ବାଲେଶ୍ୱର: ପୂର୍ବରୁ ବିବାହିତ ହୋଇଥିଲେ ସୁଦ୍ଧା ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦ୍ୱିତୀୟ ବିବାହ କରିଥିଲେ । ପରେ ଧରାପଡ଼ିବା ପରେ ସ୍ୱାମୀ ପାଲଟିଯାଇଥିଲା ସଇତାନ । ମାରିଦେବା ପାଇଁ ଦ୍ୱିତୀୟ ସ୍ତ୍ରୀକୁ ଏସିଡ ମାଡ଼ କରିଥିଲା । ଏହାସହିତ ଅନ୍ୟ ଦୁଇଟି କୁନିକୁନି ପିଲା ସମେତ ୪ ଜଣ ଏହି ଏସିଡ ମାଡରେ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ଦ୍ୱିତୀୟ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାର ଆଜି କୋର୍ଟ ମୃତ୍ୟୁ ଦଣ୍ଡଭଳି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ବାଲେଶ୍ୱର ଅଞ୍ଚଳର ବନିତା ସିଂଙ୍କ ସହ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳର ଚନ୍ଦନ ରଣାଙ୍କର ପ୍ରେମ ବିବାହ ହୋଇଥିଲା । ଚନ୍ଦନ ଭୀମପୁରା ଛକରେ ଏକ ସୁନାରି ଦୋକାନରେ କାମ କରୁଥିଲେ । ବିବାହ ପରେ ବନିତା ଜାଣିବାକୁ ପାଇଥିଲେ ଯେ ଚନ୍ଦନ ବିବାହିତ ଓ ତାଙ୍କର ସ୍ତ୍ରୀ ଏବଂ ଦୁଇଟି ପିଲା ଅଛନ୍ତି । ତା\’ ପରେ ଆରମ୍ଭ ହୋଇଥିଲା ବିବାଦ । ସେ ସ୍ୱାମୀଙ୍କୁ ଛାଡି ପଳାଇ ଆସି ନିଜ ବଡ଼ ଭଉଣୀ ବର୍ଷାଙ୍କ ସହ ବାଲେଶ୍ୱର ସହରରେ ରହୁଥିଲା । ଏହା ଜାଣିବା ପରେ ଚନ୍ଦନ ଆସି ଭଉଣୀଙ୍କ ଘରେ ପହଞ୍ଚି ବନିତାଙ୍କ ସହ ଯୁକ୍ତିତର୍କ କରିଥିଲା । ପୂର୍ବ ପ୍ରସ୍ତୁତି ଅନୁସାରେ ସାଥିରେ ଆଣିଥିବା ଏସିଡକୁ ଦ୍ୱିତୀୟ ପତ୍ନୀଙ୍କ ମୁହଁକୁ ଫୋପାଡିଲା । ବନିତା ଏସିଡ୍ ଜ୍ୱାଳାରେ ଚିତ୍କାର କରୁଥିବା ବେଳେ ତାଙ୍କ ବଡ ଭଉଣୀ ଦୌଡି ଆସିଥିଲେ । ସେତେବେଳେ ହିତାହିତ ଜ୍ଞାନ ହରାଇ ବସିଥିବା ଚନ୍ଦନ ତାଙ୍କ ବଡ ଭଉଣୀକୁ ଏସିଡ ମାଡ଼ କରିବା ସହ ତାଙ୍କ ୮ ମାସର ପୁଅ ଓ ୩ ବର୍ଷର ଝିଅକୁ ବି ଏସିଡ ମାଡ଼ କରିଥିଲା । ବନିତାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସିବି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ବଡ଼ ଭଉଣୀ ବର୍ଷା ସିଂ ଓ ତାଙ୍କର ଦୁଇ ପିଲା ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏସିଡ୍ ମାଡ଼ କରିବା ପରେ ମୋଟର ସାଇକେଲରେ କୁଆଡେ ଖସି ପଳାଇଥିଲା ଅଭିଯୁକ୍ତ । ଶେଷରେ ବନିତା ମୃତ୍ୟୁବରଣ କରିଥିଲା । ଏଭଳି ଲୋମ ଟାଙ୍କୁରା ଘଟଣାକୁ ନେଇ ୫୬/୨୩ ନମ୍ବର ମାମଲା ରୁଜୁ ହୋଇ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଶେଷରେ ଗତ ୪ ତାରିଖରେ ବାଲେଶ୍ୱର ସ୍ୱତନ୍ତ୍ର ଏସସିଏସଟି କୋର୍ଟର ବିଚାରପତି ଅବଦୁଲ ସମିମ ଅଖତର ୩୪ଟି ସାକ୍ଷୀ,୧୧୦ଟି ଦସ୍ତାବିଜ ଓ ୩୩ଟି ମେଟେରିଆଲ ଅବଜେକ୍ଟକୁ ଭିତ୍ତିକରି ଭାରତୀୟ ପିଙ୍ଗଳ ଦଣ୍ଡବିଧାନ ଆଇନର ଧାରା ୩୦୨, ୩୨୬(କ), ୪୧୭, ୪୫୨ ଓ ଅନ୍ୟ ଧାରାରେ ଅଭିଯୁକ୍ତ ସ୍ୱାମୀକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ଦଣ୍ଡବିଧାନର ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ଚନ୍ଦନକୁ ମୃତ୍ୟଦଣ୍ଡରେ ଦଣ୍ଡିତ କରିଛନ୍ତି ।
