ଭୋଗରାଇ : ମାଆକୁ ମାରିଲା ପୁଅ । ଏ କଥା ଯେତିକି ହୃଦୟ ବିଦାରକ ସେତିକି ଆଶ୍ଚର୍ଯ୍ୟ । କେହି କେବେ ଜନ୍ମ କଲା ମାଆକୁ ହାତ ଉଠାଇବାକୁ ବି ସ୍ବପ୍ନରେ ଭାବି ନ ଥାଏ । ମାତ୍ର ଆଜି ଏଭଳି ଜଣେ ପୁଅର ଘଟଣା ସାମ୍ନାକୁ ଆସିଛି ଯିଏ ମାଆକୁ ହତ୍ୟା କରିଛି । ଏଭଳି ଏକ ଘଟଣା ନଜରକୁ ଆସିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଚକେଇସବ ଗ୍ରାମରେ । ମା’କୁ ବିଷ ଖୁଆଇ ହତ୍ୟା କରିଛି ପୁଅ । ଏ ନେଇ ଅଭିଯୋଗ ଆଣିଛନ୍ତି ପୁତୁରା ଓ ନଣନ୍ଦ । ପରେ ପୁଅକୁ ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ । ଖବରପାଇ ଘଟଣାସ୍ଥଳରେ କମର୍ଦ୍ଦା ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ, କମର୍ଦ୍ଦା ଥାନା ଅନ୍ତର୍ଗତ ଚକେଇସବ ଗ୍ରାମର ପଦ୍ମାବତୀ ଦଳାଇ ଓ ପୁଅ ଲଷ୍ମୀକାନ୍ତ ଦଳାଇଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଲାଗି ରହିଥିଲା । ପୁତୁରା କହିବା ଅନୁଯାୟୀ ଗତକାଲି ରାତିରେ ପୁଅ ମା’କୁ ମାଡ଼ ମାରି ଘର ବାହାରକୁ ବାହାର କରିଦେଇଥିଲା । ଆଜି ସକାଳେ ସ୍ତ୍ରୀକୁ ଶ୍ବଶୁର ଘରେ ଛାଡ଼ି ଦେଇ ପୁଅ ଘରକୁ ଫେରିଥିଲା । ପରେ ଘରେ ଥିବା ବିଷକୁ ମା’ ମୁହଁରେ ଜବରଦସ୍ତ ଖୁଆଇଦେଇଥିଲା ପୁଅ । କିଛି ସମୟ ପରେ ମା’ର ମୃତ୍ୟୁ ହୋଇଥିଲା । ପରିବାର ଲୋକ ଓ ଗ୍ରାମବାସୀ ପୁଅକୁ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଯୁବକକୁ ଗିରଫ କରି ତଦନ୍ତ ଜାରି ରଖିଛି ।
