ନୂଆଦିଲ୍ଲୀ: ଚୀନ୍ ଉପରେ ଏକ ବଡ଼ ଆକ୍ରମଣ କରିଛି ଆମେରିକା। ଏହି ଆକ୍ରମଣରେ ଚୀନ୍ର ନ୍ୟାସନାଲ୍ ଟାଇମ୍ ସେଣ୍ଟରର ବହୁତ କ୍ଷତି ହୋଇଛି । ରବିବାର ଚୀନ୍ ଏହି ଆକ୍ରମଣ ପାଇଁ ଆମେରିକାର ଜାତୀୟ ସୁରକ୍ଷା ସଂସ୍ଥା (NSA)କୁ ଦାୟୀ କରିଛି। ବେଜିଂ ଅନୁଯାୟୀ, ଏହାର ନ୍ୟାସନାଲ୍ ଟାଇମ୍ ସେଣ୍ଟର୍ ଉପରେ ଏକ ବଡ଼ ସାଇବର୍ ଆକ୍ରମଣ କରାଯାଇଛି।
ଚୀନର କହିବା ଅନୁସାରେ, ଏହା ଆମେରିକାର ଏକ ସାଇବର୍ ଆକ୍ରମଣ ଥିଲା। ଚୀନ୍ ଅଭିଯୋଗ କରିଛି ଯେ, ଆମେରିକାର ଏହି ସାଇବର୍ ଆକ୍ରମଣ ଏହାର ନେଟୱାର୍କ ଯୋଗାଯୋଗ, ଆର୍ଥିକ ଏବଂ ବୈଦ୍ୟୁତିକ ବ୍ୟବସ୍ଥାକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି । ତଥାପି, ଚୀନ୍ର ସୁରକ୍ଷା ସଂସ୍ଥା ଗୁଡ଼ିକ ସତର୍କ ରହିଥିଲେ ଏବଂ କୌଣସି ବଡ଼ କ୍ଷତିକୁ ରୋକିଛନ୍ତି । ତେବେ ବର୍ତ୍ତମାନ ସମୟରେ ଚୀନ୍ର ଏହି ଅଭିଯୋଗ ଆମେରିକା ସହିତ ଉତ୍ତେଜନା ବୃଦ୍ଧି କରିବାର ସମ୍ଭାବନା ରହିଛି।
ଚୀନ୍ର ରାଷ୍ଟ୍ରୀୟ ସୁରକ୍ଷା ମନ୍ତ୍ରଣାଳୟ ଏକ WeChat ପୋଷ୍ଟରେ ଅଭିଯୋଗ କରିଛି ଯେ ଏକ ଆମେରିକୀୟ ସଂସ୍ଥା ୨୦୨୨ ମସିହାରେ ଏକ ବିଦେଶୀ ମୋବାଇଲ୍ ଫୋନ୍ ବ୍ରାଣ୍ଡର ମେସେଜିଂ ସେବାରେ ଦୁର୍ବଳତାର ଫାଇଦା ନେଇଥିଲା ଏବଂ ନ୍ୟାସନାଲ୍ ଟାଇମ୍ ସର୍ଭିସ୍ ସେଣ୍ଟର୍ର କର୍ମଚାରୀଙ୍କ ଡିଭାଇସ୍ରୁ ସମ୍ବେଦନଶୀଳ ସୂଚନା ଚୋରି କରିଥିଲା। ମନ୍ତ୍ରଣାଳୟ ବ୍ରାଣ୍ଡର ନାମ କହିନାହିଁ । ଏହା ବ୍ୟତୀତ, ଆମେରିକୀୟ ଏଜେନ୍ସି ୪୨ ପ୍ରକାରର “ବିଶେଷ ସାଇବର ଆକ୍ରମଣ ଅସ୍ତ୍ର” ବ୍ୟବହାର କରି କେନ୍ଦ୍ରର ବିଭିନ୍ନ ଆଭ୍ୟନ୍ତରୀଣ ନେଟୱାର୍କ ସିଷ୍ଟମକୁ ଟାର୍ଗେଟ କରିଥିଲା । ମନ୍ତ୍ରଣାଳୟ ଦାବି କରିଛି ଯେ, ଏହା ପାଖରେ ପ୍ରମାଣ ଅଛି, କିନ୍ତୁ ଏହାକୁ ପୋଷ୍ଟରେ ସେୟାର କରିନାହିଁ।
