ନୂଆଦିଲ୍ଲୀ: ଭାରତ ରାଜନୀତିରେ ଅପ୍ରତିଦ୍ୱନ୍ଦ୍ୱୀ, ଅଦ୍ୱିତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ଯାତ୍ରା ଭିତରେ କେବେ ଲାଗିନି ପରାଜୟର ଦାଗ । ୩ ଥରର ପ୍ରଧାନମନ୍ତ୍ରୀ, ୧୨ ବର୍ଷ ଧରି ଦେଶର ଶାସନ ଡୋରି ଧରିଛନ୍ତି ମୋଦୀ । ଏହି ଅବଧି ଭିତରେ ଅନେକ ରେକର୍ଡ ଭାଙ୍ଗିଛନ୍ତି, ଇତିହାସ ପୃଷ୍ଠାରେ ଅନେକବାର ନିଜ ନାଁ ଲେଖିଛନ୍ତି । ଏବେ ଆଉ ଏକ ଐତିହାସିକ କ୍ଷଣର ସାକ୍ଷୀ ସାଜିଛି ଦେଶ । ନରେନ୍ଦ୍ର ଦାମୋଦର ଦାସ ମୋଦୀ । ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ । ୨୦୧୪ରେ ଶପଥ ନେଲା ବେଳେ କେହି କେବେ କଳ୍ପନା କରିନଥିବେ ଯେ, ଦିବଙ୍ଗତ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କୁ ପଛରେ ପକାଇଦେବେ ମୋଦୀ । ଲଗାତାର ୪ ହଜାର ୩୯୯ ଦିନ ପ୍ରଧାନମନ୍ତ୍ରୀ ପଦରେ ରହି ରଚିବେ ନୂଆ ଇତିହାସ । ହେଲେ ଏହା ବାସ୍ତବତାର ରୂପ ନେଇଛି । ସବକା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସର ନାରା ଦେଇ ଦେଶବାସୀଙ୍କ ମନ ଜିଣିଛନ୍ତି ମୋଦୀ । ବିଭିନ୍ନ ସ୍ଥାନରେ ମୋଦିଙ୍କ ନାଁରେ ହୋଇଛି ପୂଜାପାଠ ସହ ହୋମଯଜ୍ଞ । ଏଭଳି ବିରଳ ଉପଲବ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ୟାବିନେଟ ସହଯୋଗୀ ଜଣାଇଛନ୍ତି ଶୁଭେଚ୍ଛା ଓ ଶୁଭକାମନା । ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ବିନମ୍ରତା, ସର୍ମପଣ, କର୍ତ୍ତବ୍ୟନିଷ୍ଠା ସହ ନିରନ୍ତର କାମ କରୁଥିବା ବ୍ୟକ୍ତି ହିଁ ଜନବିଶ୍ୱାସ ଅର୍ଜନ କରିବାରେ ସଫଳ ହୋଇଥାଏ । ବିଜେପି ସରକାରରେ ୩ ଥରର ପ୍ରଧାନମନ୍ତ୍ରୀ । ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧି । ୫୩ ଲକ୍ଷ କୋଟିର ଆର୍ôଥକ ବଜେଟର ପୁରୋଧା । ଗତ ୧୨ ବର୍ଷ ଭିତରେ ନିର୍ବିବାଦୀୟ ଚେହେରା ଭାବେ ଅଧିକରୁ ଅଧିକ ଜନପ୍ରିୟ ହୋଇପାରିଛନ୍ତି ନରେନ୍ଦ୍ର ମୋଦୀ । ସରକାର ବିରୋଧୀ ହାୱାକୁ ଜନମଙ୍ଗଳକାରୀ ଯୋଜନା ଜରିଆରେ ପ୍ରତିହତ କରିବାରେ ବେଶ୍? ପାରଙ୍ଗମ ପ୍ରଧାନମନ୍ତ୍ରୀ । ଯାହାଙ୍କ ଯଶ ପୂରା ବିଶ୍ୱକୁ ବ୍ୟାପିଛି । ମୋଦୀଙ୍କ ଯଶକୁ ବହୁଗୁଣିତ କରିବାକୁ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି ଓଡ଼ିଶା ବିଜେପିର ନେତା ଓ କର୍ମୀ । ଆତ୍ମନିର୍ଭର ଭାରତର ପରିକଳ୍ପନା ଭିତରେ ଭାରତକୁ ବିଶ୍ୱଗୁରୁ କରିବାକୁ ଆଙ୍କିଛନ୍ତି ନକ୍ସା । ଯାହା ମୋଦୀଙ୍କୁ ବିଶ୍ୱସ୍ତରରେ କେବଳ ପ୍ରସିଦ୍ଧି ଦେଇନି ବରଂ ଭାରତକୁ ନୂଆ ମହାଶକ୍ତି ଭାବେ ଉଭା କରିଛି । ସର୍ବାଧିକ ଦିନ ଭାରତର ପ୍ରଧାନମନ୍ତ୍ରୀ ପଦରେ ରହି ଇତିହାସ ରଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଆଜି ଏନ୍ଡିଏ ନେତାଙ୍କ ସହ କରିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ । ଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ଏହି ବୈଠକରେ ବହୁ କେନ୍ଦ୍ରମନ୍ତ୍ରୀ, ସାରା ଦେଶରୁ ପ୍ରମୁଖ ଏନ୍ଡିଏ ନେତା, ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏହି ବୈଠକରେ ସାମିଲ ହୋଇଛନ୍ତି । ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ଉପଢୌକନ, ଉପହାର ଓ ପୁଷ୍ପଗୁଚ୍ଛ ଦେଇ ବିରଳ ଉପଲବ୍ଧି ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
