ଭୁବନେଶ୍ୱର, ୨୦।୨: ଶଙ୍ଖ ଭବନଠାରେ ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ । ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଥିଲେ ଯେ, ବିଜୁ ଜନତା ଦଳ ହେଉଛି ଓଡ଼ିଶାର କୋଟି କୋଟି ମା’ ମାନଙ୍କର ନିଜ ଦଳ । ଗତ ୨୭ ବର୍ଷର ଯାତ୍ରା ଭିତରେ ବିଜେଡି ମା’ ମାନଙ୍କର ସଶକ୍ତି କରଣ ଉପରେ ସବୁବେଳେ ପ୍ରାଥମିକତା ଦେଇ ଆସିଛି । ଶ୍ରୀ ପଟ୍ଟନାୟକ କହିଥିଲେ ମା’ ମାନଙ୍କ ସଶକ୍ତ କରଣ ହିଁ ଓଡ଼ିଶାର ପ୍ରକୃତ ସଶକ୍ତିକରଣ । ବିଜୁ ମହିଳା ଜନତା ଦଳ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଏକ ଆଦର୍ଶ ସଶକ୍ତି କରଣ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରି ଗାଁ ଗାଁରେ ମା’ ମାନଙ୍କୁ ସଂରକ୍ଷିତ କରିବା ଓ ସେମାନଙ୍କ ଆର୍ଥିକ ବିକାଶ ଦିଗରେ ସବୁବେଳେ ମା’ ମାନଙ୍କ ସାଥିରେ ଅଛି । ମା’ ମାନଙ୍କ ରୋଜଗାର ବୃଦ୍ଧି ସହିତ ସେମାନଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିବା ହେଉଛି ବିଜୁ ମହିଳା ଜନତା ଦଳର ଆଦର୍ଶ । ମା’ ମାନଙ୍କର ସଶକ୍ତି କରଣକୁ ଏକ ସାମାଜିକ ଆନ୍ଦୋଳନ ଭାବରେ ଗଢ଼ି ତୋଳିବାରେ ବିଜୁ ଜନତା ଦଳର ଭୂମିକା ଉଲ୍ଲେଖନୀୟ । ମହିଳାମାନଙ୍କ ଉପରେ ବଢ଼ି ଚାଲିଥିବା ଅତ୍ୟାଚାର ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ ମହିଳାମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଲଢ଼େଇକୁ ଆହୁରି ଜୋରଦାର କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ଏଥିସହିତ ମିଥ୍ୟା ପ୍ରଚାରକୁ ପ୍ରତିରୋଧ କରି ମା’ ମାନଙ୍କୁ ବିକାଶ ମାର୍ଗରେ ନେବା ପାଇଁ ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ପଟ୍ଟନାୟକ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ମହିଳା ଜନତା ଦଳର ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ସ୍ୱାଗତ ଭାଷଣ ଦେଇଥିଲେ । ନବ ନିଯୁକ୍ତ ଦଳୀୟ କର୍ମକର୍ତ୍ତାମାନେ ସଭାପତିଙ୍କୁ ତାଙ୍କର ମାର୍ଗ ଦର୍ଶନ ପାଇଁ ଧନ୍ୟବାଦ ଜଣାଇଥିଲେ ।
