ନୂଆଦିଲ୍ଲୀ: ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ବର୍ଷ ବର୍ଷ ଧରି ଲାଗି ରହିଥିବା ଟ୍ରାଫିକ୍ ଜାମ୍ ଯୋଗୁଁ ଭାସାଇ (ପୂର୍ବ)ର ବାସିନ୍ଦାମାନେ ଏକ ଆଶ୍ଚର୍ଯ୍ୟଜନକ ପ୍ରତିବାଦର ଆଶ୍ରୟ ନେଇଛନ୍ତି। ସେଠାକାର ସ୍ଥାନିୟ ଜନତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତ୍ମହତ୍ୟା କରି ମରିବା ପାଇଁ ଅନୁମତି ମାଗି ଚିଠି ପଠାଇଛନ୍ତି। ଅଭିଯାନର ପ୍ରଥମ ଦିନରେ ଶହେରୁ ଅଧିକ ଚିଠି ପୋଷ୍ଟ କରାଯାଇଛି, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢ଼ୁଥିବା କ୍ରୋଧ ଏବଂ ହତାଶାକୁ ପ୍ରତିଫଳିତ କରିଛି। ସୂଚନା ମୁତାବକ, ଗୁରୁବାର ସକାଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଚିଠି ପଠାଇବାକୁ ସାସୁଂଘର ପୋଷ୍ଟ ଅଫିସରେ ସ୍ଥାନୀୟ ଲୋକମାନେ ଏକାଠି ହୋଇଥିଲେ। “ହତାଶାର କ୍ରନ୍ଦନ” ଭାବରେ ବର୍ଣ୍ଣିତ ଏହି ଚିଠିଗୁଡ଼ିକରେ ଟ୍ରାଫିକ୍ ପରିସ୍ଥିତି ପ୍ରତି ତୁରନ୍ତ ଧ୍ୟାନ ଦେବାକୁ ସେମାନେ ଦାବି କରିଥିଲେ। ଯଦି ସରକାର ପ୍ରକୃତରେ ସେମାନଙ୍କ ଜୀବନକୁ ସୁରକ୍ଷା ଦେବାକୁ ଚାହାଁନ୍ତି, ତେବେ ପ୍ରଥମେ ସର୍ଭିସ୍ ରୋଡ୍ ସମାପ୍ତ କରିବା ସହ ରାଜପଥରେ ଟ୍ରାଫିକ୍ ନିୟନ୍ତ୍ରଣକୁ ସୁଦୃଢ଼ କରିବାକୁ ପଡିବ ବୋଲି ସେମାନେ ଦାବି କରିଛନ୍ତି।
ସାସୁଂଘର, ମାଲଜିପଡ଼ା, ସାସୁପଡ଼ା, ବୋବଟପଡ଼ା ଏବଂ ପଥରପଡ଼ା ପରି ଅଞ୍ଚଳ ଦେଇ ଯାଇଥିବା ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥ ହଜାର ହଜାର ଯାତ୍ରୀଙ୍କ ପାଇଁ ଏକ ନିତିଦିନିଆ ଦୁଃସ୍ୱପ୍ନ ପାଲଟିଛି। ଏହି ରାସ୍ତାରେ ସୃଷ୍ଟି ହୋଇଥିବା ଗର୍ତ୍ତ, ଅନିୟନ୍ତ୍ରିତ ଟ୍ରାଫିକ୍ ଏବଂ ଖରାପ ରାସ୍ତା ପରିଚାଳନା ସ୍ଥାନୀୟ ଲୋକମାନଙ୍କ ଦୈନନ୍ଦିନ ଯାତ୍ରା କଷ୍ଟକର ହୋଇପଡିଛି। ଖାଦ୍ୟ, ଚିକିତ୍ସା ଏବଂ ଶିକ୍ଷା ଭଳି ଅତ୍ୟାବଶ୍ୟକ ଆବଶ୍ୟକତା ପାଇଁ ବାସିନ୍ଦାମାନେ ଥାନେ, କାଶିମିରା, ଭାସାଇ ଏବଂ ନାଇଗାଓଁକୁ ଯିବା ପାଇଁ ଏହି ରାଜପଥ ଉପରେ ନିର୍ଭର କରନ୍ତି। ତେବେ ଏହି ରାସ୍ତାରେ ଦେଖାଯାଉଥିବା ନିତିଦିନିଆ ଭିଡ଼ ଦୈନନ୍ଦିନ ଜୀବନକୁ ଠପ୍ କରିଦେଇଛି। ଗ୍ରାମବାସୀମାନେ କହିଛନ୍ତି ଯେ ସେମାନେ ଏନେଇ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବା ସହ ପ୍ରତିବାଦ ମଧ୍ୟ କରିଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ସେମାନଙ୍କ ସମସ୍ୟାକୁ କମ କରିବା ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ପାରିନାହିଁ। ଜଣେ ସ୍ଥାନୀୟ ନାଗରିକ ଏନେଇ କହିଛନ୍ତି ଯେ, “ଆମେ ଆମ ଚିଠିରେ ଲେଖିଛୁ ଯେ କାହିଁକି ଆମକୁ ଆତ୍ମହତ୍ୟା କରି ମରିବାକୁ ବାଧ୍ୟ କରାଯାଉଛି। ଅଧିକାରୀମାନେ ଆମର ଅଭିଯୋଗକୁ ଅଣଦେଖା କରନ୍ତି, କେହି ରାସ୍ତା ଯାଞ୍ଚ କରନ୍ତି ନାହିଁ, ଏବଂ ଆମର କୌଣସି ପ୍ରତିବାଦକୁ ଖାତିର କରନ୍ତି ନାହିଁ। ଆମେ ଏବେ କ’ଣ କରିବା ଉଚିତ? ଯଦି ସରକାର ଆମ ବିଷୟରେ ଚିନ୍ତା କରନ୍ତି ନାହିଁ, ତେବେ ଆମକୁ ଶାନ୍ତିରେ ମରିବାକୁ ଦିଅନ୍ତୁ”। ଆପଣଙ୍କୁ ଜଣାଇରଖୁ ଯେ, ଏହି ରାଜପଥ ଉପରେ ଗତ ୨୦୧୪ ମସିହାଠୁ ଜାରି ରହିଥିବା ଭର୍ସୋଭା ପୋଲ ନିର୍ମାଣ ପାଇଁ ଲଗାତାର ଟ୍ରାଫିକ ଜାମ ଲାଗିରହୁଛି। ଏହାସହ ନିକଟରେ ଗାଇମୁଖ ଘାଟର ନିର୍ମାଣ କାମ ଚାଲି ଥିବାରୁ ଏହି ଭିଡ ଅନିୟନ୍ତ୍ରିତ ହୋଇପଡିଛି। ଯେଉଁଥିପାଇଁ ସ୍ଥାନିୟ ଅଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।
