ଓଡ଼ିଶାରେ ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ନାଁ କଟିବା ପରେ ଚିନ୍ତାରେ ଗୃହ ଵିଭାଗ । ଏଥିରେ ଅନେକ ତ୍ରୁଟି ନେଇ ଅଭିଯୋଗ ପରେ ହୋଲ୍ଡରେ ରହିଲା ୨ ଲକ୍ଷ ଫର୍ମ-୭ । ତେବେ ପୁନଃଯାଞ୍ଚ ଏକ ସ୍ୱାଭାବିକ ପ୍ରକ୍ରିୟା, ରାଜ୍ୟବାସୀଙ୍କୁ ଚିନ୍ତିତ ହେବାର କାରଣ ନାହିଁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଅନ୍ୟ ପକ୍ଷରେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ସମସ୍ତ ଭୋଟର୍ ପଞ୍ଜୀକରଣ ଅଧିକାରୀ-ଇଆର୍ଓ ମାନଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ । ସେଥିରେ ଲେଖିଛନ୍ତି, ଇଲେକ୍ଟର ମ୍ୟାପିଂ ପ୍ରକ୍ରିୟାରେ ପ୍ରାୟ ୯ ଲକ୍ଷ ୮୦ ହଜାର ନାଁ କଟିଯାଇଛି। ଏଥିରେ ଅନେକ ତ୍ରୁଟି ନେଇ ଅଭିଯୋଗ ମିଳିଛି । ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାଁ କଟାଯାଇଥିବା ଏବଂ ବିଏଲ୍ଓ ତୃଣମୂଳ ସ୍ତରରେ ଯାଞ୍ଚ କରିନଥିବା ଅଭିଯୋଗ ଆସିଛି । ତେଣୁ ଏପ୍ରିଲ୍ ୨ ପରେ ଆସିଥିବା ପ୍ରାୟ ୨ ଲକ୍ଷ ଫର୍ମ-୭ ଆବେଦନକୁ ହୋଲ୍ଡରେ ରଖାଯାଇଛି। ଇଆର୍ଓ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ, ମୃତ ଭୋଟରଙ୍କ ନାମ ପୂର୍ଣ୍ଣ ଯାଞ୍ଚ ପରେ ହିଁ କାଟିବେ । ଏନେଇ ପରିବାରବର୍ଗ କିମ୍ୱା ନିକଟ ସମ୍ପର୍କୀୟ ଫର୍ମ-୭ ଦାଖଲ କରିବେ । ନାଁ କଟିଥିଲେ ଭୋଟରଙ୍କ ଶେଷ ଜ୍ଞାତ ଠିକଣାରେ ନୋଟିସ୍ ଦେବାକୁ ହେବ। କୌଣସି ବ୍ୟକ୍ତିଙ୍କ ତଥ୍ୟ ସନ୍ଦେହଜନକ ଭାବେ ମେଳ ଖାଉଥିଲେ, ନାଁ କାଟିବା ପୂର୍ବରୁ ସଠିକ୍ ଯାଞ୍ଚ କରାଯିବ ଏବଂ ତାଙ୍କୁ ନୋଟିସ୍ ଜାରି କରିବାକୁ ପଡ଼ିବ।ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି- ଏହି ପ୍ରକ୍ରିୟାରେ ୨ ରୁ ୩ ପ୍ରତିଶତ ଅର୍ଥାତ୍ ଆମ ରାଜ୍ୟରେ ୭ ରୁ ୯ ଲକ୍ଷ ଭୋଟରଙ୍କ ନାଁ କଟିବା ସ୍ୱାଭାବିକ । କିନ୍ତୁ ତା ଠୁ ଅଧିକ ନାଁ କଟିଥିବାରୁ ପୁଣିଥରେ ଏହି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆର୍.ଏସ୍. ଗୋପାଳନ, ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ,ଏପ୍ରିଲ ୨ ପରଠୁ ଆସିଥିବା ଫର୍ମ-୭ ଆବେଦନ ଗୁଡ଼ିକରୁ ଅନ୍ୟୁନ ୫୦ ପ୍ରତିଶତ ମାମଲାରେ ବ୍ୟକ୍ତିଗତ ଭାବେ ଘରକୁ ଯାଇ ଯାଞ୍ଚ କରିବା ଏବଂ ଲିଖିତ ସାର୍ଟିଫିକେଟ୍ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଚିଠିରେ ଉଲ୍ଲେଖ ରହିଛି । ଏଥିସହ ‘୧୯୫୦’ କଲ୍ ସେଣ୍ଟର, ଇମେଲ୍ ଓ ଅନ୍ୟ ମାଧ୍ୟମରେ ଆସୁଥିବା ସମସ୍ତ ଅଭିଯୋଗକୁ ଗୁରୁତ୍ବ ଦେଇ ଯାଞ୍ଚ କରାଯିବ। ତେବେ ଏତେ ସଂଖ୍ୟକ ନାଁ କଟିବା ଚିନ୍ତାଜନକ ବୋଲି କହିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ନିର୍ବାଚନୀ ଫାଇଦା ପାଇଁ ଏଭଳି କାରସାଦି ଗଣତନ୍ତ୍ର ପ୍ରତି ବିପଦ । ଅନ୍ୟପକ୍ଷରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବିଜେଡିକୁ ସବୁ କଥାରେ ଷଡ଼ଯନ୍ତ୍ର ଦେଖାଯାଉଛି। ଯଦି କିଛି ନିର୍ଦ୍ଦିଷ୍ଟ ପ୍ରମାଣ ଅଛି ଦିଅନ୍ତୁ । ଏହାକୁ ନେଇ ଓଡ଼ିଶାରେ ଏବେ ରାଜନୀତି ଜୋର ଧରିଛି ।
