ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ସାରା ଖାନ । ଅଭିନେତା କ୍ରିସ ପାଠକଙ୍କୁ କରିଛନ୍ତି ବିବାହ । ଏହି ଦମ୍ପତି ସ୍ୱତନ୍ତ୍ର ବିବାହ ଆଇନ, ୧୯୫୪ ଅନୁଯାୟୀ କୋର୍ଟ ମ୍ୟାରେଜ୍ କରିଥିବା ନେଇ ସେସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ଏନେଇ ଫ୍ୟାନ୍ସ ସମେତ ସେଲିବ୍ରିଟିଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି।
ସାରା ତାଙ୍କ ବିବାହ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, “ଦୁଇ ହୃଦୟ, ଦୁଇଟି ସଂସ୍କୃତି, ଗୋଟିଏ ସର୍ବଦା… ‘କୁବୁଲ ହୈ’ ରୁ ‘ସାତ ଫେରା’ ଯାଏଁ, ଏହି ଡିସେମ୍ବରରେ ।” ଫଟୋଗୁଡ଼ିକରେ, ସାରା ଏବଂ କ୍ରିସ ପାରମ୍ପରିକ ପୋଷାକ ପିନ୍ଧି ଖୁସିରେ ସେମାନଙ୍କର ବିବାହ କରୁଥିବାର ଦେଖିବାକୁ ମିଳୁଛି । ସାରା ଏକ ନୀଳ ସୁଟ ପିନ୍ଧିଥିବା ବେଳେ କ୍ରିସ ଏକ କ୍ରିମ୍ ଶେରୱାନି ପିନ୍ଧିଛନ୍ତି । ଗୋଟିଏ ଫଟୋରେ, ଦୁଇ ନବବିବାହିତ ଦମ୍ପତି ଫୁଲମାଳ ପିନ୍ଧିଥିବାର ନଜର ଆସିଛନ୍ତି । ତେବେ ଉଭୟ ଡିସେମ୍ବର ୨୦୨୫ରେ ଧୁମଧାମରେ ବିବାହ କରିବେ ବୋଲି ଜଣାପଡିଛି । ଯାହାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ତେବେ ସାରାଙ୍କ ଏହା ଦ୍ୱିତୀୟ ବିବାହ । ବିଗ୍ ବସ୍ ସିଜନ୍ ୪ ଫେମ୍ ଅଭିନେତା ଅଲି ମର୍ଚାଣ୍ଟଙ୍କୁ ବିବାହ କରିଥିଲେ । ବିଗ୍ ବସ୍ ଘରେ ଉଭୟ ପ୍ରେମରେ ପଡିଥିଲେ ଏବଂ ଦୁହେଁ ସେଠାରେ ବିବାହ କରିଥିଲେ । ହେଲେ ଏହି ସମ୍ପର୍କ ଅଧିକ ସମୟ ରହିଲା ନାହିଁ ଏବଂ ଶୋ’ରୁ ବାହାରିବା ପରେ ୨ ମାସ ମଧ୍ୟରେ ସେମାନେ ଛାଡପତ୍ର ଦେଇ ଅଲଗା ହୋଇଥିଲେ । ଏହା ପରେ ସାରା ପାଇଲଟ୍ ଶାନ୍ତନୁ ରାଜେଙ୍କୁ ଡେଟ୍ କରୁଥିଲେ । ଗତ ଚାରି ବର୍ଷ ଧରି ଡେଟ୍ କରିବା ପରେ ଡିସେମ୍ୱର ୨୦୨୩ରେ ଉଭୟଙ୍କ ବ୍ରେକଅପ ହୋଇଥିଲା । ବର୍ତ୍ତମାନ ସାରା କ୍ରିସ୍ ପାଠକଙ୍କୁ ବିବାହ କରିଛନ୍ତି ।
କ୍ରିସ ହେଉଛନ୍ତି ଅଭିନେତା ସୁନୀଲ ଲାହିରୀଙ୍କ ପୁଅ, ଯିଏ ଲୋକପ୍ରିୟ ଟେଲିଭିଜନ ଶୋ’ ରାମାୟଣରେ ଲକ୍ଷ୍ମଣ ଭୂମିକା ପାଇଁ ଜଣାଶୁଣା ।
