ଭୁବନେଶ୍ବର: ଓଡ଼ିଶାର ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରାକୁ ନିଜର ଦୈନନ୍ଦିନ ଜୀବନର ଅଂଶବିଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ବିଗତ ବର୍ଷ ୨୦୨୫ ମସିହାରେ ସାରା ରାଜ୍ୟରେ ପ୍ରଥମ ଥର ପାଇଁ ଓଡ଼ିଆ ଅସ୍ମିତାର ମହାପର୍ବ- “ଓଡ଼ିଆ ପକ୍ଷ” ପାଳନ କରାଯାଇଥିଲା। ଓଡ଼ିଆ ଘରର ଗାଥା-ଗୌରବ, କଥାସରିତା, ଚାଲି-ଚଳଣି, ଖାଦ୍ୟ-ପାନୀୟ, ପୋଷାକ-ପରିଧାନ ସଂସ୍କୃତି ଓ ପରମ୍ପରାକୁ ପୁନଶ୍ଚ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଚଳିତ ବର୍ଷ (୨୦୨୬) ମଧ୍ୟ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୪ ଦିନ ଧରି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ” ଭବ୍ୟତାର ସହ ପାଳନ କରାଯିବ। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ।
