ଆମେରିକାରେ ପରମାଣୁ ବୈଜ୍ଞାନିକଙ୍କ ରହସ୍ୟମୟ ନିଖୋଜ ଓ ମୃତ୍ୟୁ ଘଟଣାକୁ ନେଇ ବର୍ତ୍ତମାନ ଏଫ୍ବିଆଇ ବଡ଼ଧରଣର ତଦନ୍ତ କରୁଛି। ନିକଟରେ ଆମେରିକାରେ ଜଣେ ପରମାଣୁ ପଦାର୍ଥବିଜ୍ଞାନୀ ତଥା ଏମ୍ଆଇଟି ପ୍ରଫେସରଙ୍କୁ ତାଙ୍କ ମାସାଚୁସେଟ୍ସ ଘର ବାହାରେ ଗୁଳି କରି ହତ୍ୟା କରାଯିବା, ଜଣେ ଅବସରପ୍ରାପ୍ତ ବାୟୁସେନା ଜେନେରାଲ ନ୍ୟୁ ମେକ୍ସିକୋରେ ତାଙ୍କ ବାସଭବନରୁ ନିଖୋଜ ହୋଇଯିବା ତଥା ଲସ୍ ଆଞ୍ଜେଲସ୍ରେ ପର୍ବତାରୋହଣ ସମୟରେ ଜଣେ ଅନ୍ତରୀକ୍ଷ ଇଞ୍ଜିନିୟର ନିଖୋଜ ହୋଇଯିବାକୁ ନେଇ ଆମେରିକାରେ ଚିନ୍ତା ପ୍ରକାଶ ପାଇଛି। ୨୦୨୩ରେ ନାସାର ଜେଟ୍ ପ୍ରପଲଜନ୍ ଲାବୋରେଟୋରୀ ବୈଜ୍ଞାନିକ ମାଇକେଲ ଡେଭିଡ ହିକ୍ସଙ୍କ ମୃତ୍ୟୁକୁ ନେଇ ଆମେରିକାର ଆଇନ ପ୍ରଣେତା ପ୍ରଶ୍ନ କରିଛନ୍ତି। ହିକ୍ସଙ୍କର ୫୯ ବର୍ଷରେ ଜୁଲାଇ ୩୦, ୨୦୨୩ରେ ମୃତ୍ୟୁ ହୋଇଥିଲା। ସେ ଧୂମକେତୁ ଏବଂ ଗ୍ରହାଣୁ ଉପରେ ଅଧ୍ୟୟନ କରୁଥିବା ଆମେରିକା ଆଷ୍ଟ୍ରୋନମିକାଲ ସୋସାଇଟି ପ୍ରକାଶ କରିଛି । ତାଙ୍କ ମୃତ୍ୟୁର କାରଣ ପ୍ରକାଶ କରାଯାଇନାହିଁ। ଜେଟ୍ ପ୍ରୋପଲଜନ ସହିତ ଜଡ଼ିତ ମନିକା ରେଜା ଜୁନ୍ ୨୦୨୫ରେ ପର୍ବତାରୋହଣ କରୁଥିବା ସମୟରେ ନିଖୋଜ ହୋଇଯାଇଥିଲେ। ସେହିପରି ବାୟୁସେନାର ଜଣେ ଅବସରପ୍ରାପ୍ତ ମେଜର ଜେନେରାଲ ୱିଲିୟମ ନିଲ୍ ମ୍ୟାକ୍କାସଲାଣ୍ଡ ଫେବ୍ରୁଆରି ୨୭ ତାରିଖରୁ ତାଙ୍କ ନ୍ୟୁ ମେକ୍ସିକୋ ଘରୁ ନିଖୋଜ ହୋଇଯାଇଥିଲେ। ସେ ପେଣ୍ଟାଗନର ସବୁଠୁ ଗୁରୁତ୍ବପୂର୍ଣ୍ଣ ଅନ୍ୟାଧୁନିକ ଏରୋସ୍ପେଶ୍ ସହିିତ ଜଡ଼ିତ ଥିଲେ।
ସିଏନ୍ଏନ୍ର ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ସମ୍ବେଦନଶୀଳ ପରମାଣୁ ଓ ଏରୋସ୍ପେଶ୍ ରିସର୍ଚ୍ଚ ସହିତ ଜଡ଼ିତ ଅତିକମ୍ରେ ୧୦ ଜଣ ବୈଜ୍ଞାନିକଙ୍କର ନିକଟରେ ମୃତ୍ୟୁ କିମ୍ବା ସେମାନେ ନିଖୋଜ ଅଛନ୍ତି। ସେମାନଙ୍କ ମୃତ୍ୟୁ କିମ୍ବା ନିଖୋଜ ପଛରେ ଅନ୍ୟ କୌଣସି କାରଣ ଅଛି କି ନାହିଁ ତା’ର ତଦନ୍ତ ଚାଲିଛି। ଏଫବିଆଇ ନିଖୋଜ ଓ ମୃତ ବୈଜ୍ଞାନିକଙ୍କ ମଧ୍ୟରେ କ’ଣ ସମ୍ପର୍କ ରହିଛି ତା’ର ତଦନ୍ତ କରୁଛି। ଏହା ଶକ୍ତି ଓ ଯୁଦ୍ଧ ବିଭାଗ ସହିତ ମିଳିତ ଭାବେ କାର୍ୟ୍ୟ କରୁଛି। ଅନ୍ୟପକ୍ଷରେ ରିପବ୍ଲିକାନ୍ ନେତୃତ୍ବାଧୀନ ହାଉସ୍ ଓଭରସାଇଟ୍ କମିଟି ସୋମବାର ଘୋଷଣା କରିଥିଲା ଯେ, ଏହା ନିଖୋଜ ଓ ମୃତ ବୈଜ୍ଞାନିକଙ୍କ ରିପୋର୍ଟ ଉପରେ ତଦନ୍ତ କରିବ। ଏହି ବୈଜ୍ଞାନିକଙ୍କ ନିକଟରେ ଅତି ସମ୍ବେଦନଶୀଳ ତଥ୍ୟ ଥିବା ଅନୁମାନ କରାଯାଉଛି। ଆମେରିକା ରାଷ୍ଟ୍ରପତି ଏହି ସ୍ଥିତିକୁ ଗମ୍ଭୀର ବୋଲି କହିଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏହି ଘଟଣାର ସମ୍ପର୍କରେ ଫେଡେରାଲ ଏଜେନ୍ସି ସହିତ ଯାଞ୍ଚ କରାଯାଉଛି। ଏହି ଘଟଣା ଜାତୀୟ ସୁରକ୍ଷା ପ୍ରତି ବିପଦ ପରି ହୋଇଥିବାରୁ ଆମେରିକା କଂଗ୍ରେସ ପକ୍ଷରୁ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ଓଭରସାଇଟ୍ କମିଟିରେ ଥିବା ଡେମୋକ୍ରାଟିକ ଜେମ୍ସ ୱାକିଂସ କହିଛନ୍ତି, ଆମେରିକାରେ ହଜାର ହଜାର ପରମାଣୁ ବୈଜ୍ଞାନିକ ଓ ବିଶେଷଜ୍ଞ ଅଛନ୍ତି। ଏହା ଏପରି ପରମାଣୁ କାର୍ୟ୍ୟକ୍ରମ ନୁହେଁ ଯାହାକୁ ସମ୍ଭାବ୍ୟ ଭାବରେ କୌଣସି ବିଦେଶୀ ଶତ୍ରୁ ୧୦ ଜଣଙ୍କୁ ଟାର୍ଗେଟ କରି ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିପାରିବ।
