ପୁରୀ: ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ୁଛି ସମୁଦ୍ର ସ୍ନାନ। ସମୁଦ୍ର ସ୍ନାନ ବେଳେ ବୁଡ଼ିଯାଇ ଅନେକ ଜୀବନ ଅକାଳରେ ଚାଲିଯାଉଛି । ଶ୍ରୀକ୍ଷେତ୍ରକୁ ଆସୁଥିବା ପର୍ଯ୍ୟଟକମାନେ ସମୁଦ୍ରସ୍ନାନ ବେଳର ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି । ହେଲେ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ପର୍ଯ୍ୟଟକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ପ୍ରଶାସନ ରିପୋର୍ଟକୁ ଅନୁଧ୍ୟାନ କଲେ ଚଳିତବର୍ଷ ୧୦ ମାସ ଭିତରେ ୮ଜଣଙ୍କ ଜୀବନ ଚାଲିଗଲାଣି । ୧୦ ବର୍ଷରେ ୭୧ ଜଣଙ୍କ ଜୀବନ ଗଲାଣି । ଏବେଠୁ ପ୍ରଶାସନ ସଜାଗ ନ ହେଲେ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । ପୁରୀ ଏକ ପର୍ଯ୍ୟଟନ ଓ ଧାର୍ମିକସ୍ଥଳ । ପ୍ରତିଦିନ ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ସମୁଦ୍ରରେ ସ୍ନାନ କରି ସ୍ୱର୍ଣ୍ଣାଭ ବେଳାଭୂମିର ମଜା ନେଇଥାନ୍ତି । ଦେଶରୁ ସମସ୍ତ ବେଳାଭୂମିଠାରୁ ପୁରୀ ବେଳାଭୂମି ଅନ୍ୟତମ । ସେଥିଲାଗି ବର୍ଷତମାମ ବେଳାଭୂମିରେ ୨୪ ଘଣ୍ଟା ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ । ହେଲେ ଏବେ ସମୁଦ୍ରସ୍ନାନ ବିପଦପୂର୍ଣ୍ଣ ହୋଇପଡ଼ିଛି । ସମୁଦ୍ରରେ ସ୍ନାନ କରୁଥିବାବେଳେ କେତେବେଳେ ପର୍ଯ୍ୟଟକଙ୍କ ଗୋଡ ଭାଙ୍ଗୁଛି ତ ଅନ୍ୟ କେତେକ ବୁଡ଼ି ମରୁଛନ୍ତି । ପ୍ରଶାସନଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ ମୋଟ ୭୧ ଜଣ ପର୍ଯ୍ୟଟକଙ୍କର ସମୁଦ୍ରରେ ବୁଡ଼ି ମୃତ୍ୟୁ ଘଟିଛି । ୨୦୧୫ରେ ୧୧ ଜଣ, ୨୦୧୬ରେ ୧୨, ୨୦୧୭ରେ ୭, ୨୦୧୮ରେ ୮, ୨୦୧୯ରେ ୪ଜଣଙ୍କର ସମୁଦ୍ରରେ ବୁଡ଼ି ମୃତ୍ୟୁ ଘଟିଛି । ୨୦୨୦ରେ ୨ଜଣ, ୨୦୨୧ରେ ଜଣେ, ୨୦୨୨ରେ ୬, ୨୦୨୩ରେ ୬, ୨୦୨୪ରେ ୬, ୨୦୨୫ ମସିହା ଅକ୍ଟୋବର ୧୮ ତାରିଖ ସୁଦ୍ଧା ୯ଜଣଙ୍କ ପ୍ରାଣଯାଇଛି । ସେହିଭଳି ଗତ ୪ ବର୍ଷରେ ୧୧୬୦ଜଣଙ୍କୁ ସମୁଦ୍ରରେ ବୁଡ଼ି ଯାଉଥିବାବେଳେ ମୃତ୍ୟୁମୁଖରୁ ଉଦ୍ଧାର କରାଯାଇଛି । ପେଣ୍ଠକଟାଠାରୁ ଷ୍ଟର୍ଲିଂ ଛକ ପର୍ଯ୍ୟନ୍ତ ଦୀର୍ଘ ୮କିଲୋମିଟର ବେଳାଭୂମିକୁ ୧୬ଟି ସେକ୍ଟର ଅଞ୍ଚଳ ଭାବେ ଭାଗ କରାଯାଉଛି । ଏଥିଲାଗି ଅଗ୍ନିଶମ ବିଭାଗ ପକ୍ଷରୁ ୯୭ଜଣ ଲାଇଫଗାର୍ଡଙ୍କୁ ମୁତୟନ କରାଯାଇଥିବା ଅଗ୍ନିଶମ ଅଧିକାରୀ ଜିଜ୍ଞାସୁ ବେହେରା କହିଛନ୍ତି । ତାଙ୍କ କହିବାନୁଯାୟୀ, ଲାଇଫଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସମୁଦ୍ର ଅଶାନ୍ତ ସମୟରେ ପର୍ଯ୍ୟଟକଙ୍କୁ ବାରଣ କରାଯାଉଥିଲେ ସୁଦ୍ଧା କିଛି ପର୍ଯ୍ୟଟକ ଶୁଣୁନାହାନ୍ତି । ଏପରିକି ସେମାନେ ଲାଇଫଗାର୍ଡଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । କିଛି ପର୍ଯ୍ୟଟକ ମଦ୍ୟପାନ କରି ସମୁଦ୍ରରେ ସ୍ନାନ କରି ଅଘଟଣର ଶିକାର ହେଉଛନ୍ତି । ସେହିଭଳି ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ କୁହନ୍ତି, ପୁରୀର ବେଳାଭୂମି ଦେଶବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ । ସେଥିଲାଗି ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଛି । ପର୍ଯ୍ୟଟକଙ୍କୁ କେଉଁ ଅଞ୍ଚଳରେ ସ୍ନାନ କରିବା ଓ କେଉଁଠାରେ ନକରିବା ସେନେଇ ପର୍ଯ୍ୟଟକଙ୍କୁ ବିଭିନ୍ନ ଭାଷାରେ ସୂଚନା ଫଳକ ଜରିଆରେ ଅବଗତ କରାଯିବା କଥା । ଯେଉଁ ଅଞ୍ଚଳ ବିପଦପୂର୍ଣ୍ଣ ସେହି ଅଞ୍ଚଳକୁ ରେଡ୍ ଜୋନ ଭାବେ ଘୋଷଣା କରାଯିବା ଆବଶ୍ୟକ । ଫଳରେ ପର୍ଯ୍ୟଟକମାନେ ସଚେତନ ହୋଇପାରିବେ । ଏହାଦ୍ୱାରା ମୃତ୍ୟୁ ସଂଖ୍ୟା ହ୍ରାସ ହୋଇପାରିବ । ବେଳାଭୂମିରେ ଏକ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ରହିବା ଆବଶ୍ୟକ । ହଠାତ୍ କୌଣସି ପର୍ଯ୍ୟଟକ ଆହତ ହେଲେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ପହଞ୍ଚାଯାଇପାରନ୍ତା । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କୁହନ୍ତି, ସମୁଦ୍ର ସ୍ନାନବେଳେ ଅଘଟଣ ଘଟି ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛୁ । ଏନେଇ ମଧ୍ୟ ପ୍ରଶାସନିକ ସ୍ତରରେ ବୈଠକ ହୋଇଛି । କେଉଁ ସ୍ଥାନରେ ଲାଇଫଗାର୍ଡ ମୁତୟନ ରହିବେ ଓ ସମୁଦ୍ର ଉପରେ ତୀଷ୍ନ ନଜର ରଖିବେ ସେ ନେଇ ଏକ ଯୋଜନା କରାଯାଉଛି । ସର୍ଭେ କରାଯିବା ପରେ କେଉଁ ଅଞ୍ଚଳକୁ ନୋ ବାଥିଂ ଜୋନ୍ ଘୋଷଣା କରାଯିବ ସେ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ । ସେହିଭଳି ଲାଇଫଗାର୍ଡମାନଙ୍କୁ ଅଧିକ ତାଲିମ ଦିଆଯିବା ସହ ପର୍ଯ୍ୟଟକମାନଙ୍କୁ ନିଶା ସେବନ କରି ସ୍ନାନ ନ କରିବା ଲାଗି ସଚେତନତା କରାଯିବ । ଲାଇଫଗାର୍ଡମାନଙ୍କୁ ଆଗାମୀ ଦିନରେ ଆଧୁନିକ ଉପକରଣ ଯୋଗାଇବା ଲାଗି ବ୍ୟବସ୍ଥା କରାଯିବ ।
