ଭୁବନେଶ୍ୱର,୧୫/୦୨; ବିଜେପି କେମିତି କହୁଛି ରାଜ୍ୟସଭା ଚତୁର୍ଥ ଆସନ ହାତେଇବ ? ରାଜ୍ୟସଭା ନିର୍ବାଚନରେ ବିଜେପି ଘୋଡ଼ା ବେପାର କରିବାକୁ ପ୍ରୟାସ ଆରମ୍ଭ କରିଛି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ଅପରପକ୍ଷେ ଶାସକ ବିଜେପି ପକ୍ଷରୁ କୁହାଯାଇଛି ପିସିସି ସଭାପତି ନିଜ ଦଳର ଘୋଡ଼ା ଉପରେ ନଜର ରଖନ୍ତୁ । ତେବେ ବିଜେଡି କହିଛି, ବିଜ୍ଞପ୍ତି ପ୍ରକାଶ ପରେ ନବୀନ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଉଲ୍ଲେଖଯୋଗ୍ୟ, ରାଜ୍ୟସଭାରେ ଖାଲି ପଡିବାକୁ ଥିବା ୪ଟି ଆସନ ମଧ୍ୟରୁ ବିଜେପି ୩ଟି ଦଖଲ କରିବା ନେଇ ପ୍ରଭାରୀ ବିଜୟପାଲ ସିଂ ତୋମାର କହିବା ପରେ ରାଜ୍ୟ ରାଜନୀତିରେ ତାତି ଦେଖିବାକୁ ମିଳିଛି । ପିସିସି ସଭାପତି ଭକ୍ତ ଅଭିଯୋଗ କରିଛନ୍ତି, ରାଜ୍ୟସଭା ପାଇଁ ବିଜେପି ଏବେଠାରୁ ଘୋଡ଼ା ବେପାର କରିବା ଆରମ୍ଭ କରି ଦେଇଛି । ଯେଉଁଥିପାଇଁ ରାଜ୍ୟ ନେତାଙ୍କଠାରୁ ଆରମ୍ଭ କରି କେନ୍ଦ୍ର ନେତା ଯାଏଁ ସମସ୍ତେ କହୁଛନ୍ତି ଦଳ ୩ଟି ଆସନ ହାତେଇବ । ରାଜ୍ୟସଭା ପାଇଁ ୨ଟି ଆସନ ଲାଗି ବିଜେପି ପାଖରେ ସଂଖ୍ୟା ଥିବାରୁ ସେମାନେ ତୃତୀୟ ଆସନ ପାଇଁ ଘୋଡ଼ା ବେପାର କରିବାକୁ ପ୍ରୟାସ କରିଛନ୍ତି । ତେବେ କଂଗ୍ରେସର ୧୪ଜଣ ବିଧାୟକଙ୍କୁ ନେଇ ପିସିସି ସଭାପତି ବୈଠକ କରିବେ ଓ ସମସ୍ତ ଭୋଟ କଂଗ୍ରେସ ପାଖରେ ରହିବ ବୋଲି ପିସିସି ସଭାପତି ଭକ୍ତ କହିଛନ୍ତି । ଅପରପକ୍ଷେ ବିଜେପି ରାଜ୍ୟସଭାରେ ଘୋଡ଼ା ବେପାର କରିବ ବୋଲି ପିସିସି ସଭାପତିଙ୍କ ଅଭିଯୋଗର ଜବାବ ଦେଇଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ସେ ଆହୁରି କହିଛନ୍ତି, କଂଗ୍ରେସ ନିଜ ଦଳର ଘୋଡ଼ାଙ୍କୁ ଆଗେ ଜଗୁ । ତେବେ ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ସମୟ ଆସିଲେ ଦଳ ନିଷ୍ପତ୍ତି ନେବ ।
