ଭୁବନେଶ୍ୱର : ଏଣିକି ଆଉ କୌଣସି ଶିକ୍ଷା ବିଭାଗରେ ଥିବା ଅଧିକାରୀ କିମ୍ବା କର୍ମଚାରୀ ଗୋଟିଏ ସ୍ଥାନରେ ୩ବର୍ଷରୁ ଅଧିକ ଦିନ ରହିପାରିବେ ନାହିଁ । ୩ବର୍ଷରୁ ଅଧିକ ଦିନ ଧରି ଗାଦି ମାଡ଼ି ବସିଥିବା ସମସ୍ତ ଅଧିକାରୀଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯିବ । ଚଳିତ ବର୍ଷ ୫୦ ପ୍ରତିଶତ ଅଧିକାରୀ, କର୍ମଚାରୀ ବଦଳି ହେବେ । ଆସନ୍ତାବର୍ଷକୁ ବାକି ରହିଯାଇଥିବା ଅଣଶିକ୍ଷକଙ୍କୁ ବଦଳି କରାଯିବ। ଏନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଅବସରକୁ ଦୁଇ ବର୍ଷ ବାକିଥିବା ଅଧିକାରୀଙ୍କୁ ବଦଳି କରାଯାଇପାରିବ ନାହିଁ । ସେହିପରି ନିଜ ଜିଲ୍ଲା କିମ୍ବା ବ୍ଲକରେ କାର୍ଯ୍ୟ କରିପାରିବେନି କୌଣସି ଅଧିକାରୀ । ଅନ୍ୟପଟେ ବଦଳି ହେବା ପୂର୍ବରୁ ବିଭାଗର ପରାମର୍ଶ ଓ ଅନୁମତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଗତ ଅଗଷ୍ଟ ମାସ ୨୦ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅଧିକାରୀଙ୍କ ବଦଳି ନେଇ ଏକ ମାର୍ଗଦର୍ଶିକା ଜାରି ହୋଇଥିଲା । ଏଥିରେ ଥିବା ନିର୍ଦ୍ଦେଶନାମା ଅନୁଯାୟୀ ବଦଳି କରାଯିବ । ଏପ୍ରିଲ୍ ୩୦ରୁ ଜୁନ୍ ୧୫ ତାରିଖ ମଧ୍ୟରେ ବଦଳି କରାଯିବ । ଆସନ୍ତା ଏପ୍ରିଲ୍ ୩୦ ତାରିଖ ଯାଏ ଏହି ବିଭାଗ ଅଧୀନରେ ଥିବା ୫୦ ପ୍ରତିଶତ ଅଧିକାରୀଙ୍କୁ ଚଳିତ ବର୍ଷ ପାଇଁ ବଦଳି କରାଯିବ । ତେବେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁମତି ନେଇ ବଦଳି କରାଯିବ ବୋଲି ଜଣାପଡିଛି ।
