କଟକ, ୦୬/୦୬: ଗତ କିଛି ଦିନ ହେବ ରାଜ୍ୟ ସରକାରଙ୍କ ବଦଳି ନିର୍ଦ୍ଦେଶକୁ ବେଖାତିର୍ କରିବା ଘଟଣାକୁ ନେଇ ଚର୍ଚ୍ଚାରେ ରହିଥିବା କଟକ ମହାନଗର ନିଗମ(ସିଏମ୍ସି)ରେ ପୁଣି ବିବାଦ ମୁଣ୍ଡ ଟେକିଛି । ଦୁଇ ଜଣ କିରାଣିଙ୍କୁ ସୁରକ୍ଷା ଦେଉଥିବା କର୍ତ୍ତୃପକ୍ଷ ଏବେ ଯନ୍ତ୍ରୀ ବିଭାଗକୁ ଘଣ୍ଟ ଘୋଡ଼ାଇ ରଖିବାର ପ୍ରୟାସ ଆରମ୍ଭ କରିଛନ୍ତି । ନୂଆ ଅତିରିକ୍ତ ନଗର ଯନ୍ତ୍ରୀଙ୍କ ନିଯୁକ୍ତିପତ୍ରକୁ ଶୁକ୍ରବାର ବିଧିବଦ୍ଧ ଭାବେ ଗ୍ରହଣ ନ କରି ପୁଣି ସରକାରଙ୍କ ବିଜ୍ଞପ୍ତିକୁ ଅବଜ୍ଞା କରିଛି ସିଏମ୍ସି । କେବଳ ସେତିକି ନୁହେଁ, ନୂଆ କରି ଦାୟିତ୍ୱ ନେବାକୁ ଆସିଥିବା ବରିଷ୍ଠ ଯନ୍ତ୍ରୀ ଦିନ ତମାମ୍ ସିଏମ୍ସିରେ ଅପେକ୍ଷା କରିଥିଲେ ବି କମିସନରଙ୍କୁ ଦେଖା ନ କରି ନିରାଶ ହୋଇ ଫେରିଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ସବୁଠୁ ବଡ଼ କଥା ହେଉଛି ଯେ, ସିଏମ୍ସିରେ ନଗର ଯନ୍ତ୍ରୀ ଥିଲେ ତାଙ୍କ ବଦଳି ନ କରି ମଧ୍ୟ ପୁଣି ଆଉ ଜଣଙ୍କୁ କିଭଳି ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଗଲା ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ଗତ କିଛି ହେବ ରାଜ୍ୟ ସରକାରଙ୍କ ପକ୍ଷରୁ ସିଏମ୍ସିରେ ଗାଦି ମାଡ଼ି ବସିଥିବା ଅଧିକାରୀ ଓ କର୍ମଚାରୀଙ୍କ ବଦଳି ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଏହାକୁ ଅମାନ୍ୟ କରିବା ସହିତ କଟକ ଛାଡ଼ିବାକୁ କିଛି ଅଧିକାରୀ ଓ କର୍ମଚାରୀମାନେ ନାରାଜ୍ । ଏଭଳି ସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଜଣେ ବରିଷ୍ଠ କିରାଣି ଓ କନିଷ୍ଠ କିରାଣିଙ୍କୁ ରିଲିଭ୍ ଅର୍ଡର ଦେବାକୁ ଅଧିକାରୀ ପଛଘୁଞ୍ଚା ଦେଉଛନ୍ତି । ଏହାକୁ ନେଇ ସବୁଠି ଅସନ୍ତୋଷ ଲାଗିରହିଥିଲା ବେଳେ ପୁଣି ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୪ ତାରିଖରେ ବିଜ୍ଞପ୍ତି ନମ୍ବର ୧୫୪୧୭ରେ ଜନସ୍ୱାସ୍ଥ୍ୟ ଯନ୍ତ୍ରୀ ବିଭାଗର ୪ଜଣ ଯନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ଅତିରିକ୍ତ ନଗର ଯନ୍ତ୍ରୀ ଭାବେ ନିୟୋଜିତ କରିଛନ୍ତି । ଏଥିରେ ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଶାନ୍ତ ବେହେରାଙ୍କୁ କଟକ ମହାନଗର ନିଗମର ନଗର ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଏହାପରେ ଆଜି ଶ୍ରୀ ବେହେରା ଆଦେଶପତ୍ର ନେଇ କଟକ ଆସିଥିଲେ ମଧ୍ୟ ତାହାକୁ କେହି ଗ୍ରହଣ କରି ନ ଥିଲେ । ଏମିତିକି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜଣେ ବରିଷ୍ଠ ଯନ୍ତ୍ରୀ ସିଏମ୍ସିରେ ବସିରହିଥିଲେ ମଧ୍ୟ ଦାୟିତ୍ୱ ଗ୍ରହଣ କରିପାରି ନ ଥିଲେ । ଅନ୍ୟପକ୍ଷରେ ସିଏମ୍ସି ଥିବା ନଗର ଯନ୍ତ୍ରୀ ଇଂ. ଅତନୁ ସାମନ୍ତ ଦୀର୍ଘ ୩ ବର୍ଷ ହେବ ଥିଲେ ମଧ୍ୟ ତାଙ୍କର ବଦଳି ହୋଇନି । ଏମିତିକି ସେ ଢେଙ୍କାନାଳରୁ ପର୍ଯ୍ୟନ୍ତ ନଥିପତ୍ର ଆଣି ନ ଥିବାରୁ ସେ ବିନା ଦରମାରେ କିଭଳି କାମ କରୁଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ସିଏମ୍ସି ଏଭଳି ଗୋଳମାଳିଆ ପରିସ୍ଥିତି ମଧ୍ୟରେ ଉନ୍ନତିକରଣ କାର୍ଯ୍ୟ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏ ସମ୍ପର୍କରେ ସିଏମ୍ସି ମେୟର ସୁବାସ ଚନ୍ଦ୍ର ସିଂହଙ୍କୁ ପଚାରିବାରେ ସେ କହିଥିଲେ ଯେ, ରାଜ୍ୟ ସରକାରଙ୍କ ନୂଆ ନିଯୁକ୍ତି ସମ୍ପର୍କରେ ମୁଁ ଅବଗତ ଅଛି, କିନ୍ତୁ ତାଙ୍କୁ କି’ ଦାୟିତ୍ୱ ଦିଆଯିବ ସେ ସମ୍ପର୍କରେ ସୋମବାର ଦିନ କମିସନରଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ।
