କୋରାପୁଟ: କୋରାପୁଟ ସହର ୨୬ ନମ୍ବର ଜାତୀୟ ରାଜପଥ ଆରଟିଓ ଅଫିସ ତଳୁଆ ରାସ୍ତାରେ ୫ ମାସ ପରେ ପୁଣି ସେହି ସମାନ ସ୍ଥାନରେ ଦୁର୍ଘଟଣା ଘଟି ୮ଟି ବାଇକ ଗୁଣ୍ଡ ହୋଇଛି। ଆଜି ସଂଧ୍ୟା ପ୍ରାୟ ୫ଟା ୨୫ରେ ଏକ ଟ୍ରକ୍ (ସିଜି ୦୪ ଏମଜେ ୫୪୪୩) ଛତିଶଗଡ଼ର ରାୟପୁରରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଭମୁଖେ ଯାଉଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲା। ଟ୍ରକ ବ୍ରେକ୍ ଫେଲ ହୋଇ ବିପରିତ ଦିଗକୁ ଯାଇ କୋରାପୁଟ ସହର ସର୍କିଟ ହାଉସ ତଳୁଆ ଅଞ୍ଚଳ ଏଚଡିଏଫସି ବ୍ୟାଙ୍କ ଥିବା ଏକ ମାର୍କେଟ କମ୍ପ୍ଳୋକ୍ସ ଗ୍ରାଉଣ୍ଡ ଫ୍ଲର ଭିତରକୁ ପଶିଗଲା। ଜାତୀୟ ରାଜପଥ କଡ଼ରେ ଥିବା ଏହି ମାର୍କେଟ କମ୍ପ୍ଳେଟକ୍ସକୁ ଆସୁଥିବା ଗ୍ରାହକମାନେ ସାଧାରଣତଃ ରାସ୍ତାକଡରେ ବାଇକ ଓ କାର ରଖି ଏହି ମାର୍କେଟ କମ୍ପ୍ଲେକକ୍ସ କୁ ଯାଇଥାନ୍ତି। ଏହି ଦୁର୍ଘଟଣାରେ ଟ୍ରକର ଚକା ଓ ଏକ୍ସେିଲ ବାହାରିପଡିଥିବା ବେଳେ ଟ୍ରକ ଦୁର୍ଘଟଣାରେ ୮ଟି ବାଇକ ଗୁଣ୍ଡ ହୋଇଯାଇଛି। ତେବେ ଏତେ ବଡ ଦୁର୍ଘଟଣା ଘଟିଥିଲେ ମଧ୍ୟ କେହି ଆହତ କିମ୍ବା ମୃତାହତ ହୋଇନାହାନ୍ତି। ପୁଲିସ ଓ ଦମକଳ ବାହିନି ପହଞ୍ଚି ଟ୍ରାଫିକ କୁ ନିୟନ୍ତ୍ରଣ କରିଥିଲେ। ଦୁର୍ଘଟଣା ଗ୍ରସ୍ଥ ଟ୍ରକ ଓ ବାଇକ ଗୁଡିକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଟ୍ରକକୁ ଉଦ୍ଧାର ପରେ ଟ୍ରକ ତଳେ ଆଉ କଣ ଚାପି ହୋଇ ରହିଛି ତାହା ଜଣାପଡିବ। ସୂଚନା ଥାଉକି ଗତ ଡିସେମ୍ବର ୧୯ ତାରିଖରେ ସେହି ଏକା ସ୍ଥାନରେ ଏକ ବଡ ଧରଣର ସିରିଜ୍ ଦୁର୍ଘଟଣା ଘଟିଥିଲା। ବ୍ରେକ୍ ଫେଲ ହୋଇ ଆଇଚର ଗାଡି ଧକ୍କାରେ ୮ ଗୋଟି ବାଇକ ଚୁରମାର ହେବା ସହ ଏଟିଏମ୍ ଭ୍ୟାନ ରାସ୍ତା କଡକୁ ଓଲଟିପଡିଥିଲା। କୋରାପୁଟ ସହର ଦେଇ ଜାତୀୟ ରାଜପଥ ଯାଇଛି। ସର୍କିଟ ହାଉସ ଠାରୁ ସହର ପାରିକରିବା ପର୍ଯ୍ୟନ୍ତ ଜାତୀୟ ରାଜପଥ ଅତି ସଂର୍କୀର୍ଣ୍ଣ ହୋଇ ରହିଛି। ସଂକୀର୍ଣ୍ଣତା ରହିଥିବା ବେଳେ ରାସ୍ତାର ଅନେକ ସ୍ଥାନରେ ଗଡାଣି ଓ ବୁଲାଣି ରହିଛି। ଏହି ରାସ୍ତା ରେ ପ୍ରତି ମିନଟ ରେ ବଡ ବଡ ଟ୍ରକ ଗୁଡିକ ଯିବା ଆସିବା କରୁଛି। ତଥାପି ସହରରେ ରାସ୍ତା ପ୍ରଶକ୍ତିକରଣ ହୋଇପାରୁନି। ଅନ୍ୟ ଦିଗରେ ସହରର ବାଇପାସ ରାସ୍ତା ଦିର୍ଘ ବର୍ଷ ହେବ ପ୍ରସ୍ତାବରେ ଅଟକି ରହିଛି।
