ନୂଆଦିଲ୍ଲୀ:ଓଡ଼ିଶାରେ ବିଜେପି ସରକାର ଆସିବା ପରେ ପ୍ରଥମ ଥର ପାଇଁ ମହାନଦୀ ଜଳ ବିବାଦର ଆପୋସ ସମାଧାନ ଲାଗି ରାଜ୍ୟ ଓ ଛତିଶଗଡ ମଧ୍ୟରେ କଥାବାର୍ତ୍ତାରେ ଅଗ୍ରଗତି ଘଟିଛି । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଶନିବାର ଅନୁଷ୍ଠିତ ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ଏଜି ପୀତାମ୍ବର ଆଚାର୍ଯ୍ୟ ଏହା କହିଛନ୍ତି । ସେ କହିଛନ୍ତି, ଏହି ବିବାଦର ଆପୋସ ସମାଧାନ ଲାଗି ଗଠିତ ଉଭୟ ରାଜ୍ୟର ଯୁଗ୍ମ ବୈଷୟିକ ଟିମ୍ ଓଡ଼ିଶାର ତେଲ ସବ୍-ବେସିନ ଏବଂ ଛତିଶଗଡର ଇବ ସବ୍-ବେସିନ ୧୯୮୩ ଚୁକ୍ତିନାମା ଅନୁଯାୟୀ ଦୁଇ ଦୁଇଟି ପ୍ରକଳ୍ପ ନିର୍ମାଣ କରିବା ଲାଗି ସହମତି ପ୍ରଦାନ କରିଛନ୍ତି । ପ୍ରଥମ ଥର ପାଇଁ ଦୁଇ ରାଜ୍ୟଙ୍କ ମଧ୍ୟରେ ଏଭଳି ଅଗ୍ରଗତି ଘଟିଛି । ଏହାଦ୍ୱାରା ବହୁ ବର୍ଷ ଧରି ଲାଗିରହିଥିବା ମହାନଦୀ ଜଳ ବିବାଦ ସମାଧାନର ରସ୍ତା ସୁଗମ ହୋଇଛି ବୋଲି ସେ ଦର୍ଶାଇଛନ୍ତି ।
ଏହି ଯୁଗ୍ମ ଟିମ୍ର ରିପୋର୍ଟକୁ ଉଭୟ ରାଜ୍ୟଙ୍କ ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ବିଭାଗ ସଚିବଙ୍କ ମଧ୍ୟରେ ହେବାକୁ ଥିବା ଏକ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ପାଇଁ ଉପସ୍ଥାପନ କରାଯିବ । ଆସନ୍ତା ଅକ୍ଟୋବର ୨୮ରେ ଉଭୟ ରାଜ୍ୟର ଯୁଗ୍ମ ବୈଷୟିକ କମିଟିର ବୈଠକ ପୁଣି ଥରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ସେ ଆଶାପ୍ରକାଶ କରିଥିଲେ ଯେ, ଦୁଇ ରାଜ୍ୟଙ୍କ ମଧ୍ୟରେ ଯେଉଁ ବିବାଦ ରହିଛି ତାହାର ରାସ୍ତା ଧୀରେ ଧୀରେ ପରିଷ୍କାର ହେବ । ଟ୍ରିବ୍ୟୁନାଲ ଏହା ଶୁଣିଲା ପରେ ଆସନ୍ତା ନଭେମ୍ବର ୧୫ ପର୍ଯ୍ୟନ୍ତ ଏହି ଶୁଣାଣିକୁ ସ୍ଥଗିତ କରିଥିଲେ । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ବିଚାରପତି ବେଲା ଏମ୍ ତ୍ରିବେଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ଏଜି ଶ୍ରୀ ଆଚାର୍ଯ୍ୟ ଉଭୟ ରାଜ୍ୟ ମଧ୍ୟରେ ଏହି ବିବାଦର ସମାଧାନ ଲାଗି ଏପର୍ଯ୍ୟନ୍ତ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ପ୍ରସଙ୍ଗରେ ବିବରଣୀ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ, ଓଡ଼ିଶା ଓ ଛତିଶଗଡର ମୁଖ୍ୟ ଶାସନ ସଚିବ ଓ ଜଳସମ୍ପଦ ସଚିବଙ୍କ ଏକ ବୈଠକ ଅଗଷ୍ଟ ୩୦ରେ ଅନୁଷ୍ଠିତ ହୋଇଥିଲା ।
