ଭୁବନେଶ୍ଵର : ରିଲ୍ସ ନିଶା ଯୋଗୁଁ ବଢୁଛି ଘରୋଇ ହିଂସା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା ଅଧିନିୟମ-୨୦୨୫ ଓ ଯୌତୁକ ନିଷେଧ ଅଧିନିୟମ-୧୯୬୧ ବିଷୟରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଏହା ଉପରେ ଗୁରୁତ୍ଵାରୋପ କରିଛନ୍ତି। ପୂଜା ସମୟରେ ଉପବାସରେ ରହିବା ଭଳି ରିଲ୍ସ, ସୋସିଆଲ ମିଡିଆ ଓ ମୋବାଇଲ୍ ଠାରୁ କିଛି ସମୟ ବିରତ ରହିବା ପାଇଁ ଉପମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି।
ଲୋକସେବା ଭବନ କନଭେନସନ ହଲ୍ରେ ଯୌତୁକ ଏବଂ ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବା ନେଇ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ, ଆଜି ବି ଯୌତୁକ ଜୁଇରେ ମହିଳା ଜଳୁଛନ୍ତି । ଯାହାକି ଚିନ୍ତାଜନକ। ଆଗକୁ ଘରୋଇ ହିଂସା କମାଇବା ପାଇଁ ଥାନାରେ ମହିଳା ଓ ଶିଶୁ ଡେସ୍କକୁ ମଜବୁତ କରାଯିବ। ଖାଲି ଥିବା ପଦବୀ ପୂରଣ କରାଯିବ। ମହିଳାଙ୍କ ସୁରକ୍ଷା ପାଇଁ ଥିବା ଆଇନର ଦୂରୁପଯୋଗ ଅକ୍ଷମଣୀୟ। ଅତ୍ୟାଚାର ପାଇଁ ସଚେତନତା ଯେତିକି ଜରୁରୀ ତାର ଦୂରୁପଯୋଗକୁ ଜଗିବା ତା’ ଠାରୁ ଅଧିକ ଜରୁରୀ । ବର୍ତ୍ତମାନ ସମୟରେ ଇଭ୍ ଟିଜିଂ ମଧ୍ୟ ସ୍କୁଲ ଡ୍ରପ୍ ଆଉଟ୍ ପାଇଁ ଦାୟୀ ହେଉଛି । ତେଣୁ ସେହିଭଳି ଟ୍ରମାରେ ଆଘାତ ପାଇଥିବା ଝିଅମାନଙ୍କ ସହ ଛିଡା ହେବା ଦରକାର । ଝିଅ ନିଜେ ରୋଜଗାର କରୁଥିଲେ ବି ନିଜ ପଇସା ଖର୍ଚ୍ଚ କରିବା ପାଇଁ ସେମାନଙ୍କୁ ଅଧିକାର ମିଳୁନି। ଝିଅମାନଙ୍କୁ ନିଜ ପରିବାର ସଦସ୍ୟ ଏବଂ ଆତ୍ମୀୟସ୍ୱଜନ ହିଁ ସବୁଠୁ ଅଧିକ ଅତ୍ୟାଚାର କରନ୍ତି । ନିଜ ଘର ଭିତରେ ହିଁ ଭୁଲ ହୋଇଯାଏ। । ତେଣୁ ମହିଳାଙ୍କ ଉପରେ ଅତ୍ୟାଚାର ବନ୍ଦ କରିବା ଦିଗରେ ଅଧିକ ସଚେତନତା ଜରୁରୀ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେହିପରି ଭଦ୍ରକରୁ ଆସିଥିବା ମହିଳା ସମାଜସେବୀ ସୋଫିଆ ସେଖ୍ ଏହି କର୍ମଶାଳାରେ କହିଥିଲେ ଯେ, ଆଜିକାଲି ରିଲ୍ସ, ସୋସିଆଲ ମିଡିଆ ଓ ମୋବାଇଲର ଅଧିକ ବ୍ୟବହାର ଯୋଗୁଁ ଘରୋଇ ହିଂସା ବଢୁଛି। ତେଣୁ ଏହା ଉପରେ ଦୃଷ୍ଟି ଦିଆଯିବା ଦରକାର।
