ମୁମ୍ବାଇ ୧୫/୦୨: ଜେଲ୍ ଭିତରୁ ନିଜ ଭାଲେନ୍ଟାଇନ୍କୁ ଉପହାର ଦେଇଛି ଠକ ସୁକେଶ ଚନ୍ଦ୍ରଶେଖର । ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ସେ ଏକ ବିଳାସପୂର୍ଣ୍ଣ ଏୟାରବସ୍ ହେଲିକପ୍ଟର ଉପହାର ଦେଇଥିବା ଦାବି କରିଛି । ଏଥିସହ ଫେବ୍ରୁଆରୀ ୧୪, ୨୦୨୬ ତାରିଖ ଲେଖା ଥିବା ଏକ ଲମ୍ବା ଓ ଭାବପୂର୍ଣ୍ଣ ପ୍ରେମ ପତ୍ର ଦେଇଛି । ଏହି ହାତଲେଖା ଚିଠିରେ ଜ୍ୟାକ୍ଲିନ୍ଙ୍କୁ ସମ୍ବୋଧିତ କରାଯାଇଛି । ପଠାଇଥିବା ବ୍ୟକ୍ତି ସ୍ଥାନରେ ସୁକେଶ ଚନ୍ଦ୍ରଶେଖର ନାମ ରହିଛି । ‘ମାଇଁ ବେବି ବୋମ୍ମା ଜ୍ୟାକ୍ଲିନ୍ଙ୍କୁ’ ସହିତ ଚିଠି ଆରମ୍ଭ ହୋଇଛି । ତା’ପରେ ସ୍ନେହ, ପ୍ରେମ ଓ ଅନୁତାପର ଭାଷା ଜରିଆରେ ସେ ପ୍ରେମ ପତ୍ରକୁ ଆଗକୁ ବଢ଼ାଇଛି । ଜେଲ୍ର ଚାରିକାନ୍ଥ କେମିତି ତାକୁ ଜ୍ୟାକ୍ଲିନ୍ଙ୍କଠୁ ଅଲଗା କରିଛି ଏବଂ ମରୁଭୂମିରେ ହଜିଯାଇଥିବା ଜଣେ ମଣିଷ ଭଳି କେମିତି ତାଙ୍କୁ ଝୁରୁଛି, ଏକାଧିକ ଠକେଇ ମାମଲାରେ ଜେଲ୍ରେ ଥିବା ସୁକେଶ ତାହା ବର୍ଣ୍ଣନା କରିଛି । ଏୟାରବସ୍- ଏଚ୍ ସିରିଜ୍ ହେଲିକପ୍ଟର ଉପହାର ବିଷୟରେ ସେ କହିଛି, ଏହାକୁ ସେ ଖାସ୍ ଜ୍ୟାକ୍ଲିନ୍ଙ୍କ ପାଇଁ ସ୍ୱତନ୍ତ୍ର ରୂପେ ଡିଜାଇନ୍ କରାଇଛି, ଯାହା ତାଙ୍କ ପାଇଁ ଉପଯୁକ୍ତ ଉପହାର । ହେଲିକପ୍ଟର ବାହାରେ ଓ ଭିତରେ ‘ଜେଏଫ୍’ ଉଲ୍ଲେଖ ହୋଇଛି, ଯାହା ଜ୍ୟାକ୍ଲିନ୍ଙ୍କ ନାଁକୁ ଦର୍ଶାଉଛି । ହେଲିକପ୍ଟରକୁ ସେ ନିଜର କଷ୍ଟୋପାର୍ଜିତ ଧନରେ କିଣିଛି, ଅଭିଯୋଗ ହୋଇଥିବା ତଥାକଥିତ ଅପରାଧ ଜରିଆରେ ନୁହେଁ ବୋଲି ସ୍ପଷ୍ଟ କରିଛି । ଜ୍ୟାକ୍ଲିନ୍ଙ୍କଠୁ ଦୂରରେ ରହିବାର ଦୁଃଖକୁ ବର୍ଣ୍ଣନା କରି ସୁକେଶ ଲେଖିଛି ‘ମୋର ପ୍ରତ୍ୟେକ ହୃଦ୍ସ୍ପନ୍ଦନ, ଖାସ୍କରି ଆଜି, ଆମ ମଧ୍ୟରେ ଦୂରତାକୁ ମନେପକାଇ ଦେଉଛି । ଆମ ଉପରେ ଯେତେ ବିପଦ ଆସିଲେ ବି ଆମକୁ ପରସ୍ପରଠୁ କିଛି ବି ଅଲଗା କରିପାରନି କି ପାରିବ ନାହିଁ ।’ ତା’ ପାଇଁ ଜ୍ୟାକ୍ଲିନ ସମ୍ମୁଖୀନ ହୋଇଥିବା ଆଇନଗତ ସମସ୍ୟା, ଲଜ୍ଜା ଓ ଚାପ ପାଇଁ ସୁକେଶ କ୍ଷମା ମାଗିଛି । ଆହୁରି ଦାବି କରିଛି, ଏ ଝଡ଼ ଶେଷ ହୋଇଆସୁଛି । ସବୁ ସମସ୍ୟାର ସମାଧାନ କରିବାକୁ ଏବଂ ଜ୍ୟାକ୍ଲିନ୍ ଯେଉଁ ଶାନ୍ତିର ହକ୍ଦାର ତା’ର ପୁର୍ନସ୍ଥାପନା ଲାଗି ସେ ପ୍ରତିଜ୍ଞା ମଧ୍ୟ କରିଛି । ଜ୍ୟାକ୍ଲିନ୍ଙ୍କ ଉପରେ ଅଧିକାର ଜାହିର କରି ସେ ଲେଖିଛି ‘ତୁମେ ମୋର, କେବଳ ମୋର, ଚିରକାଳ ପାଇଁ ମୋ ଆତ୍ମାରେ ରହିଗଲ । ଆଉ କେହି ତୁମ ହୃଦୟର ସାମାନ୍ୟତମ ବିନ୍ଦୁକୁ ବି କଦାପି ଦାବି କରିପାରିବ ନାହିଁ ।’ ରୋମିଓ ଜୁଲିଏଟ୍, ହୀର୍ ରାନ୍ଝା, ଲୈଲା ମଜ୍ନୁଙ୍କ ଭଳି କିମ୍ବଦନ୍ତୀ ପ୍ରେମୀଯୁଗଳଙ୍କ ସହ ସେ ନିଜ ପ୍ରେମକୁ ତୁଳନା କରିଛି । ବିଶ୍ୱରେ ଯଦି ପ୍ରେମ କାହାଣୀ ଲେଖାଯାଏ, ସେମାନଙ୍କର କାହାଣୀ ଅନ୍ୟତମ ହେବା ଉଚିତ୍ ବୋଲି ଲେଖିଛି । ଶେଷରେ ସେ ଜ୍ୟାକ୍ଲିନ୍ଙ୍କୁ ଭାଲେନ୍ଟାଇନ୍ସ ଡେ’ ଶୁଭେଚ୍ଛା ଜଣାଇଛି । ତେବେ ଏହି ଭାଲେନ୍ଟାଇନ୍ସ ଡେ’ ଚିଠି ଓ ଉପହାର ବିଷୟରେ ଜ୍ୟାକ୍ଲିନଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଏହା ପୂର୍ବରୁ ସୁକେଶ ଜେଲରୁ ଏକାଧିକ ଚିଠି ସୋସିଆଲ ମିଡିଆ ମାଧ୍ୟମରେ ଜ୍ୟାକ୍ଲିନଙ୍କୁ ପଠାଇଛି ।
