ପୁରୀ: କୋଟିକୋଟି ଜନତାଙ୍କର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କ ନାମ ଶୁଣି ଦରିଆ ସେପାରିରୁ ଭକ୍ତମାନେ ଛୁଟି ଆସିଥାନ୍ତି। ବିଦେଶୀ ଭକ୍ତମାନଙ୍କୁ ମନ୍ଦିରରେ କଟକଣା ଥିବାରୁ ସମୋନେ ବଡ଼ଦାଣ୍ଡରେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ଧନ୍ୟ ହୋଇଥାନ୍ତି। ତେବେ କାଳିଆ ସାଆନ୍ତଙ୍କୁ ମଧ୍ୟ ଅଣଦେଖା କରାଯାଉଛି। ଠାକୁରଙ୍କ ସେବା କାର୍ଯ୍ୟରେ ନିୟୋଜିତ ସେବକ ଏବଂ ପ୍ରଶାସନ ନିଜର ଦାୟିତ୍ବରେ ଅବହେଳା କରୁଥିବା ଅଭିଯୋଗ ହେଉଛି, ଯେଉଁଥିପାଇଁ ଶ୍ରୀମନ୍ଦିରରେ ନୀତିକ୍ରାନ୍ତିରେ ଅହେତୁକ ବିଳମ୍ବ ଦେଖାଦେଇଛି। ଏହି ନୀତି ବିଭ୍ରାଟକୁ ନେଇ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗ ସମ୍ପାଦକ ଏହାକୁ ନେଇ ଗଭୀର ଅସନ୍ତୋଷ ବ୍ୟକ୍ତ କରିବା ପ୍ରକାଶ କରିଛନ୍ତି।
ସୂଚନଯୋଗ୍ୟ, ଗତ କିଛି ଦିନ ହେବ ଶ୍ରୀମନ୍ଦିରରେ ନୀତି ନିର୍ଦ୍ଧାରିତ ସମୟ ଅନୁସାରେ ସଂପନ୍ନ ହୋଇପାରୁ ନାହିଁ। ବିଳମ୍ବିତ ରାତିରେ ପହୁଡ଼ ପଡୁଥିବାରୁ ମହାପ୍ରଭୁଙ୍କ ନୀତିକ୍ରାନ୍ତିରେ ବ୍ୟାଘାତ ସୃଷ୍ଟି ହେଉଛି। ସବୁଠାରୁ ଦୁଃଖଦ ବିଷୟ ହେଉଛି ଯେ, ଏହି ନୀତି ବିଳମ୍ବ ଯୋଗୁଁ ଗତ ଏକ ମାସ ମଧ୍ୟରେ ମହାପ୍ରଭୁ ପ୍ରାୟ ୫ ରାତି ଶୋଇ ପାରିନାହାନ୍ତି, ଯାହା ସେବାୟତ ଓ କୋଟିକୋଟି ଭକ୍ତଙ୍କ ମନକୁ ଗଭୀର କଷ୍ଟ ଦେଇଛି।
