ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁଁ ଏଲ୍ପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏଥି ଯୋଗୁଁ ମାର୍ଚ୍ଚ ମାସର ପ୍ରଥମାର୍ଦ୍ଧରେ ଭାରତରେ ରନ୍ଧନ ଗ୍ୟାସ ଏଲ୍ପିଜି ବ୍ୟବହାର ୧୭.୭ ପ୍ରତିଶତ ହ୍ରାସ ପାଇଛି। ମାର୍ଚ୍ଚ ମାସର ପ୍ରଥମ ୧୫ ଦିନରେ ଏଲ୍ପିଜି ବ୍ୟବହାର ୧.୧୪୭ ନିୟୁତ ଟନ୍କୁ ହ୍ରାସ ପାଇଛି, ଯାହା ଗତ ବର୍ଷ ସମାନ ସମୟରେ ବ୍ୟବହୃତ ୧.୩୮୭ ନିୟୁତ ଟନ୍ ତୁଳନାରେ ୧୭.୩ ପ୍ରତିଶତ କମ୍। ସେହିଭଳି ଫେବ୍ରୁଆରି ମାସର ପ୍ରଥମାର୍ଦ୍ଧରେ ୧.୫୫୭ ନିୟୁତ ଟନ୍ ଚାହିଦା ତୁଳନାରେ ୨୬.୩ ପ୍ରତିଶତ କମ୍। ଭାରତ ଏହାର ଏଲପିଜି ଆବଶ୍ୟକତାର ପ୍ରାୟ ୬୦ ପ୍ରତିଶତ ଆମଦାନି କରେ। ଅଧିକାଂଶ ଏଲ୍ପିଜି ହର୍ମୁଜ୍ ପ୍ରଣାଳୀ ଦେଇ ଆସେ। ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ଏବଂ ଏହା ପରେ ତେହେରାନର ପ୍ରତିଆକ୍ରମଣ ଫଳରେ ଏଲ୍ପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି। ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସରୁ ଯୋଗାଣ ବାଧାପ୍ରାପ୍ତ ହେବା ସହିତ, ଘରୋଇ ରନ୍ଧନ ଗ୍ୟାସ ଉପଲବ୍ଧତାକୁ ଅବ୍ୟାହତ ରଖିବା ପାଇଁ ସରକାର ହୋଟେଲ ଏବଂ ଶିଳ୍ପ ଭଳି ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଏଲ୍ପିଜି ଯୋଗାଣ ହ୍ରାସ କରିଛନ୍ତି। ବଜାରର ପ୍ରାୟ ୯୦ ପ୍ରତିଶତ ନିୟନ୍ତ୍ରଣ କରୁଥିବା ତିନୋଟି ରାଷ୍ଟ୍ରାୟତ୍ତ ଇନ୍ଧନ ଖୁଚୁରା ବ୍ୟବସାୟୀଙ୍କ ପ୍ରାରମ୍ଭିକ ବିକ୍ରୟ ତଥ୍ୟ ଦର୍ଶାଉଛି ଯେ ମାର୍ଚ୍ଚ ୧ରୁ ୧୫ ମଧ୍ୟରେ ଏଲ୍ପିଜି ବ୍ୟବହାର ୨୦୨୪ର ସମାନ ଅବଧିର ଚାହିଦା ତୁଳନାରେ ୧୬ ପ୍ରତିଶତ ଏବଂ ମାର୍ଚ୍ଚ ୧-୧୫, ୨୦୨୩ ତୁଳନାରେ୧୦.୬ ପ୍ରତିଶତ କମ୍ ଥିଲା। ଯୁଦ୍ଧ ପାଇଁ ଉପସାଗରୀୟ ଦେଶଗୁଡ଼ିକ ସେମାନଙ୍କ ଆକାଶ ମାର୍ଗକୁ ବନ୍ଦ କରିଥିଲେ। ଏଥିପାଇଁ ଚଳିତମାସର ପ୍ରଥମ ୧୫ ଦିନରେ ବିମାନ ଇନ୍ଧନ ବ୍ୟବହାର ଗତବର୍ଷର ଅବଧି ତୁଳନାରେ ୪ ପ୍ରତିଶତ ହ୍ରାସ ପାଇ ୩,୨୭,୯୦୦ ଟନ୍ ରହିଛି। ଏଲ୍ପିଜି ଓ ବିମାନ ଇନ୍ଧନ ବ୍ୟବହାର କରିବା ସମୟରେ ପେଟ୍ରୋଲ ବ୍ୟବହାର ୧୩.୨ ପ୍ରତିଶତ ବୃଦ୍ଧି ପାଇ ୧.୫ ନିୟୁତ ଟନ୍ରେ ଏବଂ ଡିଜେଲ ବ୍ୟବହାର ୮.୨ ପ୍ରତିଶତ ବୃଦ୍ଧି ପାଇ ୩.୩୮୪ ନିୟୁତ ଟନ୍ରେ ପହଞ୍ଚିଛି।
