ଭୁବନେଶ୍ୱର : ଦିନକରେ ସର୍ବାଧିକ ଗଛ ଲଗାଇ ବିଶ୍ୱ ରେକର୍ଡ କଲା ଓଡ଼ିଶା । ଗୋଟିଏ ଦିନରେ ପାଖାପାଖି ୧.୫ କୋଟି ଚାରାରୋପଣ କରି ଓଡ଼ିଶା ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ “ଏକ ପେଡ୍ ମା କେ ନାମର ଦ୍ୱିତୀୟ ସଂସ୍କରଣ’ ଅଭିଯାନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ମଧ୍ୟରେ ୭୫ ଲକ୍ଷ ଚାରାରୋପଣ କରିବା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଥିଲେ । ଏହି ଆହ୍ୱାନରେ ଯୋଡ଼ି ସାରା ରାଜ୍ୟରେ ଅପରାହ୍ନ ୪ଟା ୩୦ ସୁଦ୍ଧା ୧ କୋଟି ୪୯ ଲକ୍ଷ ୧୧ ହଜାର ୩୩୯ଟି ଚାରାରୋପଣ କରି କେବଳ ଦେଶ ନୁହଁ, ବିଶ୍ୱରେକର୍ଡ ସ୍ଥାପନ କରି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ଓଡ଼ିଶା । ସେଥିପାଇଁ ସମସ୍ତ ବିଭାଗ, ସ୍ୱେଛାସେବୀ ଅନୁଷ୍ଠାନ, ଛାତ୍ର, ଛାତ୍ରୀଙ୍କୁ ଜଙ୍ଗଲ ବିଭାଗ ପକ୍ଷରୁ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କୃତଜ୍ଞତା ଜଣାଇଛନ୍ତି ।
ତେବେ ପୂର୍ବରୁ ମଧ୍ୟପ୍ରଦେଶ ସରକାର ଗୋଟିଏ ଦିନରେ ୧୧ ଲକ୍ଷ ଚାରାରୋପଣ କରି ରେକର୍ଡ ସୃଷ୍ଟି କରିଥିଲା । ତା’ପୂର୍ବରୁ ଆସାମ ସରକାର ଗୋଟିଏ ଦିନରେ ୯ ଲକ୍ଷ ୨୬ ହଜାର ଚାରାରୋପଣ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲା । କିନ୍ତୁ, ବୁଧବାର ଓଡ଼ିଶା ମାତ୍ର କିଛି ଘଣ୍ଟା ଭିତରେ ୧.୫ କୋଟି ଚାରାରୋପଣ କରି ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି । ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ଓ ଅନ୍ୟ ରାଜ୍ୟ ପାଇଁ ଦୃଷ୍ଟାନ୍ତ ସାଜିବା ରାଜ୍ୟ ସରକାରଙ୍କ ପାଇଁ ଗୌରବର କଥା । ଏହି ଚାରା ରୋପଣ ରାଜ୍ୟର ୭୧,୯୨୪ଟି ସ୍ଥାନରେ ହୋଇଥିବା ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦିନକରେ ସର୍ବାଧିକ ୧୪ ଲକ୍ଷରୁ ଅଧିକ ଚାରାରୋପଣ କରି ତାଲିକାର ଶୀର୍ଷରେ ସୁନ୍ଦରଗଡ଼ ଜିଲ୍ଲା ରହିଛି । କୋରାପୁଟରେ ୧୧ ଲକ୍ଷ ୧ ହଜାର ୬୨୪ ଗଛ ଲାଗି ଦ୍ୱିତୀୟ ସ୍ଥାନରେ ଥିବା ବେଳେ କେନ୍ଦୁଝର ଜିଲ୍ଲାରେ ୧୦ ଲକ୍ଷ ୪୨ ହଜାର ୯୨୭ ଚାରାରୋପଣ ସହିତ ତୃତୀୟ ସ୍ଥାନରେ ରହିଛି । ମୟୂରଭଞ୍ଜରେ ୯ ଲକ୍ଷ ୧୭ ହଜାର ୬୫୯, କଳାହାଣ୍ଡିରେ ୭ ଲକ୍ଷ ୬୭ ହଜାର ୫୧୦ ଚାରାରୋପଣ ସହ ତାଲିକାରେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଥିବା ବେଳେ ୧ ଲକ୍ଷ ୩୧ ହଜାର ୮୮୫ ଚାରାରୋପଣ ସହ ଦେବଗଡ ତାଲିକାର ଶେଷରେ ରହିଛି ।
