ଗଜପତି : ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ଦଲାଲଙ୍କ କବଜାରେ । ରୋଗୀଙ୍କ ସେବା ପାଇଁ ଆନ୍ଧ୍ରରୁ ଆସୁଥିବା ସ୍ପେଶାଲିଷ୍ଟ ଡାକ୍ତର ଏବେ ସ୍ଥାନୀୟ ରୋଗୀଙ୍କ ପାଇଁ ସାଜିଛନ୍ତି ବୁମେରାଂ । ଆନ୍ଧ୍ରର ଘରୋଇ ହସ୍ପିଟାଲକୁ ରୋଗୀ ଚାଲାଣ କରି ମୋଟା ଅଙ୍କର ମୁନାଫା କମାଉଛି ଏକ ବଡ଼ ରାକେଟ୍ । ଗଜପତି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ଓ ଚିକିତ୍ସା ଅବହେଳାର ଫାଇଦା ନେଉଛନ୍ତି ଦଲାଲ । ଅବାଧରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରବେଶ କରି ରୋଗୀଙ୍କୁ ପ୍ରଲୋଭିତ କରି ଆନ୍ଧ୍ରର କିଛି ନିର୍ଦ୍ଦିଷ୍ଟ ଘରୋଇ ହସ୍ପିଟାଲକୁ ପଠାଉଛନ୍ତି । ରୋଗୀ ସେଠାରେ ଶୋଷଣର ଶିକାର ହେଉଛନ୍ତି । କାରଣ ଆୟୁଷ୍ମାନ କାର୍ଡ ଅନୁମୋଦନ ଆସିବା ପୂର୍ବରୁ ଘରୋଇ ଆମ୍ବୁଲାନ୍ସ ଓ ପରୀକ୍ଷା ନିରୀକ୍ଷା ବାବଦକୁ ଖର୍ଚ୍ଚ ପୈଠ କରିବାକୁ ବାଧ୍ୟ କରାଯାଉଛି । ଫଳରେ ଧାର କରଜ କରି ଟଙ୍କା ଗଣୁଛନ୍ତି ଗରିବ ରୋଗୀ । ସତେ ଯେମିତି ଆନ୍ଧ୍ର ନିକଟରେ ବନ୍ଧା ପଡ଼ିଛି ସରକାରୀ ଜିଲ୍ଲା ସ୍ୱାସ୍ଥ୍ୟ ସେବା ବିଭାଗ । ଡାକ୍ତର ଅଭାବ ଦୂର କରିବାକୁ ରୋଗୀ କଲ୍ୟାଣ ପାଣ୍ଠିରୁ ଆନ୍ଧ୍ର ଘରୋଇ ହସ୍ପିଟାଲର କିଛି ସୁପର ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ କରିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଭାଷାଗତ ସମସ୍ୟା ଓ ଡାକ୍ତରଙ୍କୁ ସହଯୋଗ କରିବା ପାଇଁ କିଛି ଦଲାଲ ନିୟମିତ ମେଡିକାଲକୁ ଆସିଥାନ୍ତି । ଏହି ସ୍ପେଶାଲିଷ୍ଟ ଡାକ୍ତର ଉନ୍ନତ ଚିକିତ୍ସା ପାଇଁ ଆନ୍ଧ୍ରର ଘରୋଇ ହସ୍ପିଟାଲକୁ ରେଫର୍ କରୁଥିବା ଅଭିଯୋଗ ହୋଇଛି । ଆଉ ଦଲାଲ ମାନେ ଆୟୁଷ୍ମାନକାର୍ଡଧାରୀ ରୋଗୀଙ୍କୁ ମାଗଣା ଚିକିତ୍ସା ନାଁରେ ପ୍ରଲୋଭିତ କରି ଘରୋଇ ଆମ୍ବୁଲାନ୍ସ ଯୋଗେ ଆନ୍ଧ୍ର ପଠାଉଛନ୍ତି । ଅନ୍ୟପଟେ ଏନେଇ ଅଭିଯୋଗ ପରେ ଶିଶୁ ଓ ପ୍ରସୂତି ବିଭାଗରେ ଘୁରି ବୁଲୁଥିବା ଦଲାଲଙ୍କୁ ବାହାର କରାଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଗୋଟିଏପଟେ ସରକାରୀ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, ଅନ୍ୟପଟେ ବାହାର ରାଜ୍ୟର ଘରୋଇ ହସ୍ପିଟାଲ ଏହାର ଫାଇଦା ନେଉଛନ୍ତି ।
