ଇରାନ-ଇସ୍ରାଏଲ୍ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ସ୍ଥିତି ଯୋଗୁଁ ଭାରତ ଭଳି ଦେଶରେ LPGର ଅଭାବ ଦେଖିବାକୁ ମିଳିଛି । ଏହି ସମୟରେ LPGର ବିଭିନ୍ନ ବିକଳ୍ପ ଖବରର ହେଡ୍ଲାଇନ୍ ପାଲଟିଥିଲା । ଲୋକେ ଇଣ୍ଡକ୍ସନ୍ କିମ୍ବା ଇନଫ୍ରାରେଡ୍ ଚୁଲାକୁ ବହୁଳ ଭାବରେ ବ୍ୟବହାର କରିବା ଆରମ୍ଭ କରିଛନ୍ତି । ସେହିଭଳି ପ୍ଲାଜ୍ମା ଚୁଲା ଏବଂ ହାଇଡ୍ରୋଜେନ୍ ଷ୍ଟୋଭ୍ ଭଳି ଟେକ୍ନୋଲୋଜିକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ପ୍ଲାଜ୍ମା ବା ହାଇଡ୍ରୋଜେନ୍ ଚୁଲା ଏବେ ସୁଦ୍ଧା ବ୍ୟବହାର ଯୋଗ୍ୟ ହୋଇନି, ଏହି ବକିଳ୍ପକୁ ବଡ଼ ସ୍ତରରେ ଆପଣାଇବା ସମ୍ଭବ ହୋଇନି । ଏଭଳି ସ୍ଥିତିରେ ଏକ ନୂଆ ଟେକ୍ନୋଲୋଜି ଆଶାର କିରଣ ଭାବେ ଉଭା ହୋଇଛି, ଯାହା କେବଳ ବ୍ୟବହାର ଯୋଗ୍ୟ ନୁହେଁ, ବରଂ ଆଗମୀ ଦିନରେ ଏହା LPG ଗ୍ୟାସ୍-ସିଲିଣ୍ଡରର ବିକଳ୍ପ ହୋଇପାରେ ।
ଆମେ ଏଠାରେ DME ଅର୍ଥାତ୍ ‘ଡାଇମିଥାଇଲ୍ ଇଥର’ ବିଷୟରେ କହୁଛୁ, ଯାହାକୁ ବୈଜ୍ଞାନିକମାନେ ଭବିଷ୍ୟତର ଇନ୍ଧନ ବୋଲି କହୁଛନ୍ତି । ରିପୋର୍ଟ ଅନୁଯାୟୀ, DME ଭବିଷ୍ୟତରେ ରନ୍ଧନ ଗ୍ୟାସ୍ ଉପରେ ଥିବା ନିର୍ଭରଶୀଳତାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇପାରେ । ଯେଉଁଠାରେ ପ୍ଲାଜ୍ମା ଏବଂ ହାଇଡ୍ରୋଜେନ୍ ଟେକ୍ନୋଲୋଜି ସାଧାରଣ ଲୋକଙ୍କ ବଜେଟ ବାହାରେ । ଏଭଳି ସ୍ଥିତିରେ DME ଭବିଷ୍ୟତର ଏପରି ଏକ ଟେକ୍ନୋଲୋଜି ପ୍ରମାଣିତ ହୋଇପାରେ, ଯାହା ଚୁଲା-ସିଲିଣ୍ଡର ବାଲା କିଚେନ୍ ସେଟଅପ୍ରେ ସହଜରେ ଖାପ ଖାଇଯିବ । ଏହାକୁ ନେଇ CSIR ବା ଜାତୀୟ ବିଜ୍ଞାନ ଯୋଗାଯୋଗ ଏବଂ ନୀତି ଗବେଷଣା ସଂସ୍ଥାନ ‘X’ ହ୍ୟାଣ୍ଡେଲ୍ରେ ଏକ ପୋଷ୍ଟ ସେୟାର କରିଛି । ସେଥିରେ କୁହାଯାଇଛି ଯେ, ଗବେଷକଙ୍କ ଦ୍ୱାରା ପ୍ରସ୍ତୁତ DME ଇନ୍ଧନ LPG ଭଳି କାର୍ଯ୍ୟ କରେ ଏବଂ ଏହାକୁ ବାୟୁରେ ଥିବା ପ୍ରଦୂଷଣକାରୀ ଧୂଆଁ ଏବଂ ବର୍ଜ୍ୟବସ୍ତୁ ଅର୍ଥାତ୍ ବାୟୋମାସ୍ରୁ ପ୍ରସ୍ତୁତ କରାଯାଇପାରିବ । ଏହି ଇନ୍ଧନ ଭାରତୀୟ ରୋଷେଇ ଘରର ସେଟଅପ୍ ପାଇଁ ପ୍ରଯୁଯ୍ୟ । ଏହା ଶକ୍ତି କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳ ହେବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । DME ଅର୍ଥାତ୍ ‘ଡାଇମିଥାଇଲ୍ ଇଥର’ ହେଉଛି ଏପରି ଏକ ଟେକ୍ନୋଲୋଜି, ଯାହାକୁ ବୈଜ୍ଞାନିକମାନେ ଭବିଷ୍ୟତର ଇନ୍ଧନ ବୋଲି ମାନୁଛନ୍ତି । ସହଜ ଭାଷାରେ କହିଲେ, ଏହା ଏକ ସିନ୍ଥେଟିକ୍ ଗ୍ୟାସ୍ ଯାହା ଅନେକାଂଶରେ LPG ଭଳି କାମ କରେ । ତେବେ ପରିବେଶ ପାଇଁ ଏହା LPG ଠାରୁ ଅଧିକ ପ୍ରଯୁଯ୍ୟ । DMEର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ଉତ୍ସ । ଆମେ ସମସ୍ତେ ଜାଣୁ ଯେ LPGକୁ ଭୂତଳରୁ ବାହାର କରାଯାଏ ଏବଂ ଏହା ଏକ ଜୀବାଶ୍ମ ଇନ୍ଧନ । ଅନ୍ୟପକ୍ଷରେ, DMEକୁ ଆମେ ଆଖପାଖରେ ଥିବା ଆବର୍ଜନା, ଚାଷଜମିର ଅବଶିଷ୍ଟାଂଶ ଯେପରିକି କଟା ଶସ୍ୟର ଅବଶିଷ୍ଟାଂଶ ଏବଂ କାରଖାନାରୁ ନିର୍ଗତ ଧୂଆଁରୁ ଲାବୋରେଟୋରୀରେ ପ୍ରସ୍ତୁତ କରିପାରିବା । DME ର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଏହାକୁ ବ୍ୟବହାର କରିବା ପାଇଁ ଅନ୍ୟ ଚୁଲାଗୁଡ଼ିକ ପରି ଆପଣଙ୍କୁ ନିଜର ପୁରୁଣା ଗ୍ୟାସ୍ ଚୁଲା, ପାଇପ୍ କିମ୍ବା ସିଲିଣ୍ଡର ବଦଳାଇବାର ଆବଶ୍ୟକତା ନାହିଁ । ଏହା ବର୍ତ୍ତମାନର ଭିତ୍ତିଭୂମି ସହିତ ସହଜରେ ଖାପ ଖାଇଯାଏ । LPG ପାଇଁ ଆମେ ବିଦେଶ ଉପରେ ନିର୍ଭରଶୀଳ, କିନ୍ତୁ DMEକୁ ଆମେ ନିଜ ଦେଶରେ କୋଇଲା, ଆବର୍ଜନା ଏବଂ ପରଳିରୁ ତିଆରି କରିପାରିବା । ଏହାଦ୍ୱାରା ଖର୍ଚ୍ଚ ମଧ୍ୟ ବହୁତ କମିଯାଏ । LPG ତୁଳନାରେ DME ଆଦୌ କାଳି ବା ବିଷାକ୍ତ ଧୂଆଁ ସୃଷ୍ଟି କରେ ନାହିଁ । ଏହା ଏତେ ସ୍ୱଚ୍ଛ ଇନ୍ଧନ ଯେ ଏଥିରେ ବାସନ ମଧ୍ୟ କଳା ପଡ଼େ ନାହିଁ । DMEର ଆଉ ଏକ ବିଶେଷତ୍ୱ ହେଉଛି, ଏହାକୁ ମଧ୍ୟ ତରଳ ଅବସ୍ଥାରେ ସିଲିଣ୍ଡରରେ ଭରି ହେବ । ଏହାଦ୍ୱାରା ଲୋକଙ୍କ ରୋଷେଇ ଘରର ବର୍ତ୍ତମାନର ସେଟଅପ୍ରେ କୌଣସି ପରିବର୍ତ୍ତନ କରିବାକୁ ପଡ଼ିବ ନାହିଁ । ତେଣୁ ଭବିଷ୍ୟତରେ LPG ବଦଳରେ ଲୋକେ DME ବ୍ୟବହାର କରି ପାରନ୍ତି ।
