ମିର୍ଜାପୁର: ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାରେ ବୁଧବାର ରାତି ପ୍ରାୟ ୮:୩୦ ସମୟରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟି ୧୧ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ଏହି ସିରିଜ୍ ଦୁର୍ଘଟଣାରେ ଏକ ବୋଲେରୋ ଗାଡ଼ିରେ ନିଆଁ ଲାଗିଯିବା କାରଣରୁ ସେଥିରେ ଫସିରହିଥିବା ସମସ୍ତ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ବରିଷ୍ଠ ପୋଲିସ ଅଧିକାରୀ ଅପର୍ଣ୍ଣା ରଜତ କୌଶିକଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି ଏବଂ ମୃତକଙ୍କ ପରିଚୟ ଜାଣିବା ପାଇଁ ପ୍ରୟାସ ଜାରି ରହିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଘାଟିରୁ ଓହ୍ଲାଉଥିବା ସମୟରେ ବ୍ରେକ୍ ଫେଲ୍ ହେବା ଯୋଗୁଁ ଟ୍ରକଟି ସମ୍ମୁଖରେ ଥିବା ଏକ କଣ୍ଟେନର ଟ୍ରକକୁ ଧକ୍କା ଦେଇଥିଲା । ଏହି ସମୟରେ ଏକ ଅଲ୍ଟୋ କାର୍ ଦୁଇଟି ଟ୍ରକ୍ ମଝିରେ ଚାପି ହୋଇ ରହିଯାଇଥିଲା । ଏହି କ୍ରମରେ ଯାତ୍ରୀବାହୀ ଏକ ବୋଲେରୋ ଗାଡ଼ି ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା ଏବଂ ସେଥିରେ ତୁରନ୍ତ ନିଆଁ ଲାଗିଯାଇଥିଲା । ଗାଡ଼ି ଭିତରେ ଥିବା ଯାତ୍ରୀମାନେ ବାହାରକୁ ବାହାରିବା ପୂର୍ବରୁ ହିଁ ଜଳିଯାଇଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପ୍ରଶାସନ, ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିବା ବେଳେ ମୃତକଙ୍କ ପରିବାର ସହ ଯୋଗାଯୋଗ କରିବାକୁ ପୋଲିସ ଚେଷ୍ଟା କରୁଛି । ଦୁର୍ଘଟଣାରେ ସାମିଲ ଥିବା ଗାଡ଼ିଗୁଡ଼ିକ ବିହାର, ମଧ୍ୟପ୍ରଦେଶ, ସୋନଭଦ୍ର ଓ ମିର୍ଜାପୁରରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ସେହି ରୁଟରେ ଯାତାୟାତ ସ୍ୱାଭାବିକ କରିବା ପାଇଁ ପୋଲିସ ମୁତୟନ ରହିଛନ୍ତି ।
