ଚଳିତ ବର୍ଷ ଶୀଘ୍ର ଛୁଇଁ ପାରେ ମୌସୁମୀ । ଏନେଇ ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି । ପାଣିପାଗ ବିଭାଗ କହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୨୬ ମେ’ ରେ କେରଳ ପହଞ୍ଚିପାରେ । ସାଧାରଣତଃ ମୌସମୀ ଜୁନ୍ ୧ରେ କେରଳରେ ପହଞ୍ଚିଥାଏ । କିନ୍ତୁ ଚଳିତ ଥର ମୌସୁମୀ ସ୍ଵାଭାବିକ ସମୟ ଠାରୁ ୬ ଦିନ ଆଗରୁ କେରଳ ପହଞ୍ଚିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । କହିରଖୁଛୁ ଯେ, ଗତ କାରଣ ୨୦୦୯ରେ ମୌସୁମୀ କେରଳରେ ୨୩ ମେ’ ରେ ପହଞ୍ଚିଥିଲା। ମେ ୧୬ସୁଦ୍ଧା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ପହଞ୍ଚି ପାରେ । ଏଥିପାଇଁ ଅନୁକୂଳ ପରିସ୍ଥିତି ରହିଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଏବେ ଉତ୍ତର-ପୂର୍ବ ଦିଗକୁ ଗତି କରୁଛି । ଏହା ଧୀରେ ଧୀରେ ଦୁର୍ବଳ ହେଉଛି । କିନ୍ତୁ ଏହାର ପ୍ରଭାବରେ ଆଗାମୀ କିଛି ଦିନ ମଧ୍ୟରେ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମୌସୁମୀ ବାୟୁ ସକ୍ରିୟ ହେବା ପାଇଁ ପରିସ୍ଥିତି ଅନୁକୂଳ ହେବାରେ ଲାଗିଛି। ମୌସୁମୀ ବାୟୁ ସମ୍ପୂର୍ଣ୍ଣ ନିକୋବର ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ ଆଣ୍ଡାମାନ ସାଗରକୁ ଆବୃତ କରିଥିବା ପାଣିପାଗ ଚିତ୍ରରୁ ସ୍ପଷ୍ଟ ହୋଇଛି । ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍ ୧ରେ କେରଳରେ ପହଞ୍ଚିବା ପରେ ଜୁଲାଇ ୮ ପର୍ଯ୍ୟନ୍ତ ସାରା ଭାରତରେ ବର୍ଷା ହୋଇଯାଇଥାଏ। । ୧୭ ସେପ୍ଟେମ୍ବରରେ ମୌସୁମୀ ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରୁ ହଟି ଯାଇଥାଏ । ଅକ୍ଟୋବର ୧୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରୁ ଫେରିଯାଇଥାଏ। ପ୍ରତିବର୍ଷ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବା ପରେ ଜୁନ୍ ପ୍ରଥମ ସପ୍ତାହରେ କେରଳରେ ପହଞ୍ଚିଥାଏ। କେରଳ ଛୁଇଁବାର ପ୍ରାୟ ୧୦ ରୁ ୧୨ ଦିନ ମଧ୍ୟରେ ଏହା ଓଡ଼ିଶାରେ ପ୍ରବେଶ କରେ। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଏଥର ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ, ଯାହା ଚାଷୀକୂଳ ପାଇଁ ବଡ଼ ଆଶା ସଞ୍ଚାର କରିଛି।
