ଭୁବନେଶ୍ବର: ରାତି ପାହିଲେ ସାବିତ୍ରୀ ବ୍ରତ ପାଳନ ହେବ। ରୀତି ଅନୁସାରେ ହିନ୍ଦୁ ପରିବାରର ଘରେ ଘରେ ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କ ପାଇଁ ଏହି ବ୍ରତ ପାଳନ କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରି ନୂତନ ଶାଢ଼ି କ୍ରୟ କରିଥିବା ବେଳେ ବିଭିନ୍ନ ପ୍ରକାର ଫଳ ମୂଳ କିଣି ପୂଜାର୍ଚ୍ଚନା କରିବା ନିମନ୍ତେ ସତ୍ୟବାନମାନଙ୍କୁ ବଜାରକୁ ପଠାଉଛନ୍ତି। ବଜାରରେ ସତ୍ୟବାନ ପହଞ୍ଚି ଫଳ ଦର ଶୁଣି ଚିନ୍ତାରେ ପଡ଼ିଯାଇ କେଜିଏ କିଣିବା ବଦଳରେ ଅଢେଇଶ ଗ୍ରାମରେ କାମ ଚଳାଉଛନ୍ତି। ଫଳ ଦର କିଲୋ ପିଛା ସବୁ ଶହେ ଉପରେ। କିଛି ନହେଲେ ବି ନଡ଼ିଆ, କଦଳୀ, ସେଓ, ଅଙ୍ଗୁରୁ, ସପୁରୀ, ଲିଚୁ, କମଳା ତ କିଣି ନେବାକୁ ପଡ଼ିବ। ଉପାୟ ଶୁନ୍ୟ ହୋଇ ସତ୍ୟବାନମାନେ ଅଳ୍ପ ବହୁତ ଫଳ କିଣି ମନ ସୁଖେଇ ଘରକୁ ଫେରୁଥିବା ଦେଖୁବାକୁ ମିଳିଛି। ୫୦୦ ଟଙ୍କାର ଫଳା ଗୋଟିଏ ବ୍ୟାଗ୍ ପୂରା ହେଉ ନାହିଁ। ବ୍ୟାଗ୍ ପୂର୍ଣ୍ଣ କରିବାକୁ ହେଲେ ଅତିକମ୍ରେ ୧ ହଜାର ଟଙ୍କା ଦରକାର। ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଫଳ ଦର ଆକାଶଛୁଆଁ ହୋଇଛି। କିଛି ଫଳ ଗ୍ରାମାଞ୍ଚଳରୁ ମିଳି ଯାଉଥିବାରୁ ଦର ସାମାନ୍ୟ କମ୍ ଥିଲା ବେଳେ ବାହାର ରାଜ୍ୟରୁ ଆମଦାନି ହେଉଥିବା ଫଳ ଦର ଆର୍ଥିକ ବୋଝ ବଢାଉଛି। କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରିର ବନ୍ଧଛକ, ଗାନ୍ଧି ଛକରେ ଫଳ ଦୋକାନଗୁଡ଼ିରେ ଗ୍ରାହକମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଦୋକାନୀମାନେ ପୂଜା ନିମନ୍ତେ ବିଭିନ୍ନ କିସମର ଫଳ ସଜେଇ ରଖିଥିବା ବେଳେ ଲୋକଙ୍କ ଭିଡ଼ ବି ଲାଗି ରହିଥିଲା। ଦର ଯେତେ ଅଧିକ ହେଲେ ମଧ୍ୟ ବିଧି କରିବା ନିମନ୍ତେ ସମସ୍ତ ସାମଗ୍ରୀ କିଣିବାକୁ ପଡ଼ିଥିଲା। ବିଶେଷ କରି ଦୋକାନଗୁଡ଼ିକରେ ମହିଳା ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବଜାରରେ ସେଓ ଏବଂ ଡାଲିମ୍ବ କିଲୋ ୩୦୦ ହୋଇଥିବା ବେଳେ କମଳା, ଲିଚୁ, ଅଙ୍ଗୁର ୨୦୦ ଟଙ୍କା, ସପୁରୀ ଗୋଟା ୫୦, କଦଳୀ ଗୋଟା ୭, ନଡ଼ିଆ ୪୦, ତାଳ ଗୋଟାଏ ୨୦ ଟଙ୍କା ଏହିଭଳି ଦରରେ କି ସାବିତ୍ରୀ ବ୍ରତ କରିବେ ଏହି ଚିନ୍ତାରେ ସତ୍ୟବାନମାନେ। ଅନ୍ୟପକ୍ଷରେ ଫଳମୂଳ ଦୋକାନ ଛାଡ଼ିଲେ ଶାଢ଼ି, ଚୁଡ଼ି ଦୋକାନରେ ମଧ୍ୟ ମହିଳାଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
