ଭୁବନେଶ୍ୱର: ଜୟଦେବବିହାର ଛକରେ ନିର୍ମାଣ ହେବ ବୋ ଷ୍ଟିଙ୍ଗ ଗାର୍ଡର ବ୍ରିଜ୍ । କଳିଙ୍ଗ ଷ୍ଟାଡିୟମ ପାଖରୁ ବାହାରି ଜୟଦେବ ବିହାରରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ଓଭରବ୍ରିଜ୍ ଉପରେ ଯିବ ଏହି ଅତ୍ୟାଧୁନିକ ବ୍ରିଜ୍ ।
ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଟ୍ରାଫିକ ସମସ୍ୟା ଦୂର ପାଇଁ ନୂଆ ଯୋଜନା ପ୍ରସ୍ତୁତ ହୋଇଛି । ଚଉଡ଼ା ହେବ ଜୟଦେବ ବିହାରରୁ ରଘୁନାଥପୁର ପର୍ଯ୍ୟନ୍ତ ୧୧ କିଲୋମିଟର ରାସ୍ତା । ଖୁବଶୀଘ୍ର ଏ ନେଇ ଟେଣ୍ଡର ଆହ୍ୱାନ ହେବ । ଦଶହରା ପୂଜା ଛୁଟି ପରେ ଏ ନେଇ ବଡ଼ ଅଗ୍ରଗତି ହୋଇପାରେ । ଜୟଦେବ ବିହାର ଛକରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତା ଏବେ ରାଜଧାନୀର ସବୁଠାରୁ ବ୍ୟସ୍ତବହୁଳ ଓ ଜନଗହଳିପୂର୍ଣ୍ଣ ରାସ୍ତା ପାଲଟିଛି । ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଲୋକେ ଟ୍ରାଫିକ ଯନ୍ତ୍ରଣା ଭୋଗୁଛନ୍ତି । ପୂର୍ବରୁ ଏହି ରାସ୍ତା ପାଇଁ ଅନେକ ଯୋଜନା ହୋଇଥିଲା । ନୂଆ ସରକାର ଏବେ ଏହି ରାସ୍ତା ନେଇ ନୂଆ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଛନ୍ତି । ପୂର୍ତ୍ତ ବିଭାଗ ଟିମ୍ ପୂରା ଦମ୍ ଲଗାଇ ଲାଗି ପଡ଼ିଛି ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ସମ୍ପ୍ରସାରଣ ଯୋଜନାରେ ।
ଯୋଜନା ଅନୁସାରେ କଳିଙ୍ଗ ଷ୍ଟାଡିୟମ ପାଖରୁ ଜୟଦେବ ବିହାର ଓଭରବ୍ରିଜ୍ ଉପର ଦେଇ ଅତ୍ୟାଧୁନିକ ବୋ ଷ୍ଟିଙ୍ଗ ଗାର୍ଡର ବ୍ରିଜ୍ ନିର୍ମାଣ ହେବ । ଲୁହାରେ ନିର୍ମିତ ଏହି ବ୍ରିଜ୍ ଦେଖିବାକୁ ଧନୁ ଆକୃତିର ବଙ୍କା ଦିଶିଥାଏ । ଏହା ଉପରେ ଯିବା ଦ୍ୱାରା ତଳେ ଜୟଦେବବିହାର ଛକରେ ଭିଡ଼ କମିବ । ବଡ଼କଥା ହେଲା, କଳିଙ୍ଗ ଷ୍ଟାଡିୟମ ପଟୁ ଜୟଦେବ ବିହାର ଛକ ଆରପଟକୁ ଯିବା ପାଇଁ ଗାଡ଼ିମୋଟର ସିଧା ଏହି ବ୍ରିଜ୍ ଚଢ଼ିବେ । ଜୟଦେବ ବିହାର ଛକ ପାଖରୁ ରଘୁନାଥପୁର ପର୍ଯ୍ୟନ୍ତ ବର୍ତ୍ତମାନ ରାସ୍ତା ୪ ଲେନ୍ ଥିବାବେଳେ ଏହାକୁ ୬ ଲେନ୍ ଚଉଡ଼ା କରାଯିବ । ଏହାସହ ୧ ଲେନ୍ ଲେଖାଏଁ ସର୍ଭିସ୍ ରାସ୍ତା ରହିବ ଉଭୟ ପାଶ୍ୱର୍ରେ । ୩ଟି ପ୍ରମୁଖ ଛକରେ ଫ୍ଲାଏଓଭର ନିର୍ମାଣ ହେବ । କଳିଙ୍ଗ ହସ୍ପିଟାଲ ଛକ, ଡମଣା ଓ କିଟ୍ ଛକ ନିକଟରେ ଫ୍ଲାଏଓଭର ନିର୍ମାଣ ଯୋଜନା କରାଯାଇଛି । ପୂର୍ବରୁ ଏହି ବ୍ୟସ୍ତବହୁଳ ରାସ୍ତା ଉପରେ ରାଜଭବନ ନିକଟରୁ ନନ୍ଦନକାନନ ପର୍ଯ୍ୟନ୍ତ ଫ୍ଲାଏଓଭର ନିର୍ମାଣ ଯୋଜନା କରାଯାଇଥିଲା । ପରେ କଳିଙ୍ଗ ଷ୍ଟାଡିୟମ ନିକଟରୁ ରାସ୍ତା ସମ୍ପ୍ରସାରଣ ସହ ମଝିରେ ମଝିରେ ଭୂତଳ ରାସ୍ତା, ଭୂତଳ ପାର୍କିଂ ଓ ଫ୍ଲାଏଓଭର ନିର୍ମାଣ ଯୋଜନା ହୋଇଥିଲା । ବହୁ ବିଚାରବିମର୍ଶ ପରେ ଏବେ ନୂଆ ରୂପରେ ରାସ୍ତା ସମ୍ପ୍ରସାରଣ କରିବାକୁ ଯୋଜନା ହୋଇଛି ।