ସେମାନଙ୍କ ନିଷ୍ପତ୍ତି ଅନୁଯାୟୀ ଉଭୟ ରାଜ୍ୟର ଇଞ୍ଜିନିୟର-ଇନ୍-ଚିଫ୍ଙ୍କୁ ନେଇ ବିଭିନ୍ନ ବୈଷୟିକ ମାମଲା ପ୍ରସଙ୍ଗରେ ୫-ଜଣିଆ ବୈଷୟିକ କମିଟି ଗଠନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ୪ ଥର ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇସାରିଛି । ପରବର୍ତ୍ତୀ ବୈଠକ ଆସନ୍ତା ଅକ୍ଟୋବର ୨୮ରେ ନୂଆଦିଲ୍ଲୀରେ ହେବ । ବୈଷୟିକ କମିଟିର ନିଷ୍ପତ୍ତି ଅନୁଯାୟୀ ଉଭୟ ରାଜ୍ୟର ୱାର୍କିଙ୍ଗ ଗ୍ରୁପ୍ ଗଠନ କରାଯାଇଥିଲା । ଏହାଫଳରେ ଉଭୟ ରାଜ୍ୟର ଯୁଗ୍ମ ୱାର୍କିଙ୍ଗ ଗ୍ରୁପ୍ ମଧ୍ୟରେ ଭୁବନେଶ୍ୱରରେ ସେପ୍ଟେମ୍ବର ୨୨ ଓ ୨୩ ଏବଂ ରାୟପୁରରେ ଅକ୍ଟୋବର ୩ ଓ ୫ରେ ବୈଠକ ହୋଇଥିଲା । ପରେ ଅକ୍ଟୋବର ୬ରେ ଉଭୟ ରାଜ୍ୟର ଯୁଗ୍ମ ବୈଷୟିକ କମିଟିର ଏକ ବୈଠକରେ ଉଭୟ ରାଜ୍ୟର ୨-୨ ପ୍ରକଳ୍ପ ନେଇ ସହମତି ହୋଇଥିଲା । ଓଡ଼ିଶାର ଏହି ପ୍ରକଳ୍ପ ଗୁଡିକ ହେଲା ତେଲ ସବ୍-ବେସିନର ଉତ୍ତେଇ-ରାଉଳ ଏବଂ ଖାଡାଗୋ । ସେହିପରି ଛତିଶଗଡ଼ର ଦୁଇ ପ୍ରକଳ୍ପ ହେଲା ଇବ ସବ୍ବେସିନ ଶେଖରପୁର ଏବଂ ଦଣ୍ଡପାଣି । ଆସନ୍ତା ଅକ୍ଟୋବର ୨୮ରେ ଉଭୟ ପ୍ରକଳ୍ପ ନେଇ ଜଳ ପ୍ରବାହ ଏବଂ ଆହୁରି କେତେକ ପ୍ରସଙ୍ଗ ଉପରେ ଯୁଗ୍ମ ବୈଷୟିକ କମିଟିରେ ଆଲୋଚନା କରାଯିବ । ପରେ ଏହି ରିପୋର୍ଟକୁ ଉଭୟ ରାଜ୍ୟଙ୍କ ମୁଖ୍ୟ ଶାସନ ସଚିବ ଓ ଜଳସମ୍ପଦ ସଚିବଙ୍କ ଅନୁମୋଦନ ଲାଗି ଉପସ୍ଥାପନ କରାଯିବ । ଏହି ଅନୁମୋଦନ ମିଳିବା ପରେ କେନ୍ଦ୍ରୀୟ ଜଳ ଆୟୋଗ ଉଭୟ ପ୍ରକଳ୍ପକୁ ମଞ୍ଜୁର କରିବା ନେଇ ଆଉ ବାଧା ରହିବ ନାହିଁ ବୋଲି ପୀତାମ୍ବର ଦର୍ଶାଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଝାଡ଼ଖଣ୍ଡରେ ଅନୁଷ୍ଠିତ ହୋଇଥିବା ଅନ୍ତଃରାଜ୍ୟ କମିଟି ବୈଠକରେ ମହାନଦୀ ଜଳ ବିବାଦର ଆପୋସ ସମାଧାନ ଲାଗି ରାସ୍ତା ବାହାର କରିବାକୁ ଓଡ଼ିଶା ଓ ଛତିଶଗଡ଼କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁଲାଇ ୨୫ରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ନିକଟକୁ ଏହାର ସୌହାଦ୍ୟପୂର୍ଣ୍ଣ ସମାଧାନ ଲାଗି ଏକ ପତ୍ର ଲେଖିଥିଲେ । ଗତ ଅଗଷ୍ଟ ପହିଲାରେ ଶ୍ରୀ ସାଏ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏହାର ସମାଧାନ ଲାଗି ଏକ ସକାରାତ୍ମକ ଜବାବ ଦେଇଥିଲେ ।
