ଭୁବନେଶ୍ବର : ଅକ୍ଟୋବରରେ ବାତ୍ୟା ଭୟ। ଆସୁଛି ଆଉ ଏକ ଲଘୁଚାପ। ୨୩ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ନେବ ଅବପାତ ରୂପ। ତେବେ ଏହା କେଉଁ ଆଡ଼କୁ ଗତି କରିବ ସ୍ପଷ୍ଟ ହୋଇନାହିଁ । ଏପଟେ ମତ୍ସ୍ୟଜୀବୀଙ୍କୁ ୨୧ରୁ ସମୁଦ୍ରକୁ ନ ଯିବାକୁ ବାରଣ କରାଯାଇଛି। ଏହି ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨୧ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ୨୩ତାରିଖ ସୁଦ୍ଧା ଘନୀଭୂତ ହୋଇ ଅବପାତ ରୂପ ନେଇ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ରହିବ। ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଏହା କେତେ ଘନୀଭୂତ ହେବ ସେ ନେଇ ପୂର୍ବାନୁମାନ କରାଯିବ। ଅବପାତ ପର୍ଯ୍ୟନ୍ତ ଏହି ଲଘୁଚାପ ପରିଣତ ହେବାକୁ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ କି ନାହିଁ ବର୍ତ୍ତମାନ ଜଣାପଡୁନି। ଏପଟେ କିନ୍ତୁ ୨୧ତାରିଖରୁ ଦକ୍ଷିଣ ବଙ୍ଗୋପସାଗର ପଟକୁ ମତ୍ସ୍ୟଜୀବୀ ନ ଯିବାକୁ ବିଭାଗ ବାରଣ କରିଛି। ଅକ୍ଟୋବର ମାସରେ ରାଜ୍ୟରେ ବାତ୍ୟା ଭୟ ରହି ଆସିଛି । ବିଗତ ବର୍ଷମାନଙ୍କରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଅକ୍ଟୋବରରେ ଓଡ଼ିଶାରେ ବାତ୍ୟା ହୋଇଥିବା ରେକର୍ଡ଼ ରହିଛି । ୧୯୯୯ସୁପର ସାଇକ୍ଲୋନ ୨୯ଅକ୍ଟୋବରରେ ହୋଇଥିଲା । ତେବେ ସୁପର ସାଇକ୍ଲୋନ ପୂର୍ବରୁ ୧୯୭୧ମସିହାରେ ଅକ୍ଟୋବର ୨୬ରୁ ୩୦ପର୍ଯ୍ୟନ୍ତ ସାଇକ୍ଲୋନ ବା ବାତ୍ୟା ହୋଇଥିବା ଜଣା ପଡ଼ିଛି। ୧୯୯୯ରେ ୨୦୧୩ରେ ଫାଇଲିନ ଅକ୍ଟୋବର ୧୨ରେ ହୋଇଛି । ୨୦୧୪ରେ ହୁଦ ହୁଦ ମଧ୍ୟ ଅକ୍ଟୋବର ମାସରେ ହୋଇଥିଲା । ଏହାପରେ ୨୦୨୪ରେ ବାତ୍ୟା ଦାନା ମଧ୍ୟ ଏହି ମାସରେ ହୋଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ କ୍ଷତି କରିଛି । ଏ ବର୍ଷ ମୌସୁମୀ ପ୍ରତ୍ୟବର୍ଣ ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ବାତ୍ୟା ଆଶଙ୍କାକୁ ଆଣି ଦେଇଛି । ମୌସୁମୀ ଫେରିବା ପରେ ସମୁଦ୍ରର ତାପମାତ୍ରା ବୃଦ୍ଧି ପାଉଥିବାରୁ ବାଷ୍ଫୀକରଣ ହେଉଛି। ଯାହା ଶକ୍ତି ଯୋଗାଏ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବା ପାଇଁ । ଅଧିକ ଶକ୍ତି ସ ଗ୍ରହ ହେଲେ ତାହା ବାତ୍ୟାର ରୂପ ନିଏ ବୋଲି ପରିବେଶବିତ କହିଛନ୍ତି । ତେବେ ଓଡିଶା ଉପକୂଳ ଅଞ୍ଚଳ ରହିଛି। ସମତଳ ଥିବାରୁ ଅଧିକ ବାତ୍ୟାରୁ ସମ୍ମୁଖୀନ ହେଉଥିବା ପରିବେଶବିତ କହିଛନ୍ତି । ମୌସୁମୀ ପୂର୍ବରୁ ଓ ମୌସୁମୀ ପରେ ବାତ୍ୟା ଆଶଙ୍କା ଅଧିକ ହୋଇଥାଏ । ତେବେ ଅକ୍ଟୋବର ଓ ନଭେମ୍ବରରେ ବାତ୍ୟା ଆଶଙ୍କା ଅଧିକ ଥିବା ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି।
