ନୂଆଦିଲ୍ଲୀ: ଆସନ୍ତା ସପ୍ତାହ ସୁଦ୍ଧା ଭାରତ ଉପରୁ ଆମେରିକା ଟାରିଫ୍ ଓ ପାଲଟା ଶୁଳ୍କ ହଟାଇପାରେ। ଏନେଇ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(CEA) ଭି ଅନନ୍ତ ନାଗେଶ୍ୱରନ ଗୁରୁବାର ସୂଚନା ଦେଇଛନ୍ତି। ଭାରତୀୟ ପଣ୍ୟ ଉପରେ ଜାରି କରାଯାଇଥିବା ଟାରିଫ୍ କୁ ଆମେରିକା କମ କରିବାକୁ ଚିନ୍ତା କରୁଛି। ଯାହାଫଳରେ ଭାରତ ଉପରେ ପଡୁଥିବା ଅର୍ଥନୌତିକ ଚାପ କମ ହେବାର ସମ୍ଭାବନା ରହିଛି।
ନୂଆଦିଲ୍ଲୀରେ ହେଉଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନାଗେଶ୍ୱରନ କହିଛନ୍ତି ଯେ, ଗତ ଅଗଷ୍ଟ ମାସରେ ଆମେରିକା ଭାରତ ଉପରେ ଜାରି କରିଥିବା ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କକୁ ନଭେମ୍ୱର ଶେଷ ସପ୍ତାହ ସୁଦ୍ଧା ହଟାଇବା ପାଇଁ ଯୋଜନା କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ “ଏହା କୌଣସି ଠୋସ୍ ସୂଚନା କିମ୍ବା ପ୍ରମାଣ ଉପରେ ଆଧାରିତ ବିବୃତ୍ତି ନୁହେଁ। କିନ୍ତୁ ଏହାକୁ ନେଇ ମୋର ଆଶା ଅଛି ଯେ, ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି, ଆଗାମୀ କିଛି ମାସ ମଧ୍ୟରେ ଏହାର ଏକ ସମାଧାନ କଢାଯିବ ଏବଂ ଆଶା କରାଯାଉଛି ଯେ, ପାଲଟା ଶୁଳ୍କ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିବ। ଏହାଛଡା ନାଗେଶ୍ୱରନ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ଅତିରିକ୍ତ ଶୁଳ୍କର ପରିମାଣ ୨୫ ପ୍ରତିଶତ ରହିଛି। ଯାହା ଆସନ୍ତା କିଛି ଦିନ ମଧ୍ୟରେ ୧୦ରୁ ୧୫ ପ୍ରତିଶତକୁ ଖସିବାର ସମ୍ଭାବନା ରହିଛି। ଆସନ୍ତା ୮ରୁ ୧୦ ସପ୍ତାହ ମଧ୍ୟରେ ଏନେଇ ଆମେରିକା ବଡଧରଣର ଘୋଷଣା କରିପାରେ ବୋଲି ସେ ମତ ପ୍ରକାଶ କରିଛନ୍ତି। ତେବେ ଏହା ଏକାନ୍ତ ଭାବେ ତାଙ୍କ ଚିନ୍ତାଧାରା ଏହାପଛରେ କୌଣସି ଠୋସ୍ ପ୍ରମାଣ ନାହିଁ ବୋଲି ସେ ଦାବି କରିଛନ୍ତି।
CEAଙ୍କ ମନ୍ତବ୍ୟ ଏମିତି ଏକ ସମୟରେ ଆସିଛି ଯେତେବେଳେ ଭାରତର ମୁଖ୍ୟ ବାଣିଜ୍ୟ ଆଲୋଚନାକାରୀ ତଥା ବାଣିଜ୍ୟ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲ ଆମେରିକାରୁ ଆସିଥିବା ଆମେରିକୀୟ ବାଣିଜ୍ୟ ପ୍ରତିନିଧି ବ୍ରେଣ୍ଡନ୍ ଲିଞ୍ଚଙ୍କ ସହ ଟାରିଫକୁ ନେଇ ଆଲୋଚନା ଜାରି ରଖିଛନ୍ତି। ଗତମାସଠୁ ଟ୍ରମ୍ପ ସରକାର ଭାରତ ଉପରେ ଟାରିଫ ଲଗାଇବା ପରେ ଏହା କୌଣସି ପ୍ରତିନିଧି ମଣ୍ଡଳ ସହ ପ୍ରଥମ ମୁହାଁ ମୁହିଁ ଆଲୋଚନା। ତେବେ ଆମେରିକାର ଏହି ଟାରିଫ ବମ୍ ଭିତରେ ଭାରତ ରୁଷ ସହ ତୈଳ ବିପଣନ ଜାରି ରଖିଛି।
ଆମେରିକାର ଏହି ଦ୍ୱି-ସ୍ତରିୟ ଟାରିଫ ମାଡ ଯୋଗୁଁ ଭାରତର ଅନେକ ପଣ୍ୟ ସାମଗ୍ରୀ ଉପରେ ୫୦ ପ୍ରତିଶତରୁ ଅଧିକ ଟାରିଫ ଲାଗୁ ହୋଇଛି। ଯେଉଁଥିପାଇଁ ଭାରତରୁ ରପ୍ତାନୀ କରାଯାଉଥିବା ଟେକ୍ସଟାଇଲ, ଇଞ୍ଜିନିୟରିଂ ସାମଗ୍ରୀ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଛି। ଆଉ ଖାସ୍ ଏଇଥିପାଇଁ ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଗଭୀର ପ୍ରଭାବ ପଡିଛି ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।। ଗୋଟିଏ ପଟେ ଭାରତ ଆମେରିକା ସହ ଆଲୋଚନାମୂଳକ ସମାଧାନ ଚାହୁଁଥିବା ବେଳେ ଅନ୍ୟପଟେ ଆମେରିକା ନିଜ ଦାବିକୁ ଦୋହରାଇବାରେ ଲାଗିଛି। ତେବେ ସରକାର ଏ ଦିଗରେ ଅନେକ ଆଶାବାଦି ଅଛନ୍ତି ବୋଲି ନାଗେଶ୍ୱରନ ସୂଚନା ପ୍ରଦାନ କରିଛନ୍ତି।
ବର୍ତ୍ତମାନସୁଦ୍ଧା ଅନେକ ଶିଳ୍ପ ସଂସ୍ଥା ସହ ବିଶେଷଜ୍ଞମାନେ ଏହା ଉପରେ ନଜର ରଖିଛନ୍ତି। ତେବେ ଆମେରିକା ମଧ୍ୟ ଟାରିଫ୍ ମାଡ ମଧ୍ୟରେ ଭାରତ ଭଳି ଏକ ଗୁରୁତ୍ତ୍ୱପୂର୍ଣ୍ଣ ସହଯୋଗି ରାଷ୍ଟ୍ରକୁ ହରାଇବାକୁ ଚାହୁଁନାହିଁ। ତେଣୁ ଉଭୟ ଦେଶ ପକ୍ଷରୁ ବହୁ ଜଲଦି ଏନେଇ କିଛି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଅନୁମାନ କରାଯାଉଛି।
