ନୂଆଦିଲ୍ଲୀ: ଆସନ୍ତା ବିଧାନସଭା ନିର୍ବାଚନ ଏବଂ ଉପ-ନିର୍ବାଚନକୁ ଅବାଧ ଓ ନିଷ୍ପକ୍ଷ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ଆକ୍ସନ ମୋଡ୍ରେ ଅଛନ୍ତି । ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ ନଗଦ ଟଙ୍କା, ମଦ ଏବଂ ଡ୍ରଗ୍ସ ଉପରେ କମିଶନଙ୍କ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୫ଟି ରାଜ୍ୟରୁ ୬୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ସାମଗ୍ରୀ ଓ ନଗଦ ଟଙ୍କା ଜବତ କରାଯାଇଛି । ନିର୍ବାଚନ କମିଶନଙ୍କ ‘ଇଲେକ୍ଟ୍ରୋନିକ ଜବତ ପରିଚାଳନା ପ୍ରଣାଳୀ’ ଅନୁଯାୟୀ, ୫ ଏପ୍ରିଲ ସୁଦ୍ଧା ମୋଟ୍ ୬୫୧.୫୧ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି । ଜବତ ହୋଇଥିବା ଟଙ୍କା ମଧ୍ୟରୁ ୫୩.୨ କୋଟି ନଗଦ ଟଙ୍କା, ୭୯.୩ କୋଟି ଟଙ୍କାର ମଦ, ୨୩୦ କୋଟି ଟଙ୍କାର ନିଶାଦ୍ରବ୍ୟ, ୫୮ କୋଟି ଟଙ୍କାର ମୂଲ୍ୟବାନ ଧାତୁ ଯେପରିକି ସୁନା ଓ ରୁପା, ୨୩୧ କୋଟି ଟଙ୍କାର ମାଗଣା ଉପହାର ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି । ଜବତ ତାଲିକାରେ ପଶ୍ଚିମବଙ୍ଗ ସବୁଠୁ ଆଗରେ ରହିଛି । ପଶ୍ଚିମବଙ୍ଗରୁ ୩୧୯ କୋଟି ଟଙ୍କା, ତାମିଲନାଡୁରୁ ୧୭୦ କୋଟି ଟଙ୍କା, ଆସାମରୁ ୯୭ କୋଟି ଟଙ୍କା, କେରଳରୁ ୫୮ କୋଟି ଟଙ୍କା, ପୁଡ଼ୁଚେରୀରୁ ୭ କୋଟି ଟଙ୍କା ଜବତ ହୋଇଛି । ନିର୍ବାଚନକୁ ହିଂସାମୁକ୍ତ ଓ ପ୍ରଲୋଭନମୁକ୍ତ କରିବା ପାଇଁ କମିଶନ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ୫,୧୭୩ରୁ ଅଧିକ ଫ୍ଲାଇଂ ସ୍କ୍ୱାଡ୍ ଦଳ ମୁତୟନ କରାଯାଇଛି । ଯେକୌଣସି ଅଭିଯୋଗର ୧୦୦ ମିନିଟ୍ ମଧ୍ୟରେ ସମାଧାନ କରାଯିବ । ୫,୨୦୦ରୁ ଅଧିକ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଯାଞ୍ଚ କରୁଛନ୍ତି ।ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ସହିତ ଲାଗିଥିବା ୧୨ଟି ପଡ଼ୋଶୀ ରାଜ୍ୟର ସୀମାରେ ମଧ୍ୟ କଡ଼ା ନଜର ରଖାଯାଇଛି । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କରେ ସୂଚନା ଦେବା ପାଇଁ ସାଧାରଣ ନାଗରିକ ‘ସି-ଭିଜିଲ’ ଆପ୍ ବ୍ୟବହାର କରିପାରିବେ । ଏଥି ସହିତ, ଯାଞ୍ଚ ସମୟରେ ଯେପରି ସାଧାରଣ ଜନତା ହଇରାଣ ନହୁଅନ୍ତି, ସେଥିପାଇଁ ଜିଲ୍ଲା ସ୍ତରରେ ଅଭିଯୋଗ ନିବାରଣ କମିଟି ଗଠନ କରାଯାଇଛି । ଏହି ୫ଟି ରାଜ୍ୟରେ ଏପ୍ରିଲ ୯ ଏବଂ ଏପ୍ରିଲ ୨୩ରେ ମତଦାନ ହେବାକୁ ଥିବାବେଳେ, ମେ ୪ ତାରିଖରେ ଭୋଟ୍ ଗଣତି କରାଯିବ ।
