିଣ୍ଟୁ ପ୍ରଧାନ ବେଙ୍ଗାଲୁରୁରୁ ଆସିଥିଲେ । ଆଉ ତାଙ୍କ ସହିତ ଯୋଡ଼ି ହୋଇଥିଲେ କୁରୁପତି ଭୂୟାଁ । ଘଟଣା ଦିନ ନୂଆ ଡ୍ରେସ, ନୂଆ ଜୋତା ପିନ୍ଧି ବାଇକ୍ରେ ଆସିଥିଲେ ଏବଂ ପୀତବାସଙ୍କୁ ଅଟକାଇ ନମସ୍କାର କରିଥିଲେ । ଏହାପରେ ପଏଣ୍ଟ ବ୍ଲାଙ୍କ୍ ଦୂରରୁ କୁରୁପତି ଭୂୟାଁ ଗୁଳି ଚଳାଇଥିଲେ ଏବଂ ଚିଣ୍ଟୁ ପ୍ରଧାନ ଗାଡ଼ି ଡ୍ରାଇଭ୍ କରିଥିଲେ । ସେଠାରୁ ଫେରାର୍ ମାରିବା ପରେ ଶୀତଳାପଲ୍ଲୀରେ ଡ୍ରେସ୍ ବଦଳାଇଥିଲେ ସେଠାରୁ ପୁରୁଷୋତ୍ତମପୁର ଦେଇ ରାମେଶ୍ବରମରେ ପହଞ୍ଚିଥିଲେ । ସେଠାରୁ ପୁରୀ ଚାଲିଯାଇଥିଲା ।
