ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ପଡ଼ି ଛି ପେଟ୍ରୋଲ ପମ୍ପରେ । ଲୋକଙ୍କ ଚାହିଦା ଅନୁସାରେ ମିଳୁନି ପେଟ୍ରୋଲ ଓ ଡିଜେଲ୍ । ଝାରସୁଗୁଡ଼ା ଜିଲ୍ଲାର ଅଧିକାଂଶ ପେଟ୍ରୋଲ ପମ୍ପରେ ଏଭଳି ସ୍ଥିତି । ଲୋକମାନେ ୪୦ ଡିଗ୍ରି ପାରଦରେ ବୁଲୁଛନ୍ତି ଏ ଟାଙ୍କିରୁ ସେ ଟାଙ୍କି କିନ୍ତୁ ମିଳୁନି ପେଟ୍ରୋଲ। ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଥିବା ସବୁ ପେଟ୍ରୋଲ ପମ୍ପରେ ତୈଳ ସଙ୍କଟ। କିଏ ବାଇକ୍ ତ କିଏ କାରରେ ଆସୁଛନ୍ତି କିନ୍ତୁ ତେଲ ମିଳୁନଥିବାରୁ ନିରାଶ ହୋଇ ଫେରଥିବା ଦେଖିବାକୁ ମିଳୁଛି । କେଉଁ ପେଟ୍ରୋଲ ପମ୍ପ ଦିନ ଦିନ ଧରି ବନ୍ଦ ରହିଛି ତ ଆଉ ଯେଉଁଟା ଖୋଲାଅଛି ସେଠାରେ ପର୍ଯ୍ୟାପ୍ତ ପେଟ୍ରୋଲ ଓ ଡିଜେଲ୍ ମିଳୁନି। କେବଳ ଝାରସୁଗୁଡ଼ା କି ସମ୍ବଲପୁର ନୁହେଁ ପୂରା ପଶ୍ଚିମ ଓଡ଼ିଶାରେ ତୈଳ ସଙ୍କଟ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଏଭଳି ସ୍ଥିତି ଦେଖାଦେଇଥିବା କଥା କୁହାଯାଉଛି । କିନ୍ତୁ ଏହାକୁ ଖଣ୍ଡନ କରିଛି ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘ । ଡିଲର ଓ ଅନ୍ୟାନ୍ୟ ପରିଚାଳନାଗତ ତ୍ରୁଟି ଯୋଗୁଁ ମଝିରେ ମଝିରେ ସମସ୍ୟା ହେଉଛି କିନ୍ତୁ ଯୁଦ୍ଧ ସହିତ ତୈଳ ସଙ୍କଟର କୌଣସି ସମ୍ପର୍କ ନାହିଁ ବୋଲି ସଂଘ ସମ୍ପାଦକ କହିଛନ୍ତି। ଗୋଟେ ପଟେ ଗ୍ୟାସ୍ ଅନ୍ୟପଟେ ପେଟ୍ରୋଲ,ଡିଜେଲ୍ ଭଳି ଅତ୍ୟାବଶ୍ୟକ ଇନ୍ଧନର ଅଭାବ ଲୋକମାନଙ୍କ ମୁଣ୍ଡବିନ୍ଧା ବଢ଼ାଉଛି ।
